କଟକ: ଗିରଫ ହେଲେ କୋଟିପତି ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ପରେ ଆଜି ତାଙ୍କୁ କଟକ ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ତଦନ୍ତ ସମୟରେ ପ୍ରମୋଦ ରାୟଙ୍କ ପାଖରୁ କୋଟି କୋଟି ଟଙ୍କାର ସମ୍ପତ୍ତି ମିଳିଥିଲା । ଏସମ୍ପର୍କରେ ତାଙ୍କୁ ପଚାରିବାରୁ ସେ ଏହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ଯାହାପରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।
ସୂଚନା ଅନୁସାରେ, ଏହି ଚଢାଉ ସମୟରେ ତାଙ୍କର ଭୁବନେଶ୍ୱରରେ ପ୍ରାୟ ୮ ହଜାର ବର୍ଗଫୁଟର ଏକ ଚାରି ମହଲା ଘର ଏବଂ ଚୌଦ୍ୱାରରେ ୫୨୦୦ ବର୍ଗଫୁଟର ଏକ ଦୁଇ ମହଲା କୋଠା ଠାବ କରାଯାଇଛି । ଏହା ସହିତ ଭୁବନେଶ୍ୱର ଓ ଚୌଦ୍ୱାରରେ ଦୁଇଟି ଦାମୀ ପ୍ଲଟ୍, ନଗଦ ୪.୪୮ ଲକ୍ଷ ଟଙ୍କା ଏବଂ ପ୍ରାୟ ୩୯.୨୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ମଧ୍ୟ ଜବତ ହୋଇଛି ।
ଗିରଫ ଯନ୍ତ୍ରୀ ନିଜ ଆୟ ଠାରୁ ୧୨୯ ପ୍ରତିଶତ ସମ୍ପତ୍ତି ଆୟବହିର୍ଭୁତ ଭାବେ ଠୁଳ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଭିଜିଲାନ୍ସ ଏସପି ।
ପ୍ରମୋଦ ରାୟ ୧୯୮୮ ମସିହାରେ ମାତ୍ର ୧୫୦୦ ଟଙ୍କା ଦରମାରେ ଜଣେ ଜୁନିୟର ଇଞ୍ଜିନିୟର ଭାବେ ଚାକିରି ଆରମ୍ଭ କରିଥିବା ବେଳେ କିଭଳି ଭାବେ ସେ ଏତେ ପରିମାଣର ସମ୍ପତ୍ତି ଠୁଳ କଲେ, ସେ ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି ।