Latest Odisha News

ଆହୁରି ୫ ଦିନ କଲବଲ କରିବ ତାତି, ଆଭ୍ୟନ୍ତରୀଣ ଓଡ଼ିଶାରେ ୪୨ ଡିଗ୍ରୀ ଟପିପାରେ ତାପମାତ୍ରା

ଭୁବନେଶ୍ୱର: ଆହୁରି ୫ ଦିନ କଲବଲ କରିବ ତାତି। ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ପାଖାପାଖି ରହିପାରେ। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଟପିପାରେ। ଏହି ସମୟରେ କିନ୍ତୁ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଏଭଳି ଆକଳନ କରିଛି ପାଣିପାଗ ବିଭାଗ।

ତେବେ ଆଇଏମଡି ଆହୁରି ପୂର୍ବାନୁମାନ କରିଛି ଯେ ଉପକୂଳ ତଥା ଏହାର ନିକଟବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ଷା ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୫୦-୬୦ କିଲୋମିଟର ପର୍ଯ୍ୟନ୍ତ ବହିପାରେ। ଏହାସହ ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକ ପାଇଁ ଗୁରୁବାର ସକାଳ ୮ଟା ୩୦ ପର୍ଯ୍ୟନ୍ତ ବଜ୍ରପାତ ସହ ଘଡଘଡି ହେବାର ସମ୍ଭାବନା ରହିଛି।

ଏଥିସହ କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, ଗଜପତି, ଗଞ୍ଜାମ ଏବଂ କନ୍ଧମାଳରେ ୪୦-୫୦ କିଲୋମିଟର ବେଗରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ ଢେଙ୍କାନାଳରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ଉତ୍ତର ବିହାରରୁ କେନ୍ଦ୍ରୀୟ ଛତିଶଗଡ଼ ଯାଏ ସୃଷ୍ଟି ହୋଇଥିବା ଟ୍ରପ୍ ଲାଇନ୍ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା ଦେଖାଦେଇଛି। ଏହାର ପ୍ରଭାବରେ ଗଞ୍ଜାମ, ଗଜପତି, କଟକ, ଖୋର୍ଦ୍ଧା ଭଳି ଦକ୍ଷିଣ ଓ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଓ ପବନ ହେବା ସହ ମଙ୍ଗଳବାର ତାପମାତ୍ରା ହ୍ରାସ ପାଇଛି।

ତେବେ ଆସନ୍ତା ୫ ଦିନ ଯାଏ ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଅନୁଗୁଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ କଳାହାଣ୍ଡି ସମେତ ଓଡ଼ିଶାର କେତେକ ଆଭ୍ୟନ୍ତରୀଣ ଅଞ୍ଚଳରେ ପାରଦ ୪୨ ଡିଗ୍ରି ବା ତା’ଠାରୁ ଅଧିକ ହୋଇପାରେ।

ମଙ୍ଗଳବାର ରାଜ୍ୟର ୧୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ବା ତା’ଠାରୁ ଅଧିକ ରହିଥିବା ବେଳେ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୪.୩ ଡିଗ୍ରି ରହିଥିବା ବେଳେ ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀରରେ ୪୪ ଡିଗ୍ରି ରହିଛି।

Comments are closed.