ଡେରାଡୁନ: ଉତ୍ତରାଖଣ୍ଡ ତେହେରୀ ଗଡ଼ୱାଲର ଏକ ଛୋଟ ଗାଁ ଭେନସକୋଟିରେ ରହୁଥିବା ଛତୁ ଚାଷୀ କୁଲଦୀପ ବିଷ୍ଟ ପିଲାଦିନରୁ ତାଙ୍କ ଜେଜେବାପା ଚାଷ କରୁଥିବାର ଦେଖିଆସୁଥିଲେ | ତେବେ କୁଲଦୀପଙ୍କ ପିତା ଜଣେ ଶିକ୍ଷକ ଥିବାରୁ ସେ ଚାହୁଁଥିଲେ ଯେ କୁଲଦୀପ ଅଧିକ ପାଠ ପଢନ୍ତୁ ଏବଂ ଚାକିରି କରନ୍ତୁ। ଏହି ଚିନ୍ତାଧାରା ସହିତ ସେ କୁଲଦୀପଙ୍କୁ ଗାଜିଆବାଦକୁ ଏମବିଏ କରିବାକୁ ପଠାଇଲେ। ଅଧ୍ୟୟନ ପରେ କୁଲଦୀପ ଏକ ପ୍ରତିଷ୍ଠିତ ବ୍ୟାଙ୍କରେ କାମ ମଧ୍ୟ କରୁଥିଲେ। କିନ୍ତୁ ଚାଷ ପ୍ରତି ତାଙ୍କର ଭଲପାଇବା ହେତୁ ସେ ସର୍ବଦା ଅନୁଭବ କରୁଥିଲେ ଯେ ଏହି କ୍ଷେତ୍ରରେ କିଛି କାମ କରାଯିବା ଉଚିତ୍ | କୁଲଦୀପଙ୍କ ଜେଜେବାପା ପୂର୍ବରୁ ଜଳସେଚନ ବିଭାଗରେ କାମ କରୁଥିଲେ ଏବଂ ପରେ ତାଙ୍କ ଜମିରେ ୨୫୦ ରୁ ୩୦୦ ଫଳ ଗଛ ଲଗାଇଥିଲେ, ଯାହାକୁ କୁଲଦୀପ ଯତ୍ନ ନେଉଥିଲେ |
ଚାକିରି ସମୟରେ ମଧ୍ୟ ସେ ସବୁବେଳେ ଭାବୁଥିଲେ କି କିଭଳି କିଛି ନିଆରା ଚାଷ କରିବେ? ଯଦିଓ ଡେରାଡୁନର ଆଖପାଖ ଅଞ୍ଚଳ ଛତୁ ଚାଷ ପାଇଁ ଜଣାଶୁଣା, ତେବେ ତାଙ୍କ ଗାଁର ଅନେକ ଲୋକ ଏହାକୁ ଚାଷ କରିନଥିଲେ। ତେଣୁ ଯେତେବେଳେ ସେ ଛତୁ ଚାଷ କରିବାକୁ ମନ ବଳାଇଲେ ସେ ନିଜ ସଞ୍ଚୟ ଅର୍ଥରେ ଏହା ଆରମ୍ଭ କଲେ | ଏକ ଘର ଭଡା ନେଇ ସେ ଦିନରେ ଚାକିରି କରି ରାତିରେ ଚାଷ କରୁଥିଲେ । ଧୀରେ ଧୀରେ କୁଲଦୀପ ଡେରାଡୁନ ଏବଂ ତେହେରୀରେ ମଧ୍ୟ ଛତୁ ଉତ୍ପାଦନ ଆରମ୍ଭ କରିଥିଲେ। ତାଜା ଛତୁ ବ୍ୟତୀତ, ସେମାନେ ଅବଶିଷ୍ଟ ଛତୁଗୁଡ଼ିକରୁ ବାୟୋପ୍ରଡକ୍ଟ ତିଆରି କରିବା ଆରମ୍ଭ କଲେ | ବର୍ତ୍ତମାନ ସେ ମସରୁମ ବା ଛତୁରୁ ଆଚାର, ବିସ୍କୁଟ ଏବଂ ଶୁଖିଲା ପାଉଡର ସହିତ ଅନେକ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି | ଆଗାମୀ ଦିନରେ ସେ ନୁଡୁଲ୍ସ ଏବଂ ଚ୍ୟାବନପ୍ରାଶ୍ ମଧ୍ୟ ପ୍ରସ୍ତୁତ କରିବାକୁ ଯୋଜନା କରୁଛନ୍ତି |
ସେ ‘ଫୁଙ୍ଗୋ’ ବ୍ରାଣ୍ଡ ନାମରେ ନିଜର ଉତ୍ପାଦ ବିକ୍ରି କରୁଛନ୍ତି | ଲକଡାଉନ ସମୟରେ ଯେତେବେଳେ ସେ ଆଉ ବ୍ୟାଙ୍କ ଗଲେ ନାହିଁ, ସେତେବେଳେ ସେ ଗାଁର ମହିଳାମାନଙ୍କୁ ମଧ୍ୟ ତାଲିମ ଦେବା ଆରମ୍ଭ କଲେ | ଆଉ ବର୍ତ୍ତମାନ ସେହି ମହିଳାମାନଙ୍କ ସହ ମିଶି କୁଲଦୀପ ଏବେ ଛତୁ ଚାଷ ସହ ବାୟୋପ୍ରଡକ୍ଟ ତିଆରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଓ ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି |