ନୂଆପଡ଼ା: ଖରିଆର ରୋଡ଼ ସହରରେ ଆଇପିଏଲ ବେଟିଂ (ଜୁଆ) ଚାଲୁଥିବା ବେଳେ ପୋଲିସ ଖବର ପାଇ ଚଢାଉ କରି ପାଞ୍ଚ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପୂର୍ବରୁ ସେମାନଙ୍କ ଠାରୁ ବିପୁଳ ପରିମାଣର ବେଟିଂ ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି। ଏବେ ଏହି ବେଟିଂ କାରବାରରେ ଆଉ କିଏ ସଂପୃକ୍ତି ରହିଛନ୍ତି ଏବଂ ଯେଉଁ ୫ ଜଣ ଗିରଫ ହୋଇଛନ୍ତି ସେମାନେ କିଭଳି ଜଡିତ ହେଲେ ଏହି ବେଆଇନ କାରବାରରେ ତାର ତଦନ୍ତ କରୁଛି ନୂଆପଡ଼ା ପୋଲିସ।
ତଦନ୍ତ ଜାରି ରଖିଥିବା ନେଇ ସୂଚନା ଦେବା ସହିତ ନୂଆପଡା ଏସପି ରାଘବିନ୍ଦ୍ର ଗୁଣ୍ଡାଲା ରେଡ୍ଡୀ କହିଛନ୍ତି, ଜୋଙ୍କ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ରାମ ମନ୍ଦିର ନିକଟସ୍ଥ ଏକ ଘରରେ ସ୍ଥାନୀୟ ପୋଲିସ ଚଢ଼ାଉ କରିଥିଲା। ଘଟଣା ସ୍ଥଳରେ ଆଇପିଏଲ କ୍ରିକେଟ ବେଟିଂ ଚାଲୁଥିବା ଦେଖିବାକୁ ମିଳିଥିଲା। ଗୋଟିଏ ଘର ଭିତରେ ୨୧ଟି ସ୍ମାର୍ଟଫୋନ, ୪ଟି ଲାପଟପ, ବିଭିନ୍ନ ବ୍ୟାଙ୍କର ୧୫ଟି ଏଟିଏମ କାର୍ଡ, ୧୦ଟି ଚେକ ବହି, ୫ଟି ପାସ ବହି, ଗୋଟିଏ ଗାଡି ଚାଳକ ଲାଇସେନ୍ସ, ଗୋଟିଏ ଆଧାର କାର୍ଡ, ଦୁଇଟି ଏୟାର ବେଗ ଜବତ ହୋଇଛି।
ଅଭିଯୁକ୍ତ ମାନେ ପଡୋଶୀ ରାଜ୍ୟ ଛତିଶଗଡ଼ ରାୟପୁର, ବେମତରା, ରାଜନନ୍ଦଗାଓଂ ବୋଲି ଜଣାପଡିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରି ତଦନ୍ତ ଜାରି ରହିଥିବା ଏସପି ପ୍ରତିକ୍ରିୟାରେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଏବେ ଆଇପିଏଲ ମ୍ୟାଚ ଚାଲିଛି। ଯାହାକୁ ଦେଖି ବେଆଇନ୍ ଭାବେ କିଛି ଗୋଷ୍ଠୀ ଅଧିକ ପଇସା ରୋଜଗାର କରିବା ସହିତ ଠକେଇରେ ମାତିଛନ୍ତି। ସାରା ରାଜ୍ୟରେ ପୋଲିସ ଏହା ଉପରେ କଡା ନଜର ରଖିଛି। ଆଇପିଏଲ ମ୍ୟାଚ ଆରମ୍ଭ ହେବାଠୁ ଅନେକ ସ୍ଥାନରେ ପୋଲିସ ଚଢାଉ କରି ଗିରଫ କରିଛି।
Comments are closed.