ନୂଆଦିଲ୍ଲୀ: କଂଗ୍ରେସରେ ଥରୁର ଝଡ଼ । କେରଳରୁ ଆସିଲା ଦଳ ପାଇଁ ଖରାପ ସଙ୍କେତ । ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତକାର ପରେ ଶଶି ଥରୁରଙ୍କ ବୟାନ ଦଳ ଭିତରର ଅନ୍ଦକନ୍ଦଳକୁ ପଦାରେ ପକାଇଛି । କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, ଯଦି କଂଗ୍ରେସରେ ତାଙ୍କର ଆବଶ୍ୟକତା ନାହିଁ ତେବେ ତାଙ୍କ ପାଖରେ ଅନେକ ବିକଳ୍ପ ରହିଛି । ଥରୁରଙ୍କ ବୟାନରୁ ଗୋଟିଏ କଥା ସ୍ପଷ୍ଟ, କଂଗ୍ରେସରେ ସବୁକିଛି ଠିକ୍ ନାହିଁ । ତେବେ ପ୍ରଶ୍ନ ଉଠୁଛି, କାହିଁକି କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥରୁର? ନା ଥରୁରଙ୍କ ଉପରେ ଖୁସି ନାହାନ୍ତି କଂଗ୍ରେସ ହାଇକମାଣ୍ଡ? କଂଗ୍ରେସ ଛାଡି ଅନ୍ୟ କେଉଁ ଦଳକୁ ଯିବାକୁ ମନସ୍ଥିର କରିଛନ୍ତି କି ଥରୁର?
ରାହୁଲଙ୍କ ସହ ସାକ୍ଷାତ ପରଠୁ ଅସନ୍ତୁଷ୍ଟ ଥରୁର !
କିଛି ଦିନ ତଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାରକୁ ପ୍ରଶଂସା କରିଥିଲେ ଥରୁର । ଟ୍ରମ୍ପଙ୍କୁ ଚତୁର୍ଥ ନେତା ଭାବେ ଭେଟିଥିଲେ ମୋଦି । ଏହା ବିଶ୍ବରେ ଭାରତର ସ୍ଥିତି ଦର୍ଶାଉଥିବା ଏକ ଆଲେଖ୍ୟ ଲେଖିଥିଲେ ଶଶି ଥରୁର । ଏହାସହ ନିବେଶ ଅନୁକୂଳ ନୀତି ଓ ଷ୍ଟାର୍ଟଅପ୍ ଇନିସିଏଟିଭକୁ ନେଇ କେରଳର ଏଲଡିଏଫ୍ ସରକାରକୁ ପ୍ରଶଂସା କରିଥିଲେ । ତେବେ ଏହାପରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶଶି ଥରୁରଙ୍କୁ ତଲବ କରିଥିଲେ । ଗତ ୧୮ତାରିଖରେ ରାହୁଲଙ୍କୁ ଭେଟିଥିଲେ ଥରୁର। ତେବେ ତାପରଠୁ ଥରୁର ଅସନ୍ତୁଷ୍ଟ ଥିବା ଭଳି ବୟାନ ଦେଉଛନ୍ତି ।
‘ଦଳରେ ଆବଶ୍ୟକତା ନଥିଲେ ବିକଳ୍ପ ଅଛି’
ଯଦି କଂଗ୍ରେସରେ ତାଙ୍କର ଆବଶ୍ୟକତା ନାହିଁ, ତେବେ ତାଙ୍କ ପାଖରେ ଅନେକ ବିକଳ୍ପ ରହିଛି । ଇଣ୍ଡିଆନ ଏକ୍ସପ୍ରେସର ମାଲାୟଲମ ପୋଡକାଷ୍ଟ ବର୍ତ୍ତମାନମକୁ ସାକ୍ଷାତକାର ଦେଇ ଏହା କହିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲା । ତେବେ ପରେ ହୋଇଥିବା ବିଭିନ୍ନ ରାଜ୍ୟ ନିର୍ବାଚନରେ ଏହା ପ୍ରତିଫଳିତ ହୋଇନଥିଲା। ତେଣୁ କଂଗ୍ରେସ କେରଳରେ ତାର ଫୋକସ ବଢାଇବା ଜରୁରୀ, ନହେଲେ ତୃତୀୟ ଥର ପାଇଁ ଦଳ ବିରୋଧୀ ସିଟରେ ବସିବ ବୋଲି ଥରୁର କହିଥିଲେ। କେରଳରେ କଂଗ୍ରେସର ବଡ ନେତା ଶଶି ଥରୁର ମୋଦି ସରକାର ଓ କେରଳ ସରକାରଙ୍କୁ ପ୍ରଶଂସା କରିବାକୁ ନେଇ କଂଗ୍ରେସରେ ତାଙ୍କ ବିରୋଧୀ ସ୍ବର ଉଠିଛି । ଏପରିକି ହାଇକମାଣ୍ଡ ବି ଏହାକୁ ନେଇ ଅସନ୍ତୁଷ୍ଟ ରହିଥିବା କୁହାଯାଉଛି । ତେବେ ରାଜନେତା ସବୁବେଳେ ଦଳୀୟ ସ୍ବାର୍ଥକୁ ନଜରରେ ରଖି ବୟାନ ଦେବା କଥା ନୁହେଁ କହି ସଫେଇ ଦେଇଛନ୍ତି ଥରୁର ।
କାହିଁକି ଅସନ୍ତୁଷ୍ଟ ଥରୁର?
ବେଶ୍ କିଛି ସମୟ ଧରି ସିଡବ୍ଲୁସିରେ ସକ୍ରିୟ ଭୂମିକାରେ ନାହାନ୍ତି ଶଶି ଥରୁର । ପୂର୍ବରୁ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢି ହାରିଥିଲେ । ୨୦୨୬ରେ କେରଳ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ନିର୍ବାଚନ ପୂର୍ବରୁ ଦୃଢ ନେତୃତ୍ବର ଆବଶ୍ୟକତା ଉପରେ ସେ ଜୋର ଦେଇଛନ୍ତି । ଏହାସହ ସର୍ଭେରେ ଲୋକପ୍ରିୟତା ଆଧାରରେ ନିଜେ ନେତୃତ୍ବ ନେବାକୁ ପରୋକ୍ଷରେ ସଂକେତ ଦେଇଛନ୍ତି । କେରଳରେ ରମେଶ ଚେନ୍ନିଥଲା ଓ କେସି ବେଣୁଗୋପାଳଙ୍କ ଗୋଷ୍ଠୀ ମଧ୍ୟରେ କନ୍ଦଳ ରହିଛି । କେସି ବେଣୁଗୋପାଳ ଗାନ୍ଧୀ ପରିବାରର ନିକଟତମ ବୋଲି କୁହାଯାଏ । ରାହୁଲଙ୍କ ସହ ସାକ୍ଷାତକାର ବେଳେ ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ଶଶି ଥରୁର କହିଥିଲେ । ଏହାସହ ତାଙ୍କ ଭୂମିକା ସ୍ପଷ୍ଟ କରିବାକୁ ଦାବି କରିଥିଲେ । ସକ୍ରିୟ ରାଜନୀତିରେ ରହିବାକୁ ଚାହୁଁଥିବା ଥରୁର କେରଳରେ ଦଳର ନେତୃତ୍ବ ନେବାକୁ ଚାହୁଁଛନ୍ତି । ତେବେ ଦଳ ତାଙ୍କୁ ଜାତୀୟ ରାଜନୀତିରେ ହିଁ ରଖିବାକୁ ଚାହୁଁଛି ।
ଡିପ୍ଲୋମାଟରୁ ରାଜନେତା ବନିଥିବା ଶଶି ଥରୁର ତିରୁବନନ୍ତପୁରମରୁ ଚାରିଥର କଂଗ୍ରେସ ସାଂସଦ ରହିଛନ୍ତି । ତେବେ ତାଙ୍କ ବୟାନକୁ ନେଇ ଅନେକ ସମୟରେ ଅଠାକାଠିରେ ପଡିଛି କଂଗ୍ରେସ। କେତେବେଳେ ବିରୋଧୀଙ୍କ ପ୍ରଶଂସା କରି ତ କେତେବେଳେ ବିରୋଧୀଙ୍କୁ ଲାଭ ଦେବା ଭଳି ବୟାନ ଦେଇ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । ଥରୁରଙ୍କ ଉପନ୍ୟାସ ଦ ଗ୍ରେଟ୍ ଇଣ୍ଡିଆନ ନୋବେଲରେ ୧୯୪୭ମସିହା ଅଗଷ୍ଟ ୧୫ତାରିଖରେ ଭାରତର ନେତୃତ୍ବ ଧୃତରାଷ୍ଟ୍ର ସମ୍ଭାଳିଥିବା ଲେଖାହୋଇଛି। ଏହାକୁ ନେଇ ବିଜେପି ନେତା ଗାନ୍ଧୀ ପରିବାରକୁ ଘେରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅଶୋକ ଗେହଲଟଙ୍କ ନାଁ ଚର୍ଚ୍ଚାରେ ଥିବା ବେଳେ ନିଜେ ମଇଦାନକୁ ଓହ୍ଲାଇଥିଲେ। ଏହାପରେ ଗାନ୍ଧୀ ପରିବାର ମଲ୍ଲିକାର୍ଜୁନ ଖଡଗେଙ୍କ ନାଁ ଆଗରେ ରଖିଥିଲେ । ଏସବୁ କାରଣ ପାଇଁ କଂଗ୍ରେସ ବି ଥରୁରଙ୍କ ଉପରେ ଅସନ୍ତୁଷ୍ଟ ରହିଛି ।
Comments are closed.