ଅଜୟ ସ୍ୱାଇଁ ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ପ୍ରମୁଖ ଶିଳ୍ପୀ । ବେସାଲିସ୍, ବେଧଡ଼କ୍, ବେପରୁୱା ତାଙ୍କ ସୃଜନ ଯାତ୍ରା । ବିଚକ୍ଷଣ, ବିମ୍ବିତ, ବିସ୍ତାରିତ ତାଙ୍କ କଥାର କାନ୍ଭାସ୍ । ଗଳ୍ପ, ଉପନ୍ୟାସ, କବିତା, ନାଟକ, ସ୍କ୍ରିନ୍-ପ୍ଲେ, ସଂଳାପ, ଗୀତ, ସଙ୍ଗୀତ, ଅଭିନୟ, ନିର୍ଦ୍ଦେଶନା, ଉପସ୍ଥାପନା, ବକ୍ତୃତା… ଏମିତି କିଛି କ୍ଷେତ୍ର ନାହିଁ, ଯୋଉଠି ତାଙ୍କର ସର୍ଜନଶୀଳତାର ସଦର୍ପ ପ୍ରମାଣ ନାହିଁ । ନାବାଳକ, ଶିରିଷ ଗଛର ଛାଇ ଗୋ, ଛପିଛପି ବାସନ୍ତୀ ରାତି, ଦୁଃଖଦୋହା, କଲମ୍ବସର କାଗଜଡଙ୍ଗା (ସଂକଳିତ) ଆଦି ଉପନ୍ୟାସ ସହିତ ବୋଉର ଗୀତଖାତା, ମାଳିକା, ଶାଳ ଉଖୁଡ଼ା, ମିଛିମିଛିକା ରାତି, ନଖ ଦର୍ପଣ, ମାମୁଁଘର ଗାଁ, ଚରିତ୍ର ଚଉପାଶ, ବାସି ମୋ ହୋଇଲା ଫୁଲଶେଯ, ପ୍ରେମିକନାମା, ଅଜୟ ସ୍ୱାଇଁଙ୍କ ପ୍ରେମଗଳ୍ପ, କଥକ, ପ୍ରେମ ହୁସ୍ସ୍, ହୃଦୟ ଫୃଦୟ, ଅଜୟ ଅଜସ୍ର ଆଦି ଗଳ୍ପ ସଂକଳନର ସେ ସମର୍ଥ କଥାକାର । ଦୁଇଟି କବିତା ସଂକଳନ – ନଈକୂଳ ଗାଁ ଓ ମାୟାମେଘ ମଧ୍ୟ ପ୍ରକାଶିତ । ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ରାଜଧାନୀ ଉତ୍ସବ ସାହିତ୍ୟ ସମ୍ମାନ, କନହେଇଲାଲ ଗଳ୍ପ ସମ୍ମାନ, ଛନ୍ଦାଚରଣ ଗଳ୍ପ ସମ୍ମାନ, ଭୁବନେଶ୍ୱର ବେହେରା ଗଳ୍ପ ସମ୍ମାନ, ଚନ୍ଦ୍ରଭାଗା ଉପନ୍ୟାସ ସମ୍ମାନ, ସୃଜନ ସାହିତ୍ୟ ସମ୍ମାନ, ଫକୀରମୋହନ ଉପନ୍ୟାସ ସମ୍ମାନ, ପକ୍ଷୀଘର ଉପନ୍ୟାସ ସମ୍ମାନ, ଅଭିନନ୍ଦନିକା ସାହିତ୍ୟ ସମ୍ମାନ, ସଂଧ୍ୟାତାରା କବିତା ସମ୍ମାନ ଆଦି ଅନେକ ସ୍ୱୀକୃତି ତାଙ୍କ ସର୍ଜନାର ଜୟଗାନ କରିଛି । ୧୯୫୮ ମସିହା ପବିତ୍ର ଗଣେଶ ଚତୁର୍ଥୀ ତିଥିରେ ଭୁବନେଶ୍ୱର ଉପକଣ୍ଠର ଇଟିପୁର (ଜୟପୁର) ଗ୍ରାମରେ ଜନ୍ମ ହୋଇଥିବା ଆମ ସମୟର ଅଜେୟ ଶବ୍ଦଶିଳ୍ପୀ ଅଜୟ ସ୍ୱାଇଁଙ୍କ ସହ ସରୋଜ ବଳଙ୍କ ଅନ୍ତରଙ୍ଗ ଆଳାପ:
ଭଲ କବିତା ନଲେଖି କିଏ କଣ ଭଲ ଗପ ଲେଖିପାରିବ : ଅଜୟ ସ୍ୱାଇଁ
ଗଳ୍ପ ଲେଖି ପାରିବେ, ଏ ଆତ୍ମବିଶ୍ୱାସ ଆପଣଙ୍କ ଭିତରେ କେବେ ଓ କେମିତି ସୃଷ୍ଟି ହେଲା?
