Latest Odisha News

ବଢୁଛି ଶିଶୁ ଦୃଷ୍ଟିହୀନତା, ଉଦବେଗ ପ୍ରକାଶ କଲେ ବିଶେଷଜ୍ଞ

ଭୁବନେଶ୍ୱର: ଦିନକୁ ଦିନ ବଢିବାରେ ଲାଗିଛି ଶିଶୁ ଦୃଷ୍ଟିହୀନତା । ଚିକିତ୍ସା ବିଜ୍ଞାନରେ ଅଗ୍ରଗତି କାରଣରୁ ଶିଶୁ ମୃତ୍ୟୁହାର ହ୍ରାସ ଘଟିଛି। ମାତ୍ର ଶିଶୁଙ୍କ ନିକଟରେ ଅପରିପକ୍ୱତା, ହାଇପୋକ୍ସିଆ ଏବଂ ପୁଷ୍ଟିହୀନତା ଭଳି ବିଭିନ୍ନ କାରଣଗୁଡିକ ବୃଦ୍ଧି ପାଇବାରେ ଲାଗିଛି। ଏପରି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଗ୍ରାମୀଣ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ଅତ୍ୟାଧୁନିକ ଅକୁଲୋପ୍ଲାଷ୍ଟି ସେବା ବୃଦ୍ଧି କରିବା ଏବଂ ଚକ୍ଷୁ ସମସ୍ୟାର ସମାଧାନ ତଥା ଦୃଷ୍ଟିହୀନତା ଭାର କମାଇବା ପାଇଁ ଅଧିକ ଚକ୍ଷୁ ବିଶେଷଜ୍ଞଙ୍କୁ ତାଲିମ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ବରିଷ୍ଠ ଚକ୍ଷୁ ବିଶେଷଜ୍ଞ।

ଏମ୍ସ ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ରାଜ୍ୟ ଚକ୍ଷୁ ଚିକିତ୍ସା ସୋସାଇଟିର ମଧ୍ୟବର୍ତ୍ତୀକାଳୀନ ବାର୍ଷିକ ସମ୍ମିଳନୀରେ ଏପରି ମତ ପ୍ରକାଶ ପାଇଛି। ଏହି ଦିନିକିଆ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜଗୁଡ଼ିକର ସ୍ନାତକୋତ୍ତର ଡାକ୍ତରଙ୍କ ସମେତ ୨୩୦ ଚକ୍ଷୁ ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଗ୍ଲୁକୋମା ସଂପର୍କରେ ବ୍ୟାପକ ସଚେତନତାର ଜରୁରୀ ଆବଶ୍ୟକତାକୁ ନେଇ ସମସ୍ତେ ଗୁରୁତ୍ୱାରୋପ କରିଥିଲେ।

ଏହି କାର୍ଯ୍ୟକ୍ରମ ଜରିଆରେ ଗୁରୁପୂର୍ଣ୍ଣିମା ଭଳି ପବିତ୍ର ଦିନକୁ ଦୃଷ୍ଟିରେ ରଖି ୯୭ ବର୍ଷ ବୟସ୍କ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ତଥା ବିଶିଷ୍ଟ ଶିକ୍ଷକ ପ୍ରଫେସର ବିଶ୍ବମ୍ବର ରାଜଗୁରୁଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଓଡ଼ିଶାର ଦ୍ୱିତୀୟ ଚକ୍ଷୁ ଚିକିତ୍ସକ ପ୍ରଫେସର ରାଜଗୁରୁଙ୍କୁ ଚକ୍ଷୁ ବିଜ୍ଞାନ ଏବଂ ସମାଜର ବିକାଶରେ ଆଜୀବନ ଉତ୍ସର୍ଗୀକୃତ ହୋଇଥିବାରୁ ସମ୍ମାନିତ କରାଯାଇଥିଲା। ମାଡ୍ରାସ ମେଡିକାଲ କଲେଜରୁ ଚକ୍ଷୁ ଚିକିତ୍ସା ଡିଗ୍ରୀ ହାସଲ କରିଥିବା ବେଳେ ତାଙ୍କର ପ୍ରାଥମିକ ବର୍ଷରେ, ବ୍ରିଟିଶ ଯୁଗ ଏବଂ ରାଜାରାଜୁଡ଼ା ଯୁଗରେ ସେ ସମ୍ମୁଖୀନ ହୋଇଥିବା ଆହ୍ଵାନ ବାବଦରେ ସେ ତାଙ୍କର ଅଭିଜ୍ଞତାକୁ ପ୍ରକାଶ କରିଥଲେ।

 

Comments are closed.