Latest Odisha News

ନିଆରା ପଶୁପ୍ରେମୀ ପୂରବୀ: ଶତାଧିକ ଅସହାୟ ପଶୁପକ୍ଷୀଙ୍କୁ ଦେଇଛନ୍ତି ସାହାରା

ଭୁବନେଶ୍ୱର: ଛୋଟ ବେଳେ ରାସ୍ତାରେ କୁକୁର ଛୁଆଟିଏ ଦେଖିଲେ ତାକୁ ଧରି ଗେଲ କରି ଦେଉଥିଲେ । ବୁଲା କୁକୁର ବିଲେଇଙ୍କର ଯଦି କିଛି ଖଣ୍ଡିଆ ଖାବରା ହୋଇଯାଉଥିଲା ସଙ୍ଗେ ସଙ୍ଗେ ଔଷଧ ଲଗାଇ ଦେଉଥିଲେ । କିନ୍ତୁ ଏହି ଅଭ୍ୟାସ ଯେ ପରବର୍ତ୍ତୀ ସମୟରେ ତାଙ୍କ ନିଶାରେ ପରିଣତ ହେବ ଏକଥା କେହି ଭାବି ନ ଥିଲେ । ଏହା ହେଉଛି ଭୁବନେଶ୍ୱରର ପୂରବୀ ପାତ୍ରଙ୍କ କଥା । ଯିଏ ଆହତ ଓ ଅସହାୟ ପଶୁପକ୍ଷୀଙ୍କ ସେବା କରିବା ପାଇଁ ଉଚ୍ଚ ଦରମାର ମ୍ୟାନେଜମେଂଟ ଚାକିରୀ ଛାଡି ଖୋଲିଛନ୍ତି ପ୍ରାଣୀ ଆଶ୍ରୟସ୍ଥଳୀ ।

ରାସ୍ତା ଘାଟରେ କେଉଁଠି ଗାଡି ଧକ୍କାରେ କ୍ଷତାକ୍ତ କୁକୁର ଦେଖିଲେ ତାଙ୍କ ମନ କାନ୍ଦି ଉଠୁଥିଲା । ହେଲେ ପୁରବୀ ସେମାନଙ୍କୁ ଚିକିତ୍ସା ବା ଉଦ୍ଧାର ପାଇଁ କେଉଁଠି କି ନେବେ ଜାଣିପାରୁନ ଥିଲେ । ଇଂଟରନେଟରେ ଏ ନେଇ ଭୁବନେଶ୍ୱରରେ କଣ ସୁବିଧା ରହିଛି ତାହା ଖୋଜିବାକୁ ଲାଗିଲେ । ସେତେବେଳେ ୨୦୧୧-୧୨ ରେ ଭୁବନେଶ୍ୱରରେ ସେମିତି କିଛି ସୁବିଧା ନ ଥିଲା । କିନ୍ତୁ ଦିଲ୍ଲୀ, ବାଙ୍ଗାଲୋର୍ ଓ ମୁ୍‌ମ୍ବାଇ ଭଳି ବଡ ବଡ ସହରରେ ପଶୁପକ୍ଷୀଙ୍କ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଓ ସେଲଟର ହୋମ ରହିଥିବା ସେ ଜାଣିବାକୁ ପାଇଲେ । ସେଠାକାର ସଂସ୍ଥା ଓ ସେଲଟର ହୋମ୍ କେମିତି କାମ କରୁଛି ତାହା ଜାଣିବା ପାଇଁ ସେ ସେଠାକୁ ଗଲେ ଓ କିଛିଦିନ ସ୍ୱେଚ୍ଛାସେବୀ ଭାବେ କାମ କରି ଅଭିଜ୍ଞତା ସାଉଁଟିଲେ । ଏ ନେଇ କିଛିଟା ଅଭିଜ୍ଞତା ହାସଲ ପରେ ସେ ଭୁବନେଶ୍ୱର ଫେରି ଆରମ୍ଭ କଲେ ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ର ।

ଏହି ଟ୍ରଷ୍ଟର ଭୁବନେଶ୍ୱର ଉପକଣ୍ଠ ନଖରା ନିକଟ ସୁନ୍ଦରଗାଁରେ ଏକ ଆନିମଲ୍ ସେଲଟର ହୋମ ବା ପ୍ରାଣୀ ଆଶ୍ରୟସ୍ଥଳ ରହିଛି । ଏଥିରେ ବିଭିନ୍ନ ସମୟରେ ଉଦ୍ଧାର ହୋଇଥିବା ପାଖାପାଖି ୧୦୦ରୁ ଅଧିକ କୁକୁର, ବିଲେଇ, ବିଭିନ୍ନ ପ୍ରକାର ଚଢେଇ ଓ ମାଙ୍କଡମାନଙ୍କୁ ରଖାଯାଇଛି । ଏମାନଙ୍କ ଯତ୍ନ ନେବା ପାଇଁ ତିନି ଜଣ କର୍ମଚାରୀ ଅଛନ୍ତି । ଏଥି ସହ ସ୍ୱେଚ୍ଛାସେବୀମାନେ ମଧ୍ୟ ଅଛନ୍ତି । ଅଧିକାଂଶ ସ୍ୱେଚ୍ଛାସେବୀ ଶନିବାର ଓ ରବିବାର ଆସି ଏହି ସେଲ୍‌ଟର ହୋମରେ ପଶୁପକ୍ଷୀଙ୍କ ସେବା କରିଥାନ୍ତି ।

