Lalit Modi’s British citizenship: ଭାରତ ଛାଡ଼ି ବ୍ରିଟେନରେ ନୂଆ ପରିଚୟ, ଲଳିତ ମୋଦି ହେଲେ ବ୍ରିଟିଶ ନାଗରିକ; କହିଲେ, ‘ଏବେ ମୋ ଘର’
ନୂଆଦିଲ୍ଲୀ: ଆଇପିଏଲ୍ର ପୂର୍ବତନ ଅଧ୍ୟକ୍ଷ ତଥା ଭାରତର ପଳାତକ ଲଳିତ ମୋଦିଙ୍କୁ ନେଇ ଆସିଛି ଏକ ବଡ଼ ଖବର। ସେ ବ୍ରିଟିଶ ନାଗରିକତା ହାସଲ କରିଥିବା ନିଜେ ଘୋଷଣା କରିଛନ୍ତି। ନିଜ ଏକ୍ସ (X) ହ୍ୟାଣ୍ଡେଲରେ ପୋଷ୍ଟ କରି ଏହି ସୂଚନା ଦେବା ସହ ବ୍ରିଟିଶ ନାଗରିକ ହେବା ତାଙ୍କ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି। ଏହାକୁ ସେ ନିଜ ଜୀବନର ଏକ ନୂଆ ଅଧ୍ୟାୟ ବୋଲି ମଧ୍ୟ ଅଭିହିତ କରିଛନ୍ତି।
ଲଳିତ ମୋଦି ନଭେମ୍ବର ୧୪, ୨୦୨୬ରେ ଅକ୍ସଫୋର୍ଡ ୟୁନିଅନକୁ ସମ୍ବୋଧିତ କରିବା ସମୟରେ ନିଜ ଜୀବନର ଏହି ବ୍ୟକ୍ତିଗତ ଉପଲବ୍ଧି ସମ୍ପର୍କରେ ସମସ୍ତଙ୍କୁ ଜଣାଇଥିଲେ। ଏହା ତାଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ସେ କହିଛନ୍ତି। ନିଜ ଏକ୍ସ ପୋଷ୍ଟରେ ଲଳିତ ମୋଦି ଲେଖିଛନ୍ତି, “ଏକ ଗର୍ବର ମୁହୂର୍ତ୍ତ। ଏକ ନୂଆ ଅଧ୍ୟାୟ। ଆଜି ଅକ୍ସଫୋର୍ଡ ୟୁନିଅନକୁ ସମ୍ବୋଧିତ କରିବାର ସୌଭାଗ୍ୟ ମିଳିଛି। ଏଠାରେ ମୁଁ ମୋ ଜୀବନର ଏକ ବିଶେଷ ଏବଂ ବ୍ୟକ୍ତିଗତ ଉପଲବ୍ଧି ସମସ୍ତଙ୍କ ସହ ବାଣ୍ଟିଛି। ମୁଁ ଜଣେ ବ୍ରିଟିଶ ନାଗରିକ ହୋଇଥିବାରୁ ଗର୍ବିତ।”
ଲଳିତ ମୋଦିଙ୍କ କହିବା ଅନୁଯାୟୀ, ୧୫ ସେପ୍ଟେମ୍ବର ୨୦୨୬ରେ ସେ ନିଜ ପରିବାର ଓ ବନ୍ଧୁମାନଙ୍କ ଗହଣରେ ବ୍ରିଟିଶ ନାଗରିକତା ହାସଲ କରିବାର ଖୁସି ପାଳନ କରିଥିଲେ। ଏହି ସମାରୋହ ତାଙ୍କ ହୃଦୟର ଅତି ନିକଟରେ ରହିବ ବୋଲି ସେ କହିଛନ୍ତି। ତାଙ୍କ ଅନୁସାରେ, ଦୀର୍ଘ ବର୍ଷ ଧରି ବ୍ରିଟେନ ତାଙ୍କ ଘର ଭଳି ରହିଆସିଛି। ଏହି ଦେଶ, ଏଠାକାର ଲୋକ, ସଂସ୍ଥା, ପରମ୍ପରା ଓ ମୂଲ୍ୟବୋଧକୁ ସେ ଗଭୀର ସମ୍ମାନ କରନ୍ତି।
