Latest Odisha News

ପାଣ୍ଡିଆନଙ୍କ ପାଇଁ ଭୋଟ୍ ମାଇନସ୍ ହେଉଥିବା ଚର୍ଚ୍ଚା ପରେ ଡ୍ୟାମେଜ କଣ୍ଟ୍ରୋଲ ମୋଡକୁ ଆସିଲା କି ବିଜେଡି ?

ଭୁବନେଶ୍ୱର: ଅଫିସରରୁ ନେତା ପାଲଟିଥିବା ଭିକେ ପାଣ୍ଡିଆନ ନୁହଁନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ । ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ନବୀନଙ୍କ ଏହି ବୟାନକୁ ନେଇ ସରଗରମ ରାଜ୍ୟ ରାଜନୀତି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ କାହିଁକି ନବୀନ ଏଭଳି କହିଲେ? ନିର୍ବାଚନ ଶେଷ ପର୍ଯ୍ୟାୟ ପୂର୍ବରୁ କାହିଁକି ସାକ୍ଷାତକାର ଦେଲେ ନବୀନ? ପାଣ୍ଡିଆନଙ୍କ ପାଇଁ ବିଜେଡି ଭୋଟ୍ ମାଇନସ୍ ହେଉଥିବା ବିଭିନ୍ନ ସର୍ଭେ ଓ ସମୀକ୍ଷକ କହିବା ପରେ ଡ୍ୟାମେଜ କଣ୍ଟ୍ରୋଲ ମୋଡକୁ ଆସିଛି କି ବିଜେଡି ?

`ପାଣ୍ଡିଆନ ନୁହଁନ୍ତି ମୋ ଉତ୍ତରାଧିକାରୀ’
ନବୀନଙ୍କ ସହ ଛାଇ ଭଳି ରହୁଥିବା ଭିକେ ପାଣ୍ଡିଆନ୍ ନୁହନ୍ତି ନବୀନଙ୍କ ରାଜନୈତିକ ଉତ୍ତରାଧିକାରୀ । ଏନେଇ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ଲୋକ ତାଙ୍କ ଉତ୍ତରାଧିକାରୀ ସ୍ଥିର କରିବେ । ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହନ୍ତି । ଏନେଇ ଅଯଥାରେ ଅପପ୍ରଚାର କରାଯାଉଥିବା ନବୀନ କହିଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି, କାହିଁକି ଶେଷ ପର୍ଯ୍ୟାୟ ନିର୍ବାଚନର ଦିନକ ପୂର୍ବରୁ ନିରବତା ଭାଙ୍ଗିଲେ ନବୀନ?

ଡ୍ୟାମେଜ୍ କଣ୍ଟ୍ରୋଲ ମୋଡରେ ନବୀନ !
ଯେବେ ବି ପାଣ୍ଡିଆନଙ୍କ ଉପରକୁ କଥା ଆସିଛି ସୁରକ୍ଷା ମୁଦ୍ରାରେ ସାମନାକୁ ଆସିଛନ୍ତି ନବୀନ । ପୂର୍ବରୁ ଭିକେ ପାଣ୍ଡିଆନ 5Tସଚିବ ଥିବା ବେଳେ ତାଙ୍କର ବିଭିନ୍ନ ଜିଲ୍ଲା ଗସ୍ତକୁ ପ୍ରବଳ ସମାଲୋଚନା କରିଥିଲେ ବିରୋଧୀ । ଏହାପରେ ବରଗଡ଼ ସଭାରେ ନବୀନଙ୍କ ଅଡିଓ ବାର୍ତ୍ତା ଶୁଣାଇଥିଲେ ପାଣ୍ଡିଆନ୍ । ନବୀନ ତାଙ୍କୁ ପଠାଇଥିବା କହିଥିଲେ । ଏଥର ବି ଓଡିଆ ଅସ୍ମିତାକୁ ମୁଖ୍ୟ ପ୍ରସଙ୍ଗ କରିଛି ବିଜେପି । ପାଣ୍ଡିଆନଙ୍କୁ ଘନ ଘନ ଆଟାକ୍ କରୁଛନ୍ତି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ । ପାଣ୍ଡିଆନ ନବୀନଙ୍କୁ ନିୟନ୍ତ୍ରଣ କରୁଥିବା ବି କହିଛନ୍ତି । କେବଳ ବିରୋଧୀ ନୁହନ୍ତି ଜନତା ବି ଏହି ନାରେଟିଭକୁ କିଛି ମାତ୍ରାରେ ଗ୍ରହଣ କରିଥିବା ବେଳେ ନବୀନ ଡ୍ୟାମେଜ କଣ୍ଟ୍ରୋଲ ପାଇଁ ସାକ୍ଷାତକାରରେ ଏଭଳି କହିଥିବା ଚର୍ଚ୍ଚା ହେଉଛି ।

ବିଜେଡିରେ ପାଣ୍ଡିଆନ ପାଓ୍ବାର ଶୋ !
ସଚିବ ଥିବା ବେଳେ ମଧ୍ୟ ସମୀକ୍ଷା ପାଇଁ ଜିଲ୍ଲାରୁ ଜିଲ୍ଲା ବୁଲୁଥିଲେ ପାଣ୍ଡିଆନ । ସମାଲୋଚନା ପରେ ଅବସର ନେଇ ବିଜେଡିରେ ସାମିଲ ହେଲେ । ଟିକେଟ୍ ନିଷ୍ପତ୍ତିରୁ ପ୍ରଚାର ବିଜେଡିରେ ସବୁଠି ପାଣ୍ଡିଆନଙ୍କ ପାଓ୍ବାର ଶୋ ଦେଖିବାକୁ ମିଳିଛି । ଦଳରେ ୪୦ଜଣ ଷ୍ଟାର ପ୍ରଚାରକ ରହିଥିଲେ ମଧ୍ୟ ଅଧିକାଂଶ ସଭା ଓ ରୋଡ୍ ଶୋରେ ପାଣ୍ଡିଆନ ହିଁ ନଜର ଆସିଛନ୍ତି । ଏପରିକି ଅନେକ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କୁ ବି ପାଣ୍ଡିଆନ ଷ୍ଟେଜରୁ ବାହାର କରିବା ଦୃଶ୍ୟ ସାମନାକୁ ଆସିଛି । ବିଜେଡି ରାଜନୀତିରେ ପାଣ୍ଡିଆନଙ୍କ ଅତ୍ୟଧିକ ଅନୁପ୍ରବେଶକୁ ନେଇ ଓଡ଼ିଆ ଅସ୍ମିତାର ନାରେଟିଭ୍ ପ୍ରସ୍ତୁତ କରିଛନ୍ତି ବିରୋଧୀ । ଯାହା ବିଜେଡି ପାଇଁ ବୁମେରାଂ ହୋଇଛି ।

ପ୍ରସଙ୍ଗର ନାଁ ପାଣ୍ଡିଆନ
ନିର୍ବାଚନ ବେଳେ ପାଣ୍ଡିଆନଙ୍କୁ ମୁଖ୍ୟ ପ୍ରସଙ୍ଗ କରିଛି ବିଜେପି । ରତ୍ନଭଣ୍ଡାର ହେଉ କି ନବୀନ ଉପରେ ନିୟନ୍ତ୍ରଣ, କିଭଳି ଜଣେ ଅଣଓଡିଆ ଓଡିଶାର ଶାସନ ବ୍ୟବସ୍ଥା ହାଇଜାକ୍ କରିଛନ୍ତି, ସେନେଇ ବାରମ୍ବାର ବିଜେପିର ହେଭିଓ୍ବେଟ୍ ପ୍ରଶ୍ନ ଉଠାଇଛନ୍ତି । ଏପରିକି ରତ୍ନଭଣ୍ଡାର ଚାବି ତାମିଲନାଡୁ ଯାଇଥିବା ଶୁଣିବାକୁ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ । ବିଜେଡିକୁ ଭୋଟ୍ ଦେଲେ ଯେ ପାଣ୍ଡିଆନ କ୍ଷମତା ହାତେଇବେ, ସେନେଇ ନାରେଟିଭ୍ ପ୍ରସ୍ତୁତ କରାଯାଇଛି । ଯାହାକୁ କେଉଁଠି ନା କେଉଁଠି ଜନତା ବି ଗ୍ରହଣ କରିଛନ୍ତି । ଓଡିଆ ନା ଅଣଓଡିଆ ପ୍ରସଙ୍ଗରେ ବିଜେପିକୁ ଲାଭ ହୋଇଛି ତ ବିଜେଡିକୁ କ୍ଷତି ।

