Latest Odisha News

BREAKING NEWS

ଇସ୍ରାଏଲ୍ ସହ ଲଢେଇରେ ଇରାନର ବାଜିମାତ୍ !

ନୂଆଦିଲ୍ଲୀ: ଇତିହାସର ସବୁଠୁ ବଡ଼ ସେନା ସଂକଟର ସାମନା କରୁଛି ଇରାନ । ହେଲେ ଗତ ସପ୍ତାହେ ହେଲା ଦେଶର ସୁପ୍ରିମ ଲିଡର ଅୟାତୁଲ୍ଲା ଖୋମେନେଇଙ୍କୁ ସାର୍ବଜନୀନ ଭାବେ ଦେଖିବାକୁ ମିଳିନଥିଲା। ୮୬ବର୍ଷୀୟ ଖୋମେନେଇଙ୍କ ନିରବତା ସାରା ଦେଶରେ ଚିନ୍ତା, ଆକଳନ ଓ ଅନିଶ୍ଚିତତା ବଢାଇଥିଲା । ଇରାନର ତିନି ପ୍ରମୁଖ ପରମାଣୁ କେନ୍ଦ୍ର ଫୋର୍ଡୋ, ନତାଞ୍ଜ ଓ ଇସ୍ଫାହାନ ଉପରେ ଆମେରିକା ଆକ୍ରମଣ କଲା । ଇରାନ ଉପରେ ଲଗାତର ମିସାଇଲ୍ ମାଡ କଲା ଇସ୍ରାଏଲ୍ । ଏହାପରେ ତିନିଦିନ ହେଲା ଯୁଦ୍ଧବିରତି ବି ହୋଇ ସାରିଲାଣି । ହେଲେ ଏହା ମଧ୍ୟରେ ଖୋମେନେଇଙ୍କୁ ଦେଖିବାକୁ ମିଳିନଥିଲା । ତେବେ ଏତେ ଦିନର ନିରବତା ପରେ ମୁହଁ ଖୋଲିଛନ୍ତି ଖୋମେନେଇ ।

ଇସ୍ରାଏଲ୍ ସହ ଲଢେଇରେ ଇରାନର ବାଜିମାତ୍ !

ଅନେକ ଦିନର ନିରବତା ପରେ ମୁହଁ ଖୋଲିଛନ୍ତି ଇରାନର ସୁପ୍ରିମ ଲିଡର ଖୋମେନେଇ । ଇରାନର ଆକ୍ରମଣ ଇସ୍ରାଏଲକୁ ମାତ୍ ଦେଇଥିଲା । ଫଳରେ ଇସ୍ରାଏଲ୍ ଯୁଦ୍ଧବିରତି ପାଇଁ ବାଧ୍ୟ ହୋଇଥିବା ଖୋମେନେଇ କହିଛନ୍ତି । ଗୁରୁବାର ଇରାନର ସରକାରୀ ଗଣମାଧ୍ୟମରେ ଦେଶବାସୀଙ୍କୁ ସେ ସନ୍ଦେଶ ଜାରି କରିଛନ୍ତି । ଜୁନ୍ ୨୪ତାରିଖରେ ଯୁଦ୍ଧବିରତି ପରେ ଏହା ଖୋମେନେଇଙ୍କ ପ୍ରଥମ ପ୍ରତିକ୍ରିୟା । ତାଙ୍କର ସାର୍ବଜନୀନ ବୟାନ ନଆସିବାକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା । ତେବେ ଖୋମେନେଇଙ୍କ ବୟାନ ଆସିବା ପରେ ସେ ଗାଏବ ହେବା ନେଇ ହେଉଥିବା ଚର୍ଚ୍ଚାରେ ବ୍ରେକ୍ ଲାଗିଛି ।

ଗୋପନ ଠିକଣାରେ ଲୁଚିଛନ୍ତି ଖୋମେନେଇ !

