Latest Odisha News

BREAKING NEWS

ହାରି ନାହାନ୍ତି ହୀରାମଣି…

ବାରିପଦା: ଆଜିର ସଭ୍ୟ ସମାଜରେ ନାରୀ ମାନଙ୍କର ଆସନ ବହୁ ଉଚ୍ଚରେ । ସଂପ୍ରତି ନାରୀ ଆଉ ଘରର ଚାରି କାନ୍ଥ ମଧ୍ୟରେ ଆବଦ୍ଧ ନରହି ପୁରୁଷଙ୍କ ସମକକ୍ଷ ହୋଇ ଆତ୍ମନିର୍ଭରଶୀଳ ହେବା ପାଇଁ ଚେଷ୍ଟା କରୁଛି । ପାରିବାରିକ ଦାୟିତ୍ୱ ଏବଂ କର୍ମକ୍ଷେତ୍ର ଦୁଇଟି ମଧ୍ୟରେ ତାଳମେଳ ରକ୍ଷା କରି ଆଗକୁ ବଢିବାକୁ ଚେଷ୍ଟା କରୁଛି । ଏଥିପାଇଁ ତାକୁ ଦୈନନ୍ଦିନ ଜୀବନରେ ଅନେକ ବାଧାବିଘ୍ନ ର ସମ୍ମୁଖୀନ ହେବାକୁ ମଧ୍ୟ ପଡୁଛି । ଏହାସତ୍ତ୍ୱେ ସମାଜରେ ସମ୍ମାନର ସହ ବଞ୍ଚିବାକୁ ସେ ତାର ସଂଷର୍ଷ ଜାରୀ ରଖିଛି ।

ଆଜି ଆମେ ଏମିତି ଏକ ନାରୀଙ୍କ ବିଷୟରେ କହିବାକୁ ଯାଉଛେ ଯେ କି ବୟସର ଅପରାହ୍ନ ରେ ମଧ୍ୟ ଥକି ପଡିନାହାଁନ୍ତି ।ନିରବଚ୍ଛିନ୍ନ ଭାବେ ୨୫ବର୍ଷ ରୁ ଉର୍ଦ୍ଧ୍ବ ହେବ ଜୀବନଜୀବିକା ପାଇଁ କରୁଥିବା ସଂଘର୍ଷ ସେ ହାର ମାନି ନାହାନ୍ତି । ଆଜିର ଦିନରେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ପୂର୍ବବତ୍ ଚଳଚଞ୍ଚଳ ରହିଛନ୍ତି । ଦିନର ଆରମ୍ଭରୁ ନେଇ ରାତ୍ରି ପର୍ଯ୍ୟନ୍ତ ସେ ନିଜ କର୍ମରେ ନିଜକୁ ସମର୍ପଣ କରିଦେଇଛନ୍ତି ।

ଆଦିବାସୀ ବହୁଳ ମୟୂରଭଞ୍ଜ ଜୀଲ୍ଲାର ସଦର ମହକୁମା ବାରିପଦା ଠାରୁ ମାତ୍ର ଅଳ୍ପ ଦୁରରେ ଶ୍ୟାମାଖୁଣ୍ଟା ବ୍ଲକର ଟିକରପଡା ଗାଁରେ ତାଙ୍କର ଘର । ନାଁ ତାଙ୍କର ହୀରାମଣୀ ସିଂ । ଏକ ଆଦିବାସୀ ପରିବାରରୁ ଆସିଥିବା ହୀରାମଣୀ ଙ୍କର ହସଖୁସିର ସଂସାରରେ ୪ପ୍ରାଣୀର କୁଟୁମ୍ବ । ଝିଅକୁ ବାହା ଦେବା ପରେ ଏବେ ସେ ରୋଗୀଣା ସ୍ବାମୀ ଏବଂ ପାଠ ପଢୁଆ ପୁଅ ସହ ରହୁଛନ୍ତି । ଆଜକୁ ୩୦ବର୍ଷ ରୁ ଉର୍ଦ୍ଧ୍ବ ହେବ ସେ ସାରସକଣା ବ୍ଲକ ଅନ୍ତର୍ଗତ ବାଘବସା ନିଜ ଜନ୍ମିତ ଗ୍ରାମରୁ ରାଇତୁ ସିଂ ଙ୍କୁ ବିଭାହୋଇ ଏହି ଟିକରପଡା ଗାଁ କୁ ଆସିଥିଲେ । ସମସ୍ତଙ୍କ ପରି ତାଙ୍କର ମଧ୍ୟ ସପ୍ନ ଅନେକ ଥିଲା । ନିକଟସ୍ଥ ଲୋକଙ୍କ ଚାଷକାର୍ଯ୍ୟରେ ମୂଲ ଲାଗି ତାଙ୍କ ସ୍ବାମୀ ରାଇତୁ ଚଳାଉଥିଲେ ଘର ସଂସାର । ପରେ ପରେ ହୀରାମଣୀ ଦୁଇଟି ସନ୍ତାନ ର ମା ମଧ୍ୟ ହୋଇଥିଲେ । ସ୍ବାମୀ ମୂଲ ଲାଗି ଆଣୁଥିବା ଅର୍ଥ ପରିବାର ପ୍ରତିପୋଷଣ ପାଇଁ ବହୁତ କମ ଥିଲା । ପିଲାମାନଙ୍କୁ ନେଇ ଚଳିବାରେ ବହୁ କଷ୍ଟର ସମ୍ମୁଖୀନ ମଧ୍ୟ ହେଉଥିଲେ ହୀରାମଣୀଙ୍କୁ । ଏହାମଧ୍ୟରେ ସ୍ବାମୀ ଙ୍କ ଦେହ ଅସୁସ୍ଥ ହେବାରୁ ହୀରାମଣୀ ଙ୍କୁ ଅନ୍ଧକାର ମାଡିଆସିଥିଲା । ହେଲେ ହୀରାମଣୀ ଙ୍କୁ ସାନ୍ତ୍ବନା ଦେବାକୁ ଆଗେଇଆସିଥିଲେ ତାଙ୍କ ମା । ସେ ହୀରାମଣୀ ଙ୍କୁ କାର୍ଯ୍ୟ କ୍ଷେତ୍ରରେ ନିଜକୁ ନିୟୋଜିତ କରିବା ପାଇଁ ପ୍ରବର୍ତାୟୀଥିଲେ । ସେ ଏକ ଗରିବ ଆଦିବାସୀ ଜାତିର ହୋଇଥିବାରୁ ପ୍ରଥମେ ତାଙ୍କୁ ଅର୍ଥ ସାଜିଥିଲା ବାଧକ । କିଛି ଉପାୟ ନପାଇ ପ୍ରଥମେ ଜଙ୍ଗଲ ରୁ ଶାଳ ଦାନ୍ତ କାଠି ଓ ପତ୍ର ସହ କିଛି ଜଙ୍ଗଲ ଜାତ ଦ୍ରବ୍ୟକୁ ସଂଗ୍ରହ କରି ପାଦରେ ଚାଲି ଚାଲି ଗାଁ କୁ ଗାଁ ବୁଲି ବିକ୍ରି କରିବା ଆରମ୍ଭ କରିଥିଲେ ସେ । କ୍ରମସ ସେ ଏହି ବ୍ୟବସାୟ କୁ ନିକଟସ୍ଥ ଅସ୍ତିଆ ବଜାର ଏବଂ ପରେପରେ ବାରିପଦା ସହର ପର୍ଯ୍ୟନ୍ତ ପହଞ୍ଚାଇଥିଲେ ।

