ୱାଶିଂଟନ: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ କୂଟନୈତିକ ଆଲୋଚନା ଅଟକି ରହିଥିବା ବେଳେ ଇରାନକୁ ନେଇ ଏକ ଚାଞ୍ଚଲ୍ୟକର ଗୁଇନ୍ଦା ରିପୋର୍ଟ ସାମ୍ନାକୁ ଆସିଛି। ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ଇରାନ ‘ଡର୍ଟି ବମ୍’ କିମ୍ବା ରାସାୟନିକ ଅସ୍ତ୍ର ମାଧ୍ୟମରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଛି । ୭ ଜଣ ବରିଷ୍ଠ ଆମେରିକୀୟ ଅଧିକାରୀଙ୍କ ସୂତ୍ରରୁ ସିଏନ୍ଏନ୍ ଏହି ରିପୋର୍ଟ ପ୍ରକାଶ କରିଛି।
ଗୁଇନ୍ଦା ସୂଚନା ଅନୁଯାୟୀ, ଇରାନର ଏହି ସମ୍ଭାବ୍ୟ ଆକ୍ରମଣର ମୁଖ୍ୟ ଟାର୍ଗେଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ରହିଛନ୍ତି। କିଛି ନିର୍ଦ୍ଦିଷ୍ଟ ସ୍ଥାନ ଓ ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରିବା ନେଇ ସୂଚନା ମିଳିବା ପରେ ୱାଶିଂଟନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଜରୁରୀକାଳୀନ ପ୍ରସ୍ତୁତି ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଟ୍ରେଜେରୀ ସଚିବ ସ୍କଟ୍ ବେସେଣ୍ଟ, ବୈଦେଶିକ ସଚିବ ମାର୍କୋ ରୁବିଓ ଏବଂ ପ୍ରତିରକ୍ଷା ମୁଖ୍ୟ ପିଟ୍ ହେଗସେଥଙ୍କ ଭଳି ବରିଷ୍ଠ ଅଧିକାରୀମାନେ ନିଜ ବାସଭବନ ଛାଡ଼ି ସାମରିକ ଘାଟିକୁ ସ୍ଥାନାନ୍ତରିତ ହୋଇଛନ୍ତି।
ଅନ୍ୟପକ୍ଷରେ, ହ୍ୱାଇଟ୍ ହାଉସ୍ ମୁଖପାତ୍ର ଲରେନ୍ ବିସ୍ ସ୍ପଷ୍ଟ କରିଛନ୍ତି ଯେ ଦେଶ ପ୍ରତି ବର୍ତ୍ତମାନ କୌଣସି ପ୍ରତ୍ୟକ୍ଷ ବିପଦ ନାହିଁ ଏବଂ ପ୍ରଶାସନ ପ୍ରତ୍ୟେକ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ଯୁଦ୍ଧ ଓ ଆର୍ଥିକ ସଙ୍କଟ ଯୋଗୁଁ ହତାଶ ହୋଇ ଇରାନ ଏଭଳି ବିକଳ୍ପ ଉପରେ ବିଚାର କରୁଥିବା ଆମେରିକୀୟ ଅଧିକାରୀମାନେ ମନେ କରୁଛନ୍ତି। ତେବେ ଇରାନ ପାଖରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକୀୟ ସାମର୍ଥ୍ୟ ବା ଲୋକବଳ ଅଛି କି ନାହିଁ, ସେନେଇ ସନ୍ଦେହ ରହିଛି।
ସୂଚନାଯୋଗ୍ୟ ଯେ ‘ଡର୍ଟି ବମ୍’ ଏକ ପାରମ୍ପରିକ ବିସ୍ଫୋରକ, ଯେଉଁଥିରେ ତେଜସ୍କ୍ରିୟ ପଦାର୍ଥ ମିଶ୍ରିତ ହୋଇଥାଏ। ଏହା ପରମାଣୁ ବୋମା ଭଳି ବିଧ୍ୱଂସକ ନହେଲେ ମଧ୍ୟ ବିସ୍ଫୋରଣ ପରେ ବ୍ୟାପକ ଅଞ୍ଚଳରେ ବିକିରଣ ଓ ଆତଙ୍କ ସୃଷ୍ଟି କରିପାରେ। ଇତିମଧ୍ୟରେ କୌଣସି ଆମେରିକୀୟ ଅଧିକାରୀଙ୍କ କ୍ଷତି ହେଲେ ଇରାନର ଅସ୍ତିତ୍ୱ ରହିବ ନାହିଁ ବୋଲି ରାଷ୍ଟ୍ରପତି ଟ୍ରମ୍ପ କଡ଼ା ଚେତାବନୀ ଦେଇଛନ୍ତି।
