International Buddhist Conference: ହୀରକ ତ୍ରିଭୁଜରେ ଆୟୋଜିତ ହେବ ଗୁରୁ ପଦ୍ମସମ୍ଭବ ପ୍ରାର୍ଥନା ସମାରୋହ;ଜାନୁଆରୀ ୧୧ ରୁ ୧୬ ତାରିଖ…
ଭୁବନେଶ୍ୱର: ଲାଇଟ ଅଫ ବୁଦ୍ଧ ଧର୍ମ ଫାଉଣ୍ଡେସନ ଇଣ୍ଟରନ୍ୟାସନାଲ, ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଗୁରୁ ପଦ୍ମସମ୍ଭବ ପ୍ରାର୍ଥନା ସମାରୋହର ଦ୍ଵିତୀୟ ସଂସ୍କରଣ ଏବଂ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀର ଆୟୋଜନ କରାଯିବ। ବିଶ୍ୱବିଖ୍ୟାତ ବୌଦ୍ଧପୀଠ ରତ୍ନଗିରି-ଉଦୟଗିରି-ଲଳିତଗିରି (ଓଡ଼ିଶାର ହୀରକ ତ୍ରିଭୁଜ)ଠାରେ ଜାନୁଆରୀ ୧୧ ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ।
ଜାନୁଆରୀ ୧୧ ରୁ ୧୬ ତାରିଖ ଛଅ ଦିନ ଧରି ପ୍ରାର୍ଥନା ସଭାର ଆୟୋଜନ ହେବା ସହ ଜାନୁଆରୀ ୧୪ ଏବଂ ୧୫ ତାରିଖ ଦିନ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀର ଆୟୋଜନ କରାଯିବ। ଉକ୍ତ କାର୍ଯ୍ୟକ୍ରମରେ ଦେଶ ବିଦେଶର ବୌଦ୍ଧଗୁରୁ, ବୌଦ୍ଧ ଧର୍ମାବଲମ୍ବୀ, ଗବେଷକ ଓ ବିଶିଷ୍ଟ ଐତିହାସିକମାନେ ଯୋଗଦେବେ। ଗୁରୁ ପଦ୍ମସମ୍ଭବଙ୍କ ଜୀବନୀ ଓ ଶିକ୍ଷା ଏବଂ ବୌଦ୍ଧଧର୍ମ ସମ୍ବନ୍ଧରେ ଆଲୋଚନା ହେବା ସହ ଓଡ଼ିଶାରେ ରହିଥିବା ବୌଦ୍ଧ କୀର୍ତ୍ତିରାଜି, ପର୍ଯ୍ୟଟନ ସ୍ଥଳୀ ଏବଂ ବୌଦ୍ଧଧର୍ମର ଇତିହାସ ଏବଂ ପ୍ରଚାର ଓ ପ୍ରସାରରେ ଓଡ଼ିଶାର ଭୂମିକାକୁ ନେଇ ସବିସ୍ତୃତ ଆଲୋଚନା କରାଯିବ। ଆନ୍ତର୍ଜାତିକ ସମ୍ମିଳନୀରେ ହେବାକୁ ଥିବା ବୌଦ୍ଧଧର୍ମ ସମ୍ବନ୍ଧୀୟ ସମସ୍ତ ଆଲୋଚନାର ନିଷ୍କର୍ଷକୁ ନେଇ ଏକ ପୁସ୍ତକ ପ୍ରକାଶନ କରାଯିବାର ମଧ୍ୟ ଯୋଜନା ରହିଛି।
ଗୁରୁ ପଦ୍ମସମ୍ଭବଙ୍କ ଜୀବନୀ, ବୌଦ୍ଧଧର୍ମ ଏବଂ ଏହାର ଶିକ୍ଷା ଓ ଦୀକ୍ଷା, ବୌଦ୍ଧ ଗ୍ରନ୍ଥ ଆଦି ଉପରେ ଯେପରି ଅଧିକ ଗବେଷଣା କରାଯାଇପାରିବ ଏବଂ ଓଡ଼ିଶାରେ ରହିଥିବା ବୌଦ୍ଧ ଧର୍ମ ଓ ସଂସ୍କୃତି ସମ୍ବନ୍ଧିତ ପର୍ଯ୍ୟଟନ ସ୍ଥଳୀର ବିକାଶ ସହ ଏହାର ଯେପରି ବହୁଳ ପ୍ରଚାର ଓ ପ୍ରସାର ହୋଇପାରିବ ତାହାକୁ ଲକ୍ଷ୍ୟ ରଖି ଏହି ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀର ଆୟୋଜନ କରାଯାଉଛି।
ପ୍ରକାଶଯୋଗ୍ୟ ଯେ, ଗତ ବର୍ଷ ୨୦୨୫ରେ ଓଡ଼ିଶାର ହୀରକ ତ୍ରିଭୁଜ ଠାରେ ଗୁରୁ ପଦ୍ମସମ୍ଭବ ପ୍ରାର୍ଥନା ସମାରୋହର ପ୍ରଥମ ସଂସ୍କରଣ ଆୟୋଜିତ ହୋଇଥିଲା।
Comments are closed.