ପାଦରେ ଚାଲି ବୁଲିବୁଲି ବ୍ୟବସାୟ କରୁଥିବା ହୀରାମଣୀଙ୍କୁ ତାଙ୍କ ଗାଁରେ ଥିବା ଲୋକମାନେ ଏକ ସାଇକେଲ ଚଳାଇବା ପାଇଁ ଉତ୍ସାହିତ କରିଥିଲେ । ଦିନସାରା ବ୍ୟବସାୟ କରି ଘରକୁ ଫେରଲା ପରେ ହୀରାମଣୀ ପୋଡଶୀ ଙ୍କ ସହାୟତା ରେ ସାଇକେଲ ଚଢା ଶିଖିଥିଲେ । ଏହାପରେ ସେ ସାଇକେଲରେ ନିଜର ବିକ୍ରୟ ଦ୍ରବ୍ୟ କୁ ଧରି ବିକ୍ରି କରିବା ପାଇଁ ଦୀର୍ଘ ବର୍ଷ ହେବ ଆସୁଥିଲେ । ଏହା ମଧ୍ୟ ରେ ରୋଜଗାର କରି ଝିଅର ବିବାହ ମଧ୍ୟ ସାରିଦେଇଥିଲେ । ଶାଳପତ୍ର , ଦାନ୍ତ କାଠି , କାଇ , ବିଭିନ୍ନ ପ୍ରକାରର ଗାଉଁଲି ଶାଗ ଇତ୍ୟାଦି କିଣିବା ପାଇଁ ପ୍ରତିଦିନ ପାଖାପାଖି ତାଙ୍କୁ ୫୦ କିଲୋମିଟର ରୁ ବେଶୀ ସାଇକେଲ ଚଲାଇବାକୁ ପଡୁଥିବାରୁ ଧିରେ ଧିରେ ସେ ଏକ ମୋଟର ସାଇକେଲ କିଣିବା ପାଇଁ ଚେଷ୍ଟା କରି ସଫଳ ମଧ୍ୟ ହୋଇଥିଲେ । ଏବଂ ଗାଡି ଚଲା ଶିକ୍ଷାକରିବା ପରେ ଆଜକୁ ୨ବର୍ଷ ରୁ ବେଶୀ ହେବ ସେ ଏହି ମୋଟରସାଇକେଲ ରେ ଜିନିଷପତ୍ର ବୋହି ନିଜର ବ୍ୟେବସାୟ ଚଳାଇଛନ୍ତି । ଆଉ ତାଙ୍କର ଏହି ଗାଡି ଚଲାଇ ବ୍ୟେବସାୟ କରିବା ଶୈଳୀକୁ ନେଇ ପରିବାର ଏବଂ ଗ୍ରାମବାସୀ ଙ୍କ ଖୁସି କହିଲେ ନସରେ ।

ଆଜିର ଦୁନିଆରେ ନାରି ସଶକ୍ତିକରଣ ହେଉ ଅବା ନାରୀ ସମ୍ମାନକୁ ନେଇ ଯେତେ ପ୍ରକାର ସରକାରଙ୍କ ପ୍ରଦୋତ୍ତ ଯୋଜନା ତିଆରି ହେଉଛି ଏସବୁକୁ ଲକ୍ଷ କଲେ ଜଣାପଡେ ହୀରାମଣୀ ହେଉଛନ୍ତି ଅଭୂତପୂର୍ବ ମାର୍ଗଦର୍ଶୀତା । ବାସ୍ତବତା କ୍ଷେତ୍ରରେ ହୀରାମଣୀଙ୍କ ଜୀବନର କାର୍ଯ୍ୟ ଶୈଳୀ , ଆତ୍ମନିର୍ଭରଶୀଳତା ବହୁ ପ୍ରଶଂସନୀୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.