ନୂଆଦିଲ୍ଲୀ: ‘ଭଗବାନଙ୍କ ଶତ୍ରୁ’ ହେଉଛନ୍ତି ଟ୍ରମ୍ପ ଓ ନେତାନ୍ୟାହୁ। ଇରାନର ଶୀର୍ଷ ସିଆ ଧର୍ମଗୁରୁ ଗ୍ରାଣ୍ଡ ଆୟତୋଲ୍ଲା ନାସେର ମାକାରେମ୍ ଶିରାଜି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିରୁଦ୍ଧରେ ଏକ କଠୋର ଫତୱା ଜାରି କରିଛନ୍ତି।
ଏହି ଫତୱାରେ ଉଭୟ ନେତାଙ୍କୁ ‘ଭଗବାନଙ୍କ ଶତ୍ରୁ’ ବୋଲି କୁହାଯିବା ସହ ବିଶ୍ୱର ମୁସଲମାନମାନଙ୍କୁ ଏକତ୍ରିତ ହୋଇ ସେମାନଙ୍କୁ କ୍ଷମତାଚ୍ୟୁତ କରିବାକୁ ନିବେଦନ ମଧ୍ୟ କରାଯାଇଛି।
ଇସ୍ରାଏଲ ଏବଂ ଆମେରିକା ସହିତ ୧୨ ଦିନିଆ ଯୁଦ୍ଧ ପରେ ଏହି ଫତୱା ଆସିଛି। ଇରାନର ମେହର ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଆୟାତୋଲ୍ଲା ମାକାରେମ୍ କହିଛନ୍ତି, “ଯେକୌଣସି ବ୍ୟକ୍ତି କିମ୍ବା ସରକାର ଯିଏ ଆମ ନେତା କିମ୍ବା ମାର୍ଜା (ଧାର୍ମିକ ନେତା)ଙ୍କୁ ଧମକ ଦିଏ ତାଙ୍କୁ ‘ମୋହାରେବେ’ (ଯେଉଁ ବ୍ୟକ୍ତି ଈଶ୍ୱରଙ୍କ ବିରୁଦ୍ଧରେ ଲଢ଼ନ୍ତି) ବୋଲି ବିବେଚନା କରାଯିବ।”
ଇରାନୀ ଆଇନ ଅନୁଯାୟୀ, ‘ମୋହାରେ’କୁ ମୃତ୍ୟୁଦଣ୍ଡ, କ୍ରୁଶବିଦ୍ଧ, ଅଙ୍ଗପ୍ରତ୍ୟଙ୍ଗ କାଟ କିମ୍ବା ନିର୍ବାସନ ଭଳି ଦଣ୍ଡ ଦିଆଯାଇପାରିବ। ଫତୱାରେ କୁହାଯାଇଛି ଯେ ଏହି ‘ଶତ୍ରୁମାନଙ୍କୁ’ ସେମାନଙ୍କର ବୟାନ ଏବଂ ଭୁଲ ପାଇଁ ଅନୁତାପ କରାଇବା ପ୍ରତ୍ୟେକ ମୁସଲମାନଙ୍କ କର୍ତ୍ତବ୍ୟ। ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ଏହି ଶତ୍ରୁମାନଙ୍କୁ ସମର୍ଥନ କରିବା କୌଣସି ମୁସଲମାନ ଦେଶ କିମ୍ବା ବ୍ୟକ୍ତିଙ୍କ ପାଇଁ ହରାମ। ଫତୱା ଅନୁଯାୟୀ, ଯଦି ଜଣେ ମୁସଲମାନ ଏହି ତଥାକଥିତ ଜିହାଦରେ ଅସୁବିଧାର ସମ୍ମୁଖୀନ ହୁଏ କିମ୍ବା କ୍ଷତି ସହେ, ତେବେ ତାଙ୍କୁ ସ୍ୱର୍ଗରେ ‘ପରମେଶ୍ୱରଙ୍କ ରାସ୍ତାରେ ଯୋଦ୍ଧା’ ଭାବରେ ପୁରସ୍କୃତ କରାଯିବ।
Comments are closed.