Latest Odisha News

BREAKING NEWS

ମିସାଇଲ୍ ପ୍ରସ୍ତୁତ…ଏବେ ଘମାଘୋଟ ଯୁଦ୍ଧ !

ନୂଆଦିଲ୍ଲୀ : ଟ୍ରମ୍ପଙ୍କ ଧମକ, ଆଖି ଦେଖାଇଲା ଇରାନ୍ । ପରମାଣୁ ଚୁକ୍ତି ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବକୁ କଲା ଖାରଜ । ବୋମାମାଡ଼ ନେଇ ଟ୍ରମ୍ପଙ୍କ ଚେତାବନୀ । ରେଡି ଟୁ ଲଞ୍ଚ ମୋଡରେ ଇରାନର ମିସାଇଲ୍ । ଆମେରିକା-ଇରାନ୍ ମଧ୍ୟରେ ହେବାକୁ ଯାଉଛି କି ଯୁଦ୍ଧ? ପରମାଣୁ ଚୁକ୍ତିକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ସଂପର୍କ ବିଗିଡିବାରେ ଲାଗିଛି । ପରମାଣୁ କାର୍ଯ୍ୟକ୍ରମ ସଂପର୍କରେ ଆମେରିକାର ଚିଠି ନେଇ ଆଲୋଚନା କରିବାକୁ ସିଧା ମନା କରି ଦେଇଛନ୍ତି ଇରାନ ରାଷ୍ଟ୍ରପତି ମସୁଦ ପେଜେକ୍ସିୟାନ । ଏହାପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ବଢିବାରେ ଲାଗିଛି ।

ବୋମାମାଡ଼ ଧମକ, ମିସାଇଲ୍ ଜବାବ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଇରାନକୁ ପରମାଣୁ ଚୁକ୍ତି କରିବାକୁ ପ୍ରସ୍ତାବ ଦେଇଥିଲେ । ଚୁକ୍ତି ନେଇ ସହମତ ନହେଲେ ଇରାନ୍ ଉପରେ ବୋମାମାଡ଼ କରିବାକୁ ଚେତାବନୀ ଦେଇଥିଲେ ଟ୍ରମ୍ପ। ଏଭଳି ବୋମାମାଡ଼ ହେବ, ଯାହା ସେମାନେ କେବେ ଦେଖିନଥିବେ ବୋଲି ଟ୍ରମ୍ପ କହିଥିଲେ । ଏହାସହ ଇରାନ ଉପରେ ସେକେଣ୍ଡାରୀ ଟାରିଫ ଲଗାଇବେ ବୋଲି ଚେତାବନୀ ଦେଇଛନ୍ତି । ୪ବର୍ଷ ପୂର୍ବରୁ ଏଭଳି ଟାରିଫ ଲଗାଯାଇଥିଲା । ତେବେ ଟ୍ରମ୍ପଙ୍କ ଧମକର କିଛି ଘଣ୍ଟା ପରେ ହିଁ ଜବାବ ରଖିଛି ଇରାନ୍। ଆମେରିକାର ପ୍ରସ୍ତାବକୁ ଖାରଜ କରିବା ସହ ସିଧାସଳଖ ଆଲୋଚନାକୁ ଖାରଜ କରିଛନ୍ତି ଇରାନ ରାଷ୍ଟ୍ରପତି ମସୁଦ ପେଜେକ୍ସିଆନ୍। ତେବେ ଓମାନ ମଧ୍ୟସ୍ଥତାରେ ପରୋକ୍ଷ ଆଲୋଚନା ନେଇ ସେ ସଂକେତ ଦେଇଛନ୍ତି । ଏହାସହ ଇରାନ ନିଜ ମିସାଇଲ୍ ଲଞ୍ଚର ଲୋଡ୍ କରିଥିବା ଜଣାପଡିଛି ।

ଆମେରିକା-ଇରାନ୍ ମଧ୍ୟରେ କାହିଁକି ବିବାଦ?
୨୦୧୫ରେ ଆମେରିକା, ଇରାନ, ୟୁକେ, ଫ୍ରାନ୍ସ, ଜର୍ମାନୀ, ଚୀନ ଓ ଋଷ ମଧ୍ୟରେ ପରମାଣୁ ଚୁକ୍ତି ହୋଇଥିଲା । ଏଥିରେ ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମ ସୀମିତ ରଖିବାକୁ ସହମତ ହୋଇଥିଲା । ବଦଳରେ ଟ୍ୟାକ୍ସ ସଂପର୍କିତ ଆଶ୍ବସ୍ତି ଦେବାକୁ କୁହାଯାଇଥିଲା । ଏହାପରେ ଆମେରିକା ସମେତ ଅନ୍ୟ ଦେଶ ଇରାନ ଉପରେ ଲାଗିଥିବା କଟକଣା କୋହଳ କରିଥିଲେ । ତେବେ ରାଷ୍ଟ୍ରପତି ଭାବେ ପ୍ରଥମ କାର୍ଯ୍ୟକାଳ ସମୟରେ ଟ୍ରମ୍ପ ଚୁକ୍ତିରୁ ବାହାରି ଯାଇଥିଲେ । ଏହାପରେ ଇରାନ ଉପରେ ପୁଣି କଟକଣା ଲଗାଯାଇଥିଲା । ଇରାନ ନିଜ ପରମାଣୁ କାର୍ଯ୍ୟକ୍ରମ ବଢାଇଥିଲା । ଏବେ ଇରାନ ବ୍ୟାପକ ଭାବେ ୟୁରାନିୟମ ଠୁଳ କରୁଛି, ଯାହା ୨୦୧୫ରେ ସ୍ଥିର ହୋଇଥିବା ସୀମାଠାରୁ ବେଶ୍ ଅଧିକ ।

