Latest Odisha News

BREAKING NEWS

ହିତାଧିକାରୀଙ୍କ ଦୁଇ ମାସର ଚାଉଳ ହଡ଼ପ

ନବରଙ୍ଗପୁର: ପୁଣି ନଜରକୁ ଆସିଲା ଚାଉଳ ବଣ୍ଟନରେ ଅନିୟମିତତା। ପିଡ଼ିଏସ ଚାଉଳ ବଣ୍ଟନ କରିବାର ଦାୟିତ୍ୱ ଯାହା ଉପରେ ନ୍ୟସ୍ତ ଥିଲା, ସେ ଖାଇଗଲେ ୯ ଶହରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଚାଉଳ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡେଙ୍ଗାଗୁଡା ପଞ୍ଚାୟତରେ ଘଟିଛି ଏଭଳି ଚାଉଳ ହଡ଼ପ ଘଟଣା। ଏହି ପଞ୍ଚାୟତର ୧ ରୁ ୬ ନମ୍ବର ୱାର୍ଡର ନଅ ଶହରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସର ୧ ଶହ କୁଇଣ୍ଟାଲରୁ ଊର୍ଦ୍ଧ୍ବ ପିଡ଼ିଏସ ଚାଉଳ ହଡ଼ପ କରାଯାଇଛି।

ହିତାଧିକାରୀ ତାଙ୍କ ହକ୍ର ଚାଉଳ ନେବାପାଇଁ ବାରମ୍ବାର ପଞ୍ଚାୟତ ଅଫିସ ଧାଇଁଥିଲେ ମଧ୍ୟ ପାଇନଥିଲେ ଚାଉଳ। ପରେ ନିରାଶ ହୋଇ ସ୍ଥାନୀୟ ସରପଞ୍ଚଙ୍କ ସହ ହିତାଧିକାରୀ ମାନେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ।ଜିଲ୍ଲାପାଳ ଅଭିଯୋଗ ଶୁଣିବାପରେ ନବରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ହିତାଧିକାରୀଙ୍କ ଚାଉଳ ହଡ଼ପ କରିବା ଘଟଣା କିଛି ନୂଆ ନୁହଁ କିଛି ଦିନ ପୂର୍ବରୁ ତେନ୍ତୁଳିଖୁଣ୍ଟି ବ୍ଲକ ଅଁଳାଭଟ୍ଟା ପଞ୍ଚାୟତରେ ଯୋଗାଣ ସହାୟକ,ପିଇଓ ମିଶି ହିତାଧିକାରୀଙ୍କ ୩ ମାସର ଚାଉଳ ହଡ଼ପ କରିବା ଘଟଣାରେ ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଥିଲା।

ଏବେ ପୁଣି ସେହି ଘଟଣା ପାପଡାହାଣ୍ଡି ବ୍ଲକରେ ଘଟିଛି। ସ୍ଥାନୀୟ ସରପଞ୍ଚ ଓ ହିତାଧିକାରୀଙ୍କ ଅଭିଯୋଗ ପରେ ଉପଜିଲ୍ଲାପାଳ ଏବଂ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ମିଳିତ ଭାବେ ଡେଙ୍ଗାଗୁଡ଼ା ପଞ୍ଚାୟତ ଯାଇ ସରଜମିନ ତଦନ୍ତ କରିଛନ୍ତି । ପ୍ରାଥମିକ ତଦନ୍ତରୁ ୧ଶହ କୁଇଣ୍ଟାଲ ଚାଉଳ ହେରଫେର ହୋଇଥିବା ନେଇ ଜଣା ପଡ଼ିଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ରିପୋର୍ଟ ପ୍ରସ୍ତୁତ ହେବାପରେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯିବ  । ପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.