Latest Odisha News

BREAKING NEWS

ଚର୍ଚ୍ଚାରେ ରାଜ୍ୟସଭା ନିର୍ବାଚନ: ହେବ କି ୨୦୧୯ର ପୁନରାବୃତ୍ତି !

ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥୀତ୍ୱ ଲାଗି ଏବେଠୁଁ ଶାସକ ବିଜୁ ଜନତା ଦଳ (ବିଜେଡ଼ି) ରେ ଆରମ୍ଭ ହୋଇଗଲାଣି ଲବି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡ଼ିର ଚାଲ୍ ଉପରେ ସମସ୍ତଙ୍କ ରହିଛି ନଜର । ୨୦୧୯ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡ଼ି ସମର୍ଥନ କରିଥିଲା ।

ବର୍ତ୍ତମାନର ରାଜନୀତି ପାଣିପାଗକୁ ଦୃଷ୍ଟିରେ ରଖି ବିଭିନ୍ନ କଳ୍ପନାଜଳ୍ପନା ଚର୍ଚ୍ଚାର ପରିସରକୁ ଆସିଛି । ରାଜନୈତୀକ ବିଶାରଦମାନେ ମଧ୍ୟ ଏବେଠୁ ବିଭିନ୍ନ ମତ ଦେଲେଣି । କଥାହେଲା, ଓଡ଼ିଶାର ୪ଟି ରାଜ୍ୟସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ । ସମୁଦାୟ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ବିଜେଡ଼ି ବିଧାୟକ ସଂଖ୍ୟା ହେଲେ ୧୧୩ । ବିଜେଡ଼ି ୪ଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇବ ନା ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପିକୁ ଗୋଟିଏ ଆସନ ଲାଗି ସମର୍ଥନ କରିବ । ତେବେ ୪ଟି ରାଜ୍ୟସଭା ଆସନ ମଧ୍ୟରୁ ଏହି ଆଞ୍ଚଳିକ ଦଳ ଚାହିଁଲେ ୩ଟି ଆସନ ସହଜରେ ଅକ୍ତିଆର କରିପାରିବ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ସେହିପରି ଭାବେ ବିଧାନସଭାରେ ବିଜେପିର ୨୩ ଜଣ ସଦସ୍ୟ ଅଛନ୍ତି, ନିଜ ପ୍ରଚେଷ୍ଟାରେ ଏହି ଦଳ ଗୋଟିଏ ହେଲେ ଆସନ ଅକ୍ତିଆର କରିପାରିବ ନାହିଁ । ଅନ୍ୟପକ୍ଷରେ ରାଜ୍ୟ ବିଧାନସଭାରେ କଂଗ୍ରେସ (୯), ସିପିଏମ (୧) ଏବଂ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି ।

ଯଦି କଂଗ୍ରେସ ଜଣେ ପ୍ରାର୍ଥୀଙ୍କୁ ଏହି ନିର୍ବାଚନରେ ଛିଡ଼ା କରାଏ ତେବେ ସିପିଏମ ସଦସ୍ୟଙ୍କ ସାହାଯ୍ୟ ନେଇପାରେ, ମାତ୍ର ଜଣେ ପ୍ରାର୍ଥୀଙ୍କ ଲାଗି ସର୍ବନିମ୍ନ ୧୦ ଜଣ ବିଧାୟକ ପ୍ରପୋଜର୍ ରହିବାର ନିୟମ ରହିଛି । ସେମିତି ବିଗତ କିଛି ରାଜ୍ୟସଭା ନିର୍ବାଚନକୁ ଦୃଷ୍ଟିରେ ରଖିଲେ ବିଜେପି ପ୍ରାୟତଃ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଛିଡ଼ା କରିଥାଏ ।

ଆସନ୍ତା ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ ହେବାକୁ ଥିବା ବେଳେ ଏପର୍ଯ୍ୟନ୍ତ କେତେଜଣ ପ୍ରାର୍ଥୀଙ୍କୁ ଏହି ନିର୍ବାଚନରେ ଛିଡ଼ା କରିବ ସେନେଇ ବିଜେଡ଼ି କିଛି ଘୋଷଣା କରିନାହିଁ । ବିଜେଡ଼ିର ନରେନ୍ଦ୍ର ସ୍ୱାଇଁ, ସରୋଜିନୀ ହେମ୍ବ୍ରମ, ଅନୁଭବ ମହାନ୍ତି ଏବଂ କଂଗ୍ରେସର ରଞ୍ଜୀବ ବିଶ୍ୱାଳଙ୍କ ସ୍ଥାନ ଖାଲି ପଡୁଥିବା ଯୋଗୁଁ ଏହି ନିର୍ବାଚନର ଆବଶ୍ୟକତା ହୋଇଛି । ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ଲକ୍ଷ୍ୟ କରି ରାଜନୈତିକ ବିଶାରଦ ମତ ଦିଅନ୍ତି ଯେ, ଏନେଇ ବିଜେଡ଼ି ଓ ବିଜେପି ବୁଝାମଣା କରିପାରନ୍ତି । ଲୋକସଭା ଅପେକ୍ଷା ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟିର ସଭ୍ୟ ସଂଖ୍ୟା ଅପେକ୍ଷାକୃତ କମ ଥିବା ଯୋଗୁଁ ବିଭିନ୍ନ ବିଲ୍ ପାସ କରିବା ବେଳେ କଷ୍ଟ ସ୍ୱୀକାର କରିବାକୁ ପଡୁଛି । ରାଜ୍ୟସଭାର ୨୪୫ଟି ସମୁଦାୟ ଆସନ ମଧ୍ୟରୁ ବିଜେପିର ୮୨ ଜଣ (ଏନଡ଼ିଏ ୯୭) ସଦସ୍ୟ ରହିଛନ୍ତି ।

କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ରାଜ୍ୟସଭା ନିର୍ବାଚନକୁ ନେଇ ମୁହଁ ଖୋଲିଛନ୍ତି । ଏହି ରାଜ୍ୟସଭା ନିର୍ବାଚନରେ ୨୦୧୯ର ପୁନରାବୃତ୍ତି ହେବ କି ବୋଲି ସାମ୍ବାଦିକଙ୍କ ଏକ ପ୍ରଶ୍ନରେ ଶ୍ରୀ ରାଉତରାୟ କହିଲେ, “ବିଭିନ୍ନ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ ଏହି ନିର୍ବାଚନରେ ୨ଟି ଆସନ ଛାଡ଼ିଦେବାର ସମ୍ଭାବନା ରହିଛି । ନିଜର ବଳିଷ୍ଠ ଭାବମୂର୍ତ୍ତୀ ଏବଂ ଶକ୍ତି ବଳରେ ମୁଖ୍ୟମନ୍ତ୍ରୀ ଶାସନ କ୍ଷମତାରେ ରହିପାରିଛନ୍ତି, ତେବେ କେଉଁ କାରଣ ଲାଗି ଆପୋଷ ବୁଝାମଣା କରୁଛନ୍ତି ତାହା ମୁଁ ବୁଝିପାରୁନାହିଁ,” ଏହା କହିଛନ୍ତି ଶ୍ରୀ ରାଉତରାୟ ।

ବିଜେଡ଼ି ୨୦୧୯ ରାଜ୍ୟସଭା ନିର୍ବାଚନରେ ପୂର୍ବତନ ଆଇଏଏସ ଅଧିକାରୀ ଶ୍ରୀ ବୈଷ୍ଣବଙ୍କୁ ସମର୍ଥନ କରିବା ପରେ ସେତେବେଳେ ଏହା ଚର୍ଚ୍ଚାର ପରିସରକୁ ଆସିଥିଲା । ଏହାପରେ ଉଭୟ ଦଳ ମଧ୍ୟରେ କ୍ରମେ ଦୂରତା ହ୍ରାସ ପାଇ ଉଭୟେ ନିକଟତର ହେବାକୁ ଲାଗିଲେ । ଫଳସ୍ୱରୂପ, ସଂସଦରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ନବୀନଙ୍କ ଦଳ ବିଭିନ୍ନ ସଂସଦୀୟ ବ୍ୟାପାରରେ ସମର୍ଥନ ମଧ୍ୟ କରିଥିଲା ।

ଏପରିକି ଓଡ଼ିଶାରେ ବିଜେପିର ମୁହଁ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବପରି ବିଜେଡ଼ିକୁ ଏବେ କଡ଼ା ସମାଲୋଚନା କରୁନାହାନ୍ତି । ସିଏଏ କୁ ନେଇ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓଡ଼ିଶାରେ ଏକ ବୈଠକରେ ଉଦବୋଧନ ଦେବାକୁ ଯାଉଛନ୍ତି । ସେହିପରି ଗୁରୁବାର ଦିନ ଧର୍ମେନ୍ଦ୍ର ମଧ୍ୟ ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧିକୁ ନେଇ ଜାପାନ ରାଷ୍ଟ୍ରଦୂତ ଏବଂ ନବୀନଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି । ଏହିସବୁ ଘଟଣାପ୍ରବାହ ରାଜନୈତିକ ବିଶାରଦମାନଙ୍କର ରାଜ୍ୟସଭା ନିର୍ବାଚନ ପରି ଅଛିଣ୍ଡା ଅଙ୍କକଷାକୁ ମାନସାଙ୍କ କରିଦେଇଛି ।

ଗୁରୁବାର ଦିନ କେନ୍ଦ୍ରମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନାକୁ ରାଜ୍ୟସଭା ଆସନ ବୁଝାମଣା ବୋଲି ଅଭିହିତ କରିଥିବା କଂଗେସର ଟିପ୍ପଣୀକୁ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ଖଣ୍ଡନ କରି କହିଛନ୍ତି ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ।

Leave A Reply

Your email address will not be published.