ନୂଆଦିଲ୍ଲୀ: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗିରହିଛି । ଏହି ସମୟ ମଧ୍ୟରେ ଓମାନ୍ ଉପକୂଳରେ ଏକ ତୈଳ ଟ୍ୟାଙ୍କର ଉପରେ ମିସାଇଲ୍ ମାଡ଼ ହୋଇଛି । ଏଥିରେ ୧୫ ଜଣ ଭାରତୀୟ କ୍ରିଉ ସଦସ୍ୟ ଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ କ୍ରିଉ ସଦସ୍ୟ ଗୁରୁତର ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ।
ଓମାନର ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ଏକ୍ସ ପୋଷ୍ଟରେ କହିଛି ଯେ, ମୁସାଣ୍ଡମର ଖାସାବ ବନ୍ଦରରୁ ପ୍ରାୟ ୫ ନଟିକାଲ୍ ମାଇଲ୍ ଉତ୍ତରରେ ଏହି ଆକ୍ରମଣ ହୋଇଛି । ଏହା ପରେ ଜାହାଜରେ ଥିବା ୨୦ ଜଣ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି । ଟ୍ୟାଙ୍କର ଉପରେ କେଉଁ ଭଳି ଯୁଦ୍ଧାସ୍ତ୍ର ମାଡ଼ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।
ଅଧିକାରୀମାନଙ୍କ କହିବା ଅନୁଯାୟୀ, ଆମେରିକା ଓ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବା ପରଠାରୁ ଇରାନ ରେଡିଓ ମାଧ୍ୟମରେ ଏହି କରିଡର ଦେଇ ଯାଉଥିବା ଜାହାଜଗୁଡ଼ିକୁ ଧମକ ଦେଉଛି ।