ମତେ ହଠାତ୍ ଲାଗିଲା, ମୁଁ ହୁଏତ ଗପ ଲେଖି ପାରିବି । ଆଇ.ଏ. ପଢ଼ୁଥିଲି । ସାନ୍ତରାପୁର ଖଟିରେ ଆମେ ସବୁ ମିଶି ‘ସେତୁ’ ବୋଲି ଗୋଟେ ଟାବଲଏଡ୍ ପ୍ରକାଶ କରୁଥିଲୁ । ଗପ ମିଳୁନଥିଲା ଚାହିଁଲେ । ସେଇଠୁ ଇଚ୍ଛା ହେଲା । ନାଟକ, କବିତା, ଗୀତ ଲେଖା ହଉଥିଲା । ଗପ ଆଉ କଣ କି? ତେବେ ୧୯୮୪ ବେଳକୁ ଗପ ଲେଖା ମାଡ଼ିଲା । ଚାଲିଛି ।
ଆପଣଙ୍କ ଦୃଷ୍ଟିରେ ସଫଳ ଗଳ୍ପ କେଉଁଟା?
ସଫଳ ଗପ ଦୁଇ ପ୍ରକାର ମୋ ଦୃଷ୍ଟିରେ । ୧. ଯେଉଁଟାକୁ ପଢ଼ି ଅନ୍ୟକୁ କହିହେବ । ୨. ଯେଉଁଟାକୁ ପଢ଼ି ଅବିଳମ୍ବେ ଭୁଲି ଯାଇହେବ, ଯେତେ ମନେ ପକେଇଲେ ବି ପଡ଼ିବନି । ମନେ ହେବ, ଏଇଟା ଗପ ନଥିଲା । ମୁଁ ଭୋଗିଥିବା କ’ଣ ଗୋଟେ ସମୟ ବା ଅବସ୍ଥା ଥିଲା ।
‘ଭଲ ଗପ’ ଓ ‘ପୁରସ୍କାର-ଉପଯୋଗୀ ଗପ’ ଏକା କଥା କି? ନା କିଛି ତଫାତ୍ ଅଛି?
ତଫାତ୍ ବହୁତ ଅଛି । ଭଲ ଗପ କଥା ତ ଅଲଗା । ପୁରସ୍କାର ଉପଯୋଗୀ ଗପ ଓ ପାଠ୍ୟକ୍ରମରେ ସ୍ଥାନ ପାଇବା ଗପର ଗାଳ୍ପିକମାନେ ଗପ ନଲେଖି Gospel ଲେଖିବା ଜରୁରୀ । ଯେଉଁଥିରେ ସମାଜର ସଂସ୍କାର ଥିବ । ଯାହାକୁ ପଢ଼ି କେହି ଖରାପ ହେବେ ନାହିଁ । କି ସଂସାର ଓ ସମାଜ ନଷ୍ଟ ହେବ ନାହିଁ । ପୁରସ୍କାର ପାଉଥିବା ଗପ ‘ପୁରସ୍କାର ଚୟନ କମିଟି’କୁ ଭଲଲାଗିବା, ସୁହାଇବା ଦରକାର ।
ସମକାଳୀନ ଓଡ଼ିଆ ଗଳ୍ପକୁ ଆପଣ କିଭଳି ଦୃଷ୍ଟିରେ ଦେଖନ୍ତି?