ଏବେ ଉତ୍ତରାଧିକାରୀ ଉତ୍ତର କାହିଁକି ?
ଆଉ ଦିନକ ପରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ। ଏଭଳି ସମୟରେ କାହିଁକି ନବୀନ ମୁହଁ ଖୋଲିଲେ? କୁହାଯାଉଛି, ପାଣ୍ଡିଆନଙ୍କ ପାଇଁ ଯେ ବିଜେଡି ସିଟ୍ ଓ ଭୋଟ୍ ହରାଇପାରେ, ସେ ଆଶଙ୍କା ଦଳରେ ମଧ୍ୟ ରହିଛି । ଶେଷ ପର୍ଯ୍ୟାୟରେ ହେବାକୁ ଥିବା ୬ଲୋକସଭା ଓ ୪୨ ବିଧାନସଭା ସିଟ୍ ପାଇଁ ନିଜ ଦଳ ସପକ୍ଷରେ ଭୋଟ୍ ଆଣିବାକୁ ନବୀନ ଉତ୍ତରାଧିକାରୀ ପ୍ରସଙ୍ଗରେ ସ୍ପଷ୍ଟ ଉତ୍ତର ରଖିଛନ୍ତି । ତାଙ୍କ ଉତ୍ତରାଧିକାରୀ ପାଣ୍ଡିଆନ ନୁହେଁ ବରଂ ରାଜ୍ୟବାସୀ ଯାହାକୁ ବାଛିବେ ସେ ହେବେ ବୋଲି ସନ୍ଦେଶ ଦେଇଛନ୍ତି।

ହେଲେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଏବେବି ଅନେକ ପ୍ରଶ୍ନ ରହିଛି। ଯଦି ପାଣ୍ଡିଆନ ଉତ୍ତରାଧିକାରୀ ନୁହନ୍ତି ତେବେ ତାଙ୍କୁ ବିଜେଡି ନେଇ ନିଷ୍ପତ୍ତି ନେବାକୁ ଏକଚାଟିଆ ଅଧିକାର ଦିଆଯାଇଛି କି ? ଯଦି ହଁ, ତେବେ କାହିଁକି ? କାହିଁକି ମୁଖ୍ୟମନ୍ତ୍ରୀଙ୍କ ସହ ସବୁ ବେଳେ ଛାଇ ଭଳି ରହୁଛନ୍ତି ପାଣ୍ଡିଆନ? କାହିଁକି ନବୀନ ଯୁଆଡେ ଗଲେ ବି ସାଙ୍ଗରେ ଯାଉଛନ୍ତି ପାଣ୍ଡିଆନ? କାହିଁକି ଏତେ ପାଓ୍ବାରଫୁଲ୍ ପାଣ୍ଡିଆନ? ଦଳରେ ଅନେକ ପୁରୁଖା ନେତା ଥିଲେ ବି କାହିଁକି ପାଣ୍ଡିଆନ ନବୀନଙ୍କ ପରେ ନମ୍ବର ଟୁ ? ପୂର୍ବରୁ ପାଣ୍ଡିଆନ ନିଜକୁ ନବୀନଙ୍କ ମୂଲ୍ୟବୋଧର ପ୍