ନୂଆଦିଲ୍ଲୀ: ଟିକଟକକୁ ଟକ୍କର ଦେବା ପାଇଁ ଇନଷ୍ଟାଗ୍ରାମ ଏକ ଦମଦାର ଯୋଜନା ପ୍ରସ୍ତୁତ କରିଛି। କୁହାଯାଉଛି ଯେ ଇନଷ୍ଟାଗ୍ରାମ ଏହାର ସର୍ଟ ଭିଡିଓ ଫିଚର(Reels) ପାଇଁ ଏକ ପୃଥକ ଆପ୍ ଲଞ୍ଚ କରିବା ବିଷୟରେ ବିଚାର କରୁଛି। ଏହାର ମୁଖ୍ୟ ଆଡମ ମୋସେରି ଚଳିତ ସପ୍ତାହରେ କର୍ମଚାରୀମାନଙ୍କୁ ଏହା କହିଛନ୍ତି।
ବାସ୍ତବରେ, ଆମେରିକାରେ ଟିକ୍ ଟକ୍ ଉପରେ ପ୍ରତିବନ୍ଧକ ଲାଗିବାର ଭୟ ରହିଛି। ଏହାକୁ ବିଚାରକୁ ନେଇ, ମେଟା-ମାଲିକାନାଧୀନ ଇନଷ୍ଟାଗ୍ରାମ ରିଲ୍ ପାଇଁ ଏକ ପୃଥକ ଆପ୍ ଆଣିପାରେ ବୋଲି ସୂଚନା ମିଳିଛି । ଏଥିରେ କେବଳ ସର୍ଟ ଭିଡିଓ ରହିବ। ସାରା ବିଶ୍ୱରେ ଇନଷ୍ଟାଗ୍ରାମର ମାସିକ ଦୁଇ ବିଲିୟନରୁ ଅଧିକ ସକ୍ରିୟ ଉପଭୋକ୍ତା ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକ କେବଳ ରିଲ୍ ପାଇଁ ଇନଷ୍ଟାଗ୍ରାମ କୁ ବ୍ୟବହାର କରନ୍ତି । ସେହିପରି ଅଧିକାଂଶ ଉପଭୋକ୍ତା ଇନଷ୍ଟାଗ୍ରାମରେ କେବଳ ରିଲ୍ ଦେଖିବାରେ ସକ୍ରିୟ ଥାଆନ୍ତି ।
ସୂଚନା ଅନୁସାରେ, ସାରା ବିଶ୍ୱରେ ପ୍ରତିଦିନ ୧.୭୬ କୋଟି ଘଣ୍ଟା କେବଳ ରିଲ୍ ଦେଖାଯାଏ। ଏପରି ପରିସ୍ଥିତିରେ, କମ୍ପାନୀ ଏକ ବଡ଼ ପଦକ୍ଷେପ ନେଇପାରେ ବୋଲି ଜଣାପଡିଛି । ତେବେ ଏହି ବିଷୟରେ ମେଟା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। କହିରଖୁଛୁ ଯେ, ମେଟା ପୂର୍ବରୁ ଟିକ୍ ଟକ୍ ସହିତ ପ୍ରତିଯୋଗିତା କରିବା ଲକ୍ଷ୍ୟରେ ୨୦୧୮ରେ ଲାସୋ ନାମକ ଏକ ସ୍ୱତନ୍ତ୍ର ଭିଡିଓ-ସେୟାରିଂ ଆପ୍ ବଜାରକୁ ଆଣିଥିଲା, କିନ୍ତୁ ଆପ୍ ଅଧିକ ଆକର୍ଷଣୀୟ ହୋଇ ନ ଥିଲା ଏବଂ କମ୍ପାନୀ ପରେ ଏହାକୁ ବନ୍ଦ କରିଦେଇଥିଲା।
Comments are closed.