ସମକାଳୀନ ଓଡ଼ିଆ ଗପ ଚମତ୍କାର । ବ୍ୟକ୍ତି ଏଠି ପ୍ରଧାନ । ଯେଉଁ ଚରିତ୍ରମାନେ ଗପକୁ ଓହ୍ଲଉଛନ୍ତି, ସେମାନଙ୍କ ବିଷୟରେ ଗବେଷଣା ଟିକେ କମ୍ । ଏବଂ ସମକାଳର ଗପ ବେଶି ଛୋଟ ହେଇଯାଉଛି । କିନ୍ତୁ ନୂଆ ଗପ ଲେଖକ-ଲେଖିକାଙ୍କ ଗପ ପଢ଼ିଲେ ମନେହେଉଛି, ସେମାନଙ୍କର ପାଠକ-ପାଠିକା ମୋଟେ ପାଞ୍ଚ-ଦଶଜଣ ବୋଧେ!
ନୂଆପିଢ଼ିର ଲେଖକଲେଖିକାଙ୍କ ସୃଷ୍ଟି ସହିତ ଆପଣ କେତେ ପରିଚିତ? ସେମାନେ ଆମ ଭାଷାସାହିତ୍ୟର ଭାର ବୋହିପାରିବେ କି?
ଅକ୍ଷୟ ମହାନ୍ତିଙ୍କ ଧାଡ଼ି: ‘ମଥା ପରେ ବୋଝ ଲଦିବାରୁ ସିନା ଆଜି ହୁଏ ବୋହିବାକୁ’ । ଯିବେ କୁଆଡେ଼? ହେଲେ ଏ ଗପର ବୋଝ ବୋହିବାକୁ ନିଜକୁ ସମର୍ଥ ଭାବିଲେ ସିନା? ବର୍ତ୍ତମାନ ସମୟର ଗପ ଲେଖକ-ଲେଖିକାଙ୍କ ଉପରେ ମୋର ବହୁତ ଆଶା ଓ ଭରସା ।
ଅତୀତରେ ବିଖ୍ୟାତ ଓଡ଼ିଆ କଥାକାରମାନେ ସମାଜର ସବୁ ବର୍ଗର ଚରିତ୍ରଙ୍କ କଥା ଲେଖିଛନ୍ତି । କିନ୍ତୁ ଆଜିକାଲି ସ୍ପେସିଆଲାଇଜେସନ୍ର ଯୁଗ ଚାଲିଛି। ବାମାବାଦୀ, ଜନବାଦୀ, ଦଳିତ ସାହିତ୍ୟ, ଆକ୍ଟିଭିଷ୍ଟ ଲେଖକ ଭଳି ବର୍ଗିକରଣ ଦେଖିବାକୁ ମିଳୁଛି । ଆପଣଙ୍କ ପ୍ରତିକ୍ରିୟା?
ବୋର୍ । କିଏ ପଢେ଼ ଏସବୁ? ସେଇ ବର୍ଗର ପାଠକମାନେ ବି ତାକୁ ପଢ଼ନ୍ତି ନାହିଁ । ସେ ଗପବହି ଛପାହେଇ ଘରେ ରହିବ, ନହେଲେ ତାଙ୍କ ବର୍ଗର ପାଠକଙ୍କୁ ସେ ବହି ବଣ୍ଟାହେବ । (ଏ ବର୍ଗୀକରଣ ପାଠକମାନେ କ’ଣ କେବେ ପଢ଼ନ୍ତି?)
ଆମେ ଜାଣୁ, କଳ୍ପନାପ୍ରବଣତା ଓ ବାସ୍ତବତା – ସୃଜନ ମୁଦ୍ରାର ଦୁଇ ପାର୍ଶ୍ୱ । ତେବେ ଏହାକୁ ନେଇ ନାନା ଦ୍ୱନ୍ଦ୍ୱ ରହିଛି । ଆପଣ ଏ ଦୁହିଁଙ୍କୁ ନିଜ ଲେଖାରେ କେମିତି ହ୍ୟାଣ୍ଡଲ୍ କରନ୍ତି?
