ନୂଆଦିଲ୍ଲୀ: ଇରାନ ସରକାର ଭାରତୀୟ ନାଗରିକଙ୍କ ପାଇଁ ଭିସା ମୁକ୍ତ ପ୍ରବେଶ ସୁବିଧାକୁ ୨୨ ନଭେମ୍ବର ୨୦୨୫ରୁ ସଂପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ଏହି ନିଷ୍ପତ୍ତି ଯୋଗୁ ସାଧାରଣ ପାସପୋର୍ଟ ଥିବା ଭାରତୀୟଙ୍କୁ ଇରାନ ଯିବା କିମ୍ବା କେବଳ ଏୟାରପୋର୍ଟରେ ଟ୍ରାନଜିଟ କରିବା ପାଇଁ ମଧ୍ୟ ଭିସା ବାଧ୍ୟତାମୂଳକ ହେବ । ଏୟାରଲାଇନ୍ସକୁ ମଧ୍ୟ ବୋର୍ଡିଂ ସମୟରେ ଭିସା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
କାହିଁକି ବନ୍ଦ ହେଲା ଭିସା ମୁକ୍ତ ସୁବିଧା ?
ଏହା କେବଳ କାଗଜପତ୍ରର ନିୟମ ନୁହେଁ, ବରଂ ଅତ୍ୟନ୍ତ ଗମ୍ଭୀର କାରଣ ଉପରେ ଆଧାରିତ । ଭାରତ ବୈଦେଶିକ ମନ୍ତ୍ରଣାଳୟ (MEA) ତୁରନ୍ତ ଚେତାବନୀ ଜାରି କରିଛି ଯେ, ଅନେଥରାଇଜଡ ଏଜେଣ୍ଟମାନେ ଭିସା ମୁକ୍ତ ଯାତ୍ରାର ଲୋଭ ଦେଖାଇ ଲୋକଙ୍କୁ ଠକୁଛନ୍ତି । ଗତ କିଛି ମାସରେ ଅନେକ ଭାରତୀୟଙ୍କୁ ନକଲି ଚାକିରି କିମ୍ବା ତୃତୀୟ ଦେଶକୁ ଟ୍ରାନଜିଟର ନାଁରେ ଇରାନ ପଠାଯାଇଛି । ପହଞ୍ଚିବା ପରେ ସେମାନଙ୍କୁ ଅପହରଣ କରି ଛାଡ଼ିବା ଦାବିରେ କୋଟି କୋଟି ଟଙ୍କା ମାଗିଛନ୍ତି ଅପରାଧିକ ଏଜେଣ୍ଟମାନେ । ଇରାନ ପକ୍ଷରୁ କୁହାଯାଇଛି ଯେ, ଅପରାଧିକ ତତ୍ତ୍ୱମାନେ ଏହି ଭିସା ମୁକ୍ତ ବ୍ୟବସ୍ଥାର ଅପପବ୍ୟବହାର କରି ମାନବ ତସ୍କରି ଓ ଅପହରଣ କରୁଛନ୍ତି । ତେଣୁ ଏହି କଡା ପଦକ୍ଷେପ ନିଆଯାଇଛି ।
ଭିସା ଖର୍ଚ୍ଚ କେତେ ପଡ଼ିବ ?
ନୂଆ ନିୟମ ଅନୁଯାୟୀ ଭାରତୀୟଙ୍କ ପାଇଁ ଇରାନ ଟୁରିଷ୍ଟ ଭିସା (୧ ବର୍ଷ ଯାଏ, ସିଙ୍ଗଲ/ମଲ୍ଟି ଏଣ୍ଟ୍ରି) ଫିସ୍ ପ୍ରାୟ ୧୦୦ ଡଲାର (ପ୍ରାୟ ୮,୩୦୦ ଟଙ୍କା) । ୧ରୁ ୫ ବର୍ଷର ମଲ୍ଟି ଏଣ୍ଟ୍ରି ଭିସା ପାଇଁ ୨୦୦ ଡଲାର (ପ୍ରାୟ ୧୬,୬୦୦ ଟଙ୍କା) ଲାଗିପାରେ । ରୋଜଗାର ଭିସା ଅଲଗା ଏବଂ ଅଧିକ ମହଙ୍ଗା । ଟ୍ରାନଜିଟ ଭିସା (୧୫ ଦିନ) ପାଇଁ ପ୍ରାୟ ୨୦ ଡଲାର (୧,୬୦୦ ଟଙ୍କା ଆଖପାଖ) ଲାଗିଥାଏ ।
ବୈଦେଶିକ ମନ୍ତ୍ରଣାଳୟ ସମସ୍ତ ଭାରତୀୟଙ୍କୁ ଚେତାବନୀ ଦେଇଛନ୍ତି ଯେ, କୌଣସି ଏଜେଣ୍ଟର ଭିସା ମୁକ୍ତ ଯାତ୍ରା କିମ୍ବା ଇରାନ ମାଧ୍ୟମରେ ଅନ୍ୟ ଦେଶକୁ ଯିବାର ଲୋଭରେ ନପଡ଼ନ୍ତୁ । ଏହା ପ୍ରାଣଘାତକ ହୋଇପାରେ ।
Comments are closed.