Latest Odisha News

ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଶ୍ରୀମନ୍ଦିରକୁ ଗଲେ ଓଡ୍ରାଫ୍ ଟିମ୍, ବନ୍ଦ ହେଲା ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ

ପୁରୀ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ଆଜି ଖୋଲାଯିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର। ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ଦେଖିବ ଚର୍ମଚକ୍ଷୁ। ଖୋଲିବ ରାଜରାଜୁଡ଼ା ଅମଳର ପ୍ରାଚୀନ ସିନ୍ଦୁକ ଓ ଆଲମିରା। ହେଲେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଶ୍ରୀମନ୍ଦିରକୁ ଗଲେ ଓଡ୍ରାଫ୍ ଟିମ୍। ଆଧୁନିକ ସରଞ୍ଜାମ ସହ ଗଲେ ଓଡ୍ରାଫ୍ ଟିମ୍। ସ୍ନେକ୍ ହେଲ୍ପ ଲାଇନ୍ ଟିମ୍ ମଧ୍ୟ ଶ୍ରୀମନ୍ଦିରକୁ ଗଲେ।

ଅନ୍ୟପଟେ ସକାଳ ୮ଟାରୁ ବନ୍ଦ ହେଲା ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ। କେବଳ ଅଧିକୃତ ସେବକମାନଙ୍କୁ ଛଡ଼ାଯିବ। ଆଜି ଶୁଭ ମୁହୂର୍ତ୍ତ ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଖୋଲାଯିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର। ଭିତର ରତ୍ନଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହେବ ରତ୍ନ ଅଳଙ୍କାର। କେବଳ ସିଂହଦ୍ୱାରକୁ ଛାଡ଼ି ଅନ୍ୟ ୩ ଦ୍ୱାର ବନ୍ଦ ରହିବ। ଗତ ରବିବାର ବାହାର ରତ୍ନଭଣ୍ଡାର କେବଳ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହୋଇଥିଲା। ଆଜି ଭିତର ଭଣ୍ଡାରର ପାଳି। ଏସଓପି ମୁତାବକ ୧୧ ଜଣିଆ ଅଧିକୃତ ଟିମ୍ ଜିଲ୍ଲା ଟ୍ରେଜେରିରୁ ଚାବି ଆଣି ଭିତର ରତ୍ନଭଣ୍ଡାରରେ ପଡ଼ିଥିବା ୨ଟି ନୂଆ ତାଲା ଖୋଲାଯିବ।

ଏସଓପି ଅନୁଯାୟୀ, କେହି କୌଣସି ଧାତବ ପଦାର୍ଥ କିମ୍ବା ସୁନା ଅଳଙ୍କାର ପିନ୍ଧି ଯିବେ ନାହିଁ। ଭିତର ଭଣ୍ଡାର ତାଲା ଖୋଲାଯାଇ ସିନ୍ଦୁକ ଓ ଆଲମାରୀରେ ଥିବା ଅଳଙ୍କାର ଗୁଡ଼ିକୁ ସୁରକ୍ଷିତ ଭାବେ ଖଟଶେଯ ଘରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବ। ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାର ତାଲାକୁ ସିଲ୍ କରାଯିବ ଏବଂ ଚାବିକୁ ପୁଣି ଟ୍ରେଜେରୀରେ ରଖାଯିବ। ଏହା ପରେ ଯାଇ ରତ୍ନଭଣ୍ଡାର ମରାମତି ଆରମ୍ଭ କରିବ ଏଏସଆଇ। ଆଜି ମଧ୍ୟ ସ୍ନେକ୍ ହେଲ୍ପ ଲାଇନ, ଓଡ୍ରାଫ୍, ସ୍ବେଚ୍ଛାସେବୀ, ଡାକ୍ତରୀ ଟିମ୍ ମୁତୟନ ହୋଇଛନ୍ତି। ଅଳଙ୍କାର ଗୁଡ଼ିକୁ ଷ୍ଟ୍ରଙ୍ଗରୁମରେ ନୂଆ ସିନ୍ଦୁକରେ ରଖିବା ପରେ ଭିତର ରତ୍ନଭଣ୍ଡାରର ପ୍ରାଚୀନ ସିନ୍ଦୁକ ଓ ଆଲମିରା ଗୁଡ଼ିକୁ ସଂଗ୍ରହାଳୟରେ ରଖିବାକୁ ଯୋଜନା କରାଯାଉଛି।

Comments are closed.