କଳ୍ପନା ନଥିଲେ ବାସ୍ତବତାରେ ଶାଣ ଦେଇ ହେବନି । ବାସ୍ତବତା ନଥିଲେ କଳ୍ପନା କେମିତି ସମ୍ଭବ?
ଓଡ଼ିଶାରେ ଏବେ ‘ପୂଜା-ଉପନ୍ୟାସ’ର ଟ୍ରେଣ୍ଡ୍ ଚାଲିଛି, ଯାହା ଅନେକ ସମୟରେ ବଡ଼ ଗପ ଭଳି ଲାଗୁଛି । ଏ ଟ୍ରେଣ୍ଡ୍ ଏକ ପରିପୂର୍ଣ୍ଣ ଉପନ୍ୟାସପାଠର ଆନନ୍ଦଠାରୁ ପାଠକଙ୍କୁ ଦୂରେଇ ନେଉଛି କି?
କିଛି ତ ହଉନି । ସେଇ ବିଭୂତି, ପ୍ରତିଭା, ରାମଚନ୍ଦ୍ର ଲେଖୁଛନ୍ତି । ନୂଆ ଉପନ୍ୟାସର କ୍ୟାନଭାସ୍ ଅଛି । ମାତ୍ର ସରଜମିନ୍ ତଦନ୍ତ ଓ ଗବେଷଣା କରିବାକୁ ସମୟ ଦରକାର । କାହିଁ? ଓଡ଼ିଆ ଲୋକେ ତ କିଛି ପୂଜାପତ୍ରିକା କିଣନ୍ତି । ସେଇବେଳେ ସଂପାଦକ-ସଂପାଦିକାମାନେ ଉପନ୍ୟାସ ଚାହାନ୍ତି । ମାତ୍ର ପୃଷ୍ଠା ସୀମିତ । ତେଣୁ ଚାଲୁଛି ସେମିତି । ଯଦି କମ୍ ପୃଷ୍ଠାରେ ପୂର୍ଣ୍ଣ ଆନନ୍ଦ ମିଳୁଛି, ଚାଲୁ!
ଆପଣ ଦିନେ କବିତା ଲେଖୁଥିଲେ, ଏବେ ଗପ ଓ ଉପନ୍ୟାସରେ । ଜଣେ ଲେଖକ ଆଜୀବନ ଗୋଟିଏ ବିଭାଗରେ ସନ୍ତୁଷ୍ଟ ରହିବା ସଂଭବ କି?
ନା । ଗୋଟିଏ ବିଭାଗ, ଆର ବିଭାଗର ପରିପୂରକ । ଭଲ କବିତା ନଲେଖି କିଏ ଭଲଗପ କି ନାଟକ କଣ ଲେଖିପାରିବ? କେଜାଣି?
ଲେଖାଲେଖି ବଦଳରେ କେଉଁ ଚରମ ପ୍ରାପ୍ତିର ସ୍ୱପ୍ନ ବା ଅଭିଳାଷ ରଖନ୍ତି ଆପଣ?
ଚରମ ପ୍ରାପ୍ତି ବୋଇଲେ କିଛି ନାହିଁ ହୋ! ନିର୍ବାଣ ମୋର ଲୋଡ଼ାନାହିଁ । ଏ ମଧ୍ୟ ମୋର ଅଭିଳାଷ ନୁହେଁ, ମୋର ଇଚ୍ଛା । ଓଡ଼ିଶାର ସବୁ ଲେଖକ-ଲେଖିକା ଅଂତତଃ ପ୍ରତି ମାସରେ ଥରେ ବସି ଦୁଃଖସୁଖ ହୁଅନ୍ତେ, ଚା ପିଅନ୍ତେ ।… ଆଉ ବିଶେଷ କିଛି ନାହିଁ ।
Comments are closed.