ଗତ କିଛି ଦିନ ହେଲା ଖୋମେନେଇଙ୍କ କୌଣସି ଫଟୋ କିମ୍ବା ସନ୍ଦେଶ ପ୍ରସାରିତ କରିନଥିଲା ଇରାନୀ ଗଣମାଧ୍ୟମ । ଗୁଇନ୍ଦା ସୂଚନା ଅନୁସାରେ, ତାଙ୍କୁ ଏକ ଗୋପନ ଠିକଣାକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଖୋମେନେଇ କୌଣସି ଇଲେକ୍ଟ୍ରୋନିକ୍ସ ଯୋଗାଯୋଗ କରୁନାହାନ୍ତି । ସମ୍ଭାବ୍ୟ ହତ୍ୟା ଷଡ଼ଯନ୍ତ୍ରରୁ ରକ୍ଷା ପାଇବା ପାଇଁ ଏପରି କରାଯାଇଥିବା କୁହାଯାଉଛି । ଟ୍ରମ୍ପ ସୁପ୍ରିମ ଲିଡର ଖୋମେନେଇଙ୍କୁ ହତ୍ୟା ନକରିବାକୁ ପରାମର୍ଶ ଦେଇଛନ୍ତି । ତେବେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହି ସମ୍ଭାବନାକୁ ଏଡାଇ ନଥିବା ନ୍ୟୁୟର୍କ ଟାଇମ୍ସର ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଇସ୍ରାଏଲକୁ ନେଇ ଭୟ !

ଯୁଦ୍ଧ ବିରତି ସମୟରେ ବି ଇସ୍ରାଏଲ୍ ଖୋମେନେଇଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିପାରେ ବୋଲି ବୋଲି ରାଜନୈତିକ ବିଶେଷଜ୍ଞ ଆଶଙ୍କା କରୁଥିବା ନ୍ୟୁୟର୍କ ଟାଇମ୍ସରେ ଉଲ୍ଲେଖ କରାଯାଇଛି । ସେଥିପାଇଁ ଖୋମେନେଇଙ୍କର ବାହାର ଦୁନିଆ ସହ ସୀମିତ ସଂପର୍କ ଓ ତାଙ୍କ ସୁରକ୍ଷାକୁ କଡାକଡି କରାଯାଇଥିବା କୁହାଯାଇଥିଲା । ତେବେ ଖୋମେନେଇ ଦୂରରେ ରହି ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି । ଏହାକୁ ନେଇ ଖୋମେନେଇଙ୍କ ସମର୍ଥକ ସନ୍ତୁଷ୍ଟ ନଥିଲେ । ସର୍ବୋଚ୍ଚ ନେତାଙ୍କୁ ନଦେଖିବା ପର୍ଯ୍ୟନ୍ତ କିମ୍ବା ତାଙ୍କ ମୁହଁରୁ ନଶୁଣିବା ପର୍ଯ୍ୟନ୍ତ ସେମାନେ ଇରାନ ଇସ୍ରାଏଲକୁ ହରାଇ ବିଜୟୀ ହୋଇଥିବା ଗ୍ରହଣ କରିପାରୁନଥିଲେ । ତେବେ ଅନେକ ଅପେକ୍ଷା ପରେ ଖୋମେନେଇଙ୍କ ବୟାନ ଆସିଛି । ପ୍ରଥମେ ତାଙ୍କର ଛୋଟ ବୟାନ ଜାରି କରାଯାଇଥିବା ବେଳେ ପରେ ବଡ଼ ଭିଡିଓ ଜାରି କରାଯାଇପାରେ । ଏଥିରେ ଆକ୍ରମଣକୁ ନେଇ ଅଧିକ ସୂଚନା ସହ ଦେଶର ରଣନୀତି ସଂପର୍କରେ କହିପାରନ୍ତି ଖୋମେନେଇ ।

ଜୁନ୍ ୧୩ତାରିଖରେ ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ଇସ୍ରାଏଲର ଆକ୍ରମଣରେ ଇରାନର ଶୀର୍ଷ ସେନା ଅଧିକାରୀ ଓ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଥିଲା । ଜବାବି ଆକ୍ରମଣରେ ଇରାନ ୫ଶହରୁ ଅଧିକ ମିସାଇଲ୍ ଓ ହଜାରେରୁ ଅଧିକ ଡ୍ରୋନ୍ ମାଡ କରିଥିଲା । ଏହା ମଧ୍ୟରେ ଅନେକ ମିସାଇଲ୍ ପ୍ରଥମ ଥର ପାଇଁ ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମକୁ ଚକମା ଦେବାରେ ସଫଳ ହୋଇଥିଲା । ଯୁଦ୍ଧରେ ଇରାନର ୬୨୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫ହଜାର ଜଣ ଆହତ ହୋଇଥିଲେ । ସେପଟେ ଇସ୍ରାଏଲରେ ୨୮ଜଣଙ୍କ ଜୀବନ ଯାଇଛି ।

Comments are closed.