Latest Odisha News

ଓଡ଼ିଶାରେ ଶିଳ୍ପ ଅଭିବୃଦ୍ଧି ଲାଗି ଜାପାନ ରାଷ୍ଟ୍ରଦୂତଙ୍କ ସହ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ଓଡିଶା ଶିଳ୍ପର ଅଭିବୃଦ୍ଧିରେ ଜାପାନ ସହଯୋଗୀ ହେବ ବୋଲି ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାପାନ ରାଷ୍ଟ୍ରଦୂତ ସତୋଷୀ ସୁଜିକିଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆର୍ସେଲର ମିତଲକୁ ପ୍ଲାଂଟକୁ ନେବା ପରେ ନିପନ ଷ୍ଟିଲ୍ ଏଥିରେ ବଡ ସହଯୋଗୀ ହୋଇଛି । ଏହାସହ ଜାପାନର ଇସ୍ପାତ୍ କମ୍ପାନୀ ଜେଏଫଇ ଜେଏସଡବ୍ଲୁ ସହ ସହଭାଗୀ ହୋଇଛି । ଓଡିଶାର ଇସ୍ପାତ୍ ଶିଳ୍ପରେ ଜାପାନର ଦୁଇଟି ବଡ ଇସ୍ପାତ୍ କମ୍ପାନୀ ଜେଏଫ୍‌ଇ ଏବଂ ନିପନ ବଡ ପୁଞ୍ଜିନିବେଶ କରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଦୋୟ ମିଶନରେ ଜାପାନ ଏକ ସହଯୋଗୀ ରାଷ୍ଟ୍ର ହେବା ଆମର ଲକ୍ଷ୍ୟ । ଏହାସହ ଏହି ମିଶନରେ ଓଡିଶାର କଳିଙ୍ଗ ନଗରର ବିକାଶ କରାଯାଇପାରିବ । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ କଳିଙ୍ଗ ନଗରକୁ ବିଶ୍ୱ ଇସ୍ପାତ୍ ଶିଳ୍ପର ପେଣ୍ଠସ୍ଥଳି ଭାବେ ଗଢିତୋଳିବା ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ଦିନରେ ଦେଶରେ ଇସ୍ପାତ୍ ଉତ୍ପାଦନକୁ ୧୪୦ ଏମଟିରୁ ୩୦୦ ଏମଟି କରାଯିବ । ଦେଶରେ ଇସ୍ପାତ ଉତ୍ପାଦନରେ ଯେଉଁ ବ୍ୟାପକ ଅଭିବୃଦ୍ଧି ହେବ ସେଥିରୁ ଓଡିଶାରୁ ସିଂହ ଭାଗ ଇସ୍ପାତ୍ ଇତ୍ପାଦନ ହେବ । କେବଳ ଇସ୍ପାତ୍ ଉତ୍ପାଦନ ନୁହେଁ ଇସ୍ପାତ୍ ସହ ଜଡିତ ଶିଳ୍ପର ସଂପ୍ରସାରଣ ଓଡିଶାରେ ହେଲେ ରାଜ୍ୟର ରାଜସ୍ୱ ବଢିବା ସହ ରୋଜଗାର ବଢିବ । ଏଥିପାଇଁ ଜାପାନକୁ ଏକ ସହଯୋଗୀ ପାର୍ଟନର ଭାବେ ନେବା ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ଆଲୋଚନାରେ ଓଡିଶାରେ ଥିବା ବିଭିନ୍ନ ସୁବିଧାର ବିସ୍ତୁତ ବିବରଣୀ ଜାପାନର ରାଷ୍ଟ୍ରଦୂତଙ୍କୁ ପ୍ରଦାନ କରାଯାଇଛି । କେବଳ ପର୍ଯ୍ୟଟନ, ଇସ୍ପାତ୍ ଶିଳ୍ପ ନୁହେଁ, କୃଷି, ହସ୍ତତନ୍ତ, ପେଟ୍ରୋକେମିକାଲ କ୍ଷେତ୍ରରେ ବ୍ୟାପକ ଆଲୋଚନା କରି ଜାପାନ ଓ ଭାରତ ସରକାରଙ୍କ ସହଯୋଗରେ ଓଡିଶାର ବିକାଶ କରାଯାଇପାରିବ ବୋଲି ସେ କହିଛନ୍ତି । ଏହାବ୍ୟତିତ ବର୍ଷ ୨୦୨୦ ମେକ୍ ଇନ୍ ଓଡିଶା କନକ୍ଲେଭରେ ଜାପାନ ପାର୍ଟନର ହେବା ନେଇ ଅନୁରୋଧ କରାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଆଜିର ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଇସ୍ପାତ୍ ମନ୍ତ୍ରଣାଳୟର ବରିଷ୍ଠ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.