ବ୍ରିଟିଶ ନାଗରିକତା ହାସଲ କରିବାକୁ ଏକ ସୌଭାଗ୍ୟ ଏବଂ ବଡ଼ ଦାୟିତ୍ୱ ବୋଲି ବର୍ଣ୍ଣନା କରିଛନ୍ତି ଲଳିତ ମୋଦି। ଗର୍ବ, କୃତଜ୍ଞତା ଓ ନିଜର ବୋଲି ଭାବିବାର ଭାବନା ସହ ସେ ଏହି ଦାୟିତ୍ୱକୁ ଗ୍ରହଣ କରୁଥିବା କହିଛନ୍ତି। ତାଙ୍କ ଜୀବନ ଯାତ୍ରା ବିଭିନ୍ନ ସଂସ୍କୃତି ଓ ଅନୁଭୂତିରେ ଗଢ଼ିଉଠିଛି। ଯେଉଁ ଦେଶକୁ ସେ ଗର୍ବର ସହ ନିଜ ଘର ବୋଲି କହୁଛନ୍ତି, ସେଠାରେ ସକାରାତ୍ମକ ଯୋଗଦାନ ଜାରି ରଖିବାକୁ ଆଗ୍ରହୀ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହି ଅବସରରେ ନିଜ ପରିବାର, ବନ୍ଧୁ ଏବଂ ଏହି ଯାତ୍ରାରେ ସାଥ୍ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଖବର ଘୋଷଣା କରିବା ପାଇଁ ଏକ ସ୍ମରଣୀୟ ମଞ୍ଚ ଦେଇଥିବା ଅକ୍ସଫୋର୍ଡ ୟୁନିଅନକୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି। କିଙ୍ଗ ଚାର୍ଲସ ତୃତୀୟଙ୍କ ଜନ୍ମଦିନ ଅବସରରେ ଏହି ଖବର ସେୟାର କରିବା ତାଙ୍କ ପାଇଁ ଆହୁରି ଖାସ୍ ହୋଇଥିବା କହିଛନ୍ତି।
ସୂଚନାଯୋଗ୍ୟ, ଲଳିତ ମୋଦି ୨୦୧୦ରେ ଭାରତ ଛାଡ଼ି ବ୍ରିଟେନ ଚାଲିଯାଇଥିଲେ। ଆଇପିଏଲ୍ ସହ ଜଡ଼ିତ କଥିତ ଆର୍ଥିକ ଅନିୟମିତତା ମାମଲାରେ ସେହି ବର୍ଷ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା। ଏହା ପରେ ସେ ଭାରତ ଛାଡ଼ିଥିଲେ। ବର୍ତ୍ତମାନ ସେ ଲଣ୍ଡନରେ ରହୁଛନ୍ତି। ଏହା ପୂର୍ବରୁ ଲଳିତ ମୋଦିଙ୍କ ସହ ଜଡ଼ିତ ଆଉ ଏକ ଖବର ଚର୍ଚ୍ଚାକୁ ଆସିଥିଲା। ସୁନନ୍ଦା ପୁଷ୍କରଙ୍କୁ ନେଇ ଶଶି ଥରୁର ଲଳିତ ମୋଦିଙ୍କ ଘରେ ରେଡ୍ କରିବାକୁ ଧମକ ଦେଇଥିବା ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ବ୍ରିଟିଶ ନାଗରିକତା ହାସଲ କରିଥିବା ନେଇ ଲଳିତ ମୋଦିଙ୍କ ଘୋଷଣା ରାଜନୈତିକ ଓ କ୍ରୀଡ଼ା ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