ବହୁ ସମୟରେ ଲୋକେ କୁକୁରମାନଙ୍କ ଉପରେ ବିବିଧ ଅତ୍ୟାଚାର କରିଥାନ୍ତି । ଯେପରିକି ସେମାନଙ୍କ ଗୋଡକୁ ବାଡେଇ ଛୋଟା କରିଦେଇଥାନ୍ତି, ଗରମ ପାଣି ପକାଇ ଦେଇଥାନ୍ତି । ଏପରି ଖବର ଆସିଲେ ପୁରବୀ ପ୍ରଥମେ ସେଠାରେ ପହଂଚି ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା କରିଥାନ୍ତି । ସ୍ଥାନୀୟ ଲୋକଙ୍କୁ ଏ ନେଇ ବୁଝାସୁଝା କରନ୍ତି । ବହୁ ସମୟରେ ଏହା ନିୟନ୍ତ୍ରଣକୁ ନ ଆସିଲେ ସେ ପୋଲିସର ସହାୟତା ମଧ୍ୟ ନେଉଥିବା କୁହନ୍ତି ପୂରିବୀ ।
ପ୍ରାୟତଃ ଉଦ୍ଧାର କରୁଥିବା କୁକୁରମାନଙ୍କୁ ସେ ଚିକିତ୍ସା କରି ଛାଡି ଦେଇଥାନ୍ତି । କିନ୍ତୁ ଉଦ୍ଧାର ହେଉଥିବା ଛୁଆ କୁକୁରଙ୍କୁ ଚିକିତ୍ସା ପରେ ସେଲଟର ହୋମରେ ହିଁ ରଖିବାକୁ ପଡ଼ିଥାଏ । ପୁରବୀ କହନ୍ତି, ‘ଛୁଆ କୁକୁର ମାଆ ପାଖେ ରହିଲେ ବହୁ କଥା ଶିଖିଥାଏ । କିନ୍ତୁ ସାନ ବେଳୁ ଚିକିତ୍ସା ପାଇଁ

ସେମାନଙ୍କୁ ସେଲଟର ହୋମରେ ରଖିଲେ ପରେ ସେମାନେ ବାହାରେ ଖାପଖୁଆଇ ଚଳିପାରନ୍ତି ନାହିଁ । ’

ସେଲଟର ହୋମ୍ ହୋଇଥିବା ଘରଟିକୁ ଭଡାରେ ନେଇଛନ୍ତି ପୂରବୀ । ଏଥି ପାଇଁ ତାଙ୍କୁ ମାସିକ ଭଡା ଦେବାକୁ ପଡେ । ଏଥି ସହ ପଶୁ ପକ୍ଷୀଙ୍କ ଚିକିତ୍ସା, ରହିବା ଖାଇବା ପାଇଁ ମଧ୍ୟ ପ୍ରତିଦିନ ଅର୍ଥର ଆବଶ୍ୟକ ହୁଏ । ଏ ଦିଗରେ ତାଙ୍କୁ ସହାୟତାର ହାତ ବଢାଇଛନ୍ତି କିଛି ସ୍ୱେଚ୍ଛାସେବୀ ଓ ପଶୁପ୍ରେମୀ । ସୋସିଆଲ ମିଡିଆକୁ ମାଧ୍ୟମ କରି ପୁରବୀ ମଧ୍ୟ ଆବଶ୍ୟକ ଅର୍ଥ ସଂଗ୍ରହ କରିିଥାନ୍ତି । ଏପରିକି କେହି କେହି ପଶୁପ୍ରେମୀ ସେଲ୍‌ଟର ହୋମରେ ରହୁଥିବା କୁକୁର ଓ ବିଲେଇଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ସହ ସେମାନଙ୍କର ସବୁ ଖର୍ଚ୍ଚ ତୁଲାଉଛନ୍ତି । ତାଙ୍କୁ କୌଣସି ସରକାରୀ ସାହାଯ୍ୟ ମିଳେ ନାହିଁ ।

ଅଧିକାଂଶ ସମୟରେ ରାସ୍ତାରେ ଗଲା ବେଳେ ଆମେ ଆହତ କୁକୁର, ବିଲେଇ କି ଚଢେଇଟେ ଦେଖିଥାଉ । କିନ୍ତୁ ସେଗୁଡିକୁ ଅଣଦେଖା କରି ଚାଲିଯାଉ । ସେମାନେ ପାଉଥିବା କଷ୍ଟକୁ ଅନୁଭବ କରିପାରୁ ନ ଥାଉ । ତେବେ କଥା କହିପାରୁ ନ ଥିବା ଏହି ଅସହାୟ ପ୍ରାଣୀମାନଙ୍କ ପାଇଁ ପୂରବୀଙ୍କ ଏହି ପ୍ରୟାସ ବେଶ୍ ପ୍ରଶଂସନୀୟ ଓ ଅନେକଙ୍କ ପାଇଁ ପ୍ରେରଣା ।

Comments are closed.