ରାୟଗଡା: ୯ ମ ଶ୍ରେଣୀ ଛାତ୍ର ଦଶମ ପାସ୍ ହେବା ଘଟଣା । ତଦନ୍ତ ପାଇଁ ଗଠନ ହେଲା ୩ ଜଣିଆ କମିଟି । ରାୟଗଡା ଜିଲ୍ଲା ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଙ୍କ ଦଶମ ପାସ୍ ହେବା ଘଟଣାର ଆରମ୍ଭ ହୋଇଛି ଖୋଲତାଡ । ଛାତ୍ର ଜଣକ ୫ ହଜାର ଟଙ୍କା ଲାଞ୍ଚ ଦେଇ ଦଶମ ଶ୍ରେଣୀରେ ପାସ୍ ହେବା ଘଟଣା ପ୍ରଘଟ ପରେ ଅତି ଗୁରୁତର ଭାବେ ନେଇଛି ଶିକ୍ଷା ବିଭାଗ । ତଦନ୍ତ ନିର୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ।
ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ୍ ମାଝୀଙ୍କ ନେତୃତ୍ବରେ ଏକ ତିନି ଜଣିଆ ଟିମ୍ ଗଠନ କରାଯାଇଥିବା ବେଳେ ଏହି ଟିମ୍ ସଂପୃକ୍ତ ବିଦ୍ୟାଳୟକୁ ଯାଇ ପ୍ରଧାନଶିକ୍ଷକ ଓ ଛାତ୍ର ପିଣ୍ଟୁ ମାଝିଙ୍କ ବୟାନ ରେକର୍ଡ କରିବ ।
ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ପିଣ୍ଟୁ ମାଝି ଚଳିତ ବର୍ଷ ଜାନୁଆରୀ ମାସ ୧୮ ତାରିଖ ଦିନ ଅନ୍ୟତ୍ର ପାଠପଢିବା ପାଇଁ ବିଦ୍ୟାଳୟରୁ ଟିସି ନେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଲୋଚନ ଖରା ପିଣ୍ଟୁ ମାଝିଙ୍କୁ ଟିସି ପାଇଁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ତେବେ ଟିସି ନେବା ପରେ ଚଳିତ ଜୁନ୍ ମାସ ୨୫ ତାରିଖ ଦିନ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପିଣ୍ଟୁ ୨୭୨ ନଂମ୍ବର ରଖି ‘ଡି’ଗ୍ରେଡ୍ ରେ ପିଣ୍ଟୁ ପାସ୍ କରିଥିବା ଜଣାପଡିଥିଲା ।
ଟିସି ନେଇଥିବା ପିଣ୍ଟୁ ମାଝିଙ୍କ ନାମକୁ ପ୍ରଧାନଶିକ୍ଷକଙ୍କ ଜାଣତରେ ଚଞ୍ଚକତା କରି ଅନଲାଇନ୍ ମାଧ୍ୟମରେ ୨୧୭ ଛାତ୍ରଛାତ୍ରୀଙ୍କ ତାଲିକାରେ ଭର୍ତ୍ତି କରାଯାଇଥିବା ଏବେ ସ୍ପଷ୍ଟ ହୋଇଛି । ଦୋଷୀ ସାବ୍ୟସ୍ତ ହେଲେ ପ୍ରଧାନଶିକ୍ଷକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ପ୍ରକାଶ କରିଛନ୍ତି ।
Comments are closed.