ଭୁବନେଶ୍ୱର : ଶନିବାରଠାରୁ ଆରମ୍ଭ ହୋଇଥିବା ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଅନ୍ତିମ ଦିବସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆରା କାର୍ଯ୍ୟକ୍ରମମାନ ହାତକୁ ନେଇ ଓଡ଼ିଆ ଭାଷାପ୍ରତି ଲୋକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଜାରି ରଖିଥିଲା । ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟରେ ଏକାଧିକ ଆକର୍ଷଣୀୟ ପ୍ରତିଯୋଗିତା କରାଯାଇ ବିଜୟୀ ପ୍ରତିଯୋଗୀମାନଙ୍କୁ ସେହିଠାରେ ହିଁ ପୁରସ୍କୃତ କରାଯାଇଥୁଲା । ଫଳରେ ଓଡ଼ିଆ ଭାଷା ପ୍ରତି ସେମାନଙ୍କର ଆଗ୍ରହ ଜାତ ହେବା ଦେଖାଯାଇଥିଲା ।
କାର୍ଯ୍ୟକ୍ରମରେ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ସହ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ବେଶ୍ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ । ଖାଲି ଓଡ଼ିଆ ନୁହେଁ, ଇଂରାଜୀ ମାଧ୍ଯମ ଛାତ୍ରଛାତ୍ରୀମାନେ ମଧ୍ୟ ଏସବୁରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ଆକର୍ଷଣୀୟ ଖେଳ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ମଧ୍ୟରୁ ‘ଓଡ଼ିଆ ଅକ୍ଷର ଶବ୍ଦ ଖେଳ’ ନିକଟରେ ଛାତ୍ରଛାତ୍ରୀମାନଙ୍କର ବେଶ୍ ଗହଳି ଜମିଥିଲା । ଏହା ସହ ସୁଲେଖନୀ ବା କାଲିଗ୍ରାଫି ମାଧମରେ ଛାତ୍ରଛାତ୍ରୀମାନେ ନିଜ ନିଜ ନାମକୁ ସୁନ୍ଦର ଭାବରେ ଓଡ଼ିଆ ଭାଷାରେ ଲେଖାଇଥିଲେ । ଓଡ଼ିଆ ଭାଷାରେ ‘ଟାଟୁ’ ବା ‘ଚିତାକୁଟା କଳା’ର ମଧ୍ୟ ଆୟୋଜନ ହୋଇଥିଲା । କେବଳ ସେତିକି ନୁହେଁ ଓଡ଼ିଆ ଭାଷା ଓ ସଂସ୍କୃତିକୁ ନେଇ ପ୍ରାୟ ୧୮ରୁ ଅଧିକ ପୋଷ୍ଟକାର୍ଡ ପ୍ରଦର୍ଶିତ ହୋଇଥୁଲା, ଯେଉଁଥିରେ ନିଜ ପ୍ରିୟଜନଙ୍କୁ ପତ୍ରଲେଖି ସେହିଠାରେ ହିଁ ପୋଷ୍ଟ କରିବାର ସୁବିଧା ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ପାଇଁ ଜନତା ମୈଦାନରେ ମନୋଜ କୁମାର ବେହେରା, ସୁପ୍ରଭା ପାଣି, ମାନସ କୁମାର ମହାନ୍ତି ଓ ଦେବାଶିଷ ବିଶ୍ୱାଳ ପ୍ରମୁଖ ଅସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କର ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଭୁବନେଶ୍ଵର ଗୋଷ୍ଠୀ ଶିକ୍ଷାଧିକାରୀପ୍ରଜ୍ଞା ପାରମିତା ଜେନା ସମସ୍ତ ପ୍ରକାର ସହଯୋଗ କରିଥିଲେ ।
Comments are closed.