ମୁମ୍ବାଇ: ସଲମାନ ଖାନଙ୍କ ପରେ, ଏବେ ଅଭିନେତା ଆଦିତ୍ୟ ରାୟ କପୁରଙ୍କ ଘରେ ଜଣେ ଅଜଣା ମହିଳା ପଶିବାକୁ ଚେଷ୍ଟା କରିଛନ୍ତି । ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ବାନ୍ଦ୍ରା ଓ୍ବେଷ୍ଟରେ ଥିବା ଅଭିନେତା ଆଦିତ୍ୟ ରାୟ କପୁରଙ୍କ ଘରେ ଏହି ମହିଳା ଜଣକ ଚୋରାରେ ପ୍ରବେଶ କରିଥିଲେ । ପରେ ମହିଳା ଜଣଙ୍କ ୪୭ ବର୍ଷୀୟା ଗଜାଲା ଝକାରିଆ ସିଦ୍ଦିକି ବୋଲି ଚିହ୍ନଟ ହୋଇଥିଲେ, ଯିଏ ଦାବି କରିଥିଲେ ଯେ ସେ ଅଭିନେତାଙ୍କୁ ଏକ ଉପହାର ଦେବାକୁ ଚାହୁଁଥିଲେ ଏବଂ ସେଥିପାଇଁ ତାଙ୍କ ଘରେ ପ୍ରବେଶ କରିଥିଲେ ।
ହେଲେ ଅଭିନେତା ତାଙ୍କୁ ଚିହ୍ନି ନଥିବା କହିଥିଲେ । ଅଭିନେତାଙ୍କ ଘରେ କାମ କରୁଥିବା ଜଣେ ଚାକରାଣୀର ଅଭିଯୋଗ ଆଧାରରେ, ଖାର ପୋଲିସ ମେ ୨୬ ତାରିଖରେ ସିଦ୍ଦିକିଙ୍କ ବିରୋଧରେ ଘର ଅନୁପ୍ରବେଶ ଅଭିଯୋଗରେ ଏକ ମାମଲା ରୁଜୁ କରିଥିଲା ।
ପୋଲିସ ଏଫଆଇଆର୍ ଅନୁଯାୟୀ, ଅଭିନେତା ଆଦିତ୍ୟ ରାୟ କପୁର ବାନ୍ଦ୍ରା ଓ୍ବେଷ୍ଟର ରିଜଭି କମ୍ପ୍ଲେକ୍ସରେ ରୁହନ୍ତି । ମେ ୨୬ ତାରିଖରେ ଅଭିନେତା ସୁଟିଂ ପାଇଁ ବାହାରକୁ ଯାଇଥିଲେ ଏବଂ ତାଙ୍କ ଘରେ କାମ କରୁଥିବା ଚାକରାଣୀ ସଙ୍ଗୀତା ପାୱାର ଘରେ ଏକା ଥିଲେ । ସନ୍ଧ୍ୟା ସମୟରେ ଜଣେ ମହିଳା ଆସି ପଚାରିଥିଲେ ଏହା ଅଭିନେତା ଆଦିତ୍ୟ ରାୟ କପୁରଙ୍କ ଘର କି? ଚାକରାଣୀ ହଁ କହିବା ପରେ, ମହିଳା ଜଣକ କହିଲେ ଯେ ସେ ଅଭିନେତାଙ୍କ ପାଇଁ ପୋଷାକ ଏବଂ ଅନ୍ୟାନ୍ୟ ଉପହାର ଆଣିଛନ୍ତି ।
ଏହା ପରେ ଅଭିନେତା ଆସି ପହଞ୍ଚିଥିଲେ ଏବଂ ସେ ମହିଳା ଜଣଙ୍କୁ ଚିହ୍ନି ନଥିବା କହିଥିଲେ ତାଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ । ହେଲେ ଉକ୍ତ ମହିଳା ଜଣକ ନଯାଇ ସେଇଠି ଠିଆ ହୋଇ ରହିଲେ । ଏହାପରେ ଆଦିତ୍ୟ ରାୟ କପୁର ଘରୁ ବାହାରିଯାଇ ସେ ରହୁଥିବା ଆପାର୍ଟମେଣ୍ଟର ସୋସାଇଟି ମ୍ୟାନେଜରକୁ ଖବର ଦେଇଥିଲେ । ଏହାପରେ ଖାରା ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ପରେ ଭାରତୀୟ ଦଣ୍ଡ ସଂହିତାର ଧାରା 331(2) (ଘର ପ୍ରବେଶ କିମ୍ବା ଘର ଭାଙ୍ଗିବା ପାଇଁ ଦଣ୍ଡ) ଅନୁଯାୟୀ ସିଦ୍ଦିକିଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ କରିଥିଲା ।
Comments are closed.