କାହା ପାଖରେ କେତେ ଯୁଦ୍ଧାସ୍ତ୍ର?
ଆମେରିକାର ବୋମାମାଡ଼ ଚେତାବନୀ, ଇରାନର ମିସାଇଲ୍ ଉତ୍ତର । ଏହାପରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ନେଇ ଆଶଙ୍କା ବଢିବାରେ ଲାଗିଛି । ତେବେ ପ୍ରଶ୍ନ ଉଠୁଛି, ଯଦି ଯୁଦ୍ଧ ହୁଏ, ତେବେ କାହା ପାଖରେ କେତେ ଯୁଦ୍ଧାସ୍ତ୍ର? କୁହାଯାଉଛି, ଇରାନ ପାଖରେ ପୂରା ମଧ୍ୟପ୍ରାଚ୍ୟରେ ବାଲିଷ୍ଟିକ ମିସାଇଲର ସବୁଠୁ ବଡ଼ ଭଣ୍ଡାର ରହିଛି । ୩ହଜାରରୁ ଅଧିକ ବାଲିଷ୍ଟିକ ମିସାଇଲର ଶସ୍ତ୍ରାଗାର ରହିଛି । ଗତ ୧୦ବର୍ଷ ମଧ୍ୟରେ ଇରାନ ମିସାଇଲର ମାରକ କ୍ଷମତାକୁ ବଢାଇଛି । ଇରାନ ପାଖରେ ଫତେହ-୧୧୦ର ମିସାଇଲ ଅଛି, ଯାହାକୁ ଖୁବ୍ କମ ସମୟ ମଧ୍ୟରେ ମୋବାଇଲ୍ ଲଞ୍ଚରରୁ ଛଡା ଯାଇପାରିବ । ତେବେ ଇରାନ୍ ପରମାଣୁ ବୋମା ପ୍ରସ୍ତୁତ କରିଛି କି ନାହିଁ, ତାହା ଏବେବି ରହସ୍ୟ ଘେରରେ ରହିଛି । ଇରାନକୁ ମିସାଇଲ ଉତ୍ପାଦନରେ ଆତ୍ମନିର୍ଭର କରିବା ଦିଗରେ ଚୀନ୍ ଓ ଉତ୍ତର କୋରିଆର ସହଯୋଗ ମିଳୁଛି । ଆମେରିକା ପାଖରେ ବି ମିସାଇଲର ବିଶାଳ ଭଣ୍ଡାର ରହିଛି । ଆନ୍ତ-ମହାଦେଶୀୟ ବାଲିଷ୍ଟିକ୍ ମିସାଇଲ୍ ସହ ବୁଡାଜାହାଜରୁ ଟାର୍ଗେଟ୍ କରୁଥିବା ମିସାଇଲ୍ ବି ରହିଛି । ଏହାସହ ଆମେରିକା ପାଖରେ ଗ୍ରାଉଣ୍ଡ ବେସଡ ମିଡକୋର୍ସ ଡିଫେନ୍ସ ବ୍ୟବସ୍ଥା ରହିଛି । ଏଥିରେ ରାଡାର ଓ ସାଟେଲାଇଟର ଉପଯୋଗ କରି ଶତ୍ରୁପକ୍ଷର ମିସାଇଲକୁ ରୋକିବା ନେଇ ଡିଜାଇନ୍ କରାଯାଇଛି । ଜଳ, ସ୍ଥଳ ଓ ଆକାଶରୁ ହମଲା କରିପାରୁଥିବା ମିସାଇଲ୍ ପ୍ରସ୍ତୁତ କରିଛି ଆମେରିକା । ଆମେରିକା ପାଖରେ ଅତ୍ୟାଧୁନିକ ରାଡାର ସିଷ୍ଟମ ରହିଛି, ଯାହାଦ୍ବାରା ଯେକୌଣସି ମିସାଇଲକୁ ଟ୍ରାକ କରିବା ସହ ଶେଷ କରିହେବ । ତେଣୁ ଇରାନ୍ ଆମେରିକା ଉପରେ ଆକ୍ରମଣ କଲେ ବି ଏହା ସେଭଳି ପ୍ରଭାବ ପକାଇ ପାରିବନି ବୋଲି ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

Comments are closed.