Latest Odisha News

ଗୃହ ବିଭାଗକୁ ବଦଳି ହେଲେ ବିବାଦୀୟ ଆଇପିଏସ ଅଫିସର ଆଶିଷ ସିଂ

ଭୁବନେଶ୍ବର: ବରିଷ୍ଠ ଆଇପିଏସ୍‌ ଅଫିସର ଆଶିଷ ସିଂଙ୍କ ବଦଳି । ଗୃହ ବିଭାଗ ଓଏସଡି ଭାବେ ଆଶିଷ ସିଂଙ୍କୁ ନିଯୁକ୍ତ କଲେ ମୋହନ ସରକାର । ପୂର୍ବ ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ଆଇଜି ଆଶିଷ ସିଂ । ଯାହଙ୍କୁ ଆଜି ଗୃହ ବିଭାଗକୁ ବଦଳି କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ତେବେ ଏହା ପୂର୍ବରୁ ବିବାଦରେ ଫସିଥିଲେ ଆଶିଶ ସିଂ । ମିଛ କାରଣ ଦର୍ଶାଇ ଛୁଟିରେ ରହିଥିଲେ । ଯେଉଁ କାରଣରୁ ତାଙ୍କ ଉପରେ ଇସିଆଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇଥିଲା ।

ସୂଚନାଯୋଗ୍ୟ ଯେ, ନିର୍ବାଚନ ସମୟରେ ଅସୁସ୍ଥତା କାରଣ ଦର୍ଶାଇ ଛୁଟିରେ ଯାଇଥିଲେ ଆଶିଷ ସିଂ । ସ୍ବାସ୍ଥ୍ୟଗତ କାରଣ ନେଇ ମେ’ ୪ରୁ ମାସେ ଛୁଟି ନେଇଥିଲେ ବିବାଦୀୟ ଆଇପିଏସ ଅଫିସର ଆଶିଷ ସିଂ । ଛୁଟିରେ ଯାଇ ସେ ନିର୍ବାଚନରେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗ ପରେ ଭାରତୀୟ ନିର୍ବାଚନ କମିଶନ ଏମସ ମେଡିକାଲ ବୋର୍ଡ ଗଠନ କରି ଆଇପିଏସ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଶାରିରୀକ ଓ ମାନସିକ ସ୍ତରରେ ଆଶିଷ ସିଂ ସମ୍ପୂର୍ଣ୍ଣ ସୁସ୍ଥ ଥିବା ମେଡିକାଲ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ଏହାପରେ ତାଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ହୋଇଥିଲା । ଏହା ପରେ ଗୃହ ବିଭାଗ ଆଶିଷ ଚାକିରିରେ ଯୋଗ ଦେଲେଣି କି ନାହିଁ ବୋଲି ଚିଠି କରି ପୋଲିସ୍ ଡିଜିଙ୍କୁ ପଚାରିଥିଲା । ଜୁନ୍ ୩ରୁ ଆଶିଷ ଚାକିରିରେ ଯୋଗ ଦେଇଥିଲେ ବୋଲି ସ୍ପଷ୍ଟୀକରଣ ଦେଇଥିଲା ଗୃହ ବିଭାଗ । ଆଉ ଆଜି ଆଶିଷଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତ କରାଯାଇଛି ।

ତେବେ କହିରଖୁଛୁ, ରାଜ୍ୟରେ ଏବେ ଆଇଏଏସ ଓ ଆଇପିଏସ୍ ସ୍ତରରେ ବଡ ଅଦଳବଦଳ କରିଛନ୍ତି ମୋହନ ସରକାର । ଯେଉଁ କ୍ରମରେ ଆଇପିଏସ ଅଫିସର ଆଶିଷ ସିଂଙ୍କୁ ଗୃହ ବିଭାଗରେ ନିଯୁକ୍ତ କରାଯାଇଛି ।

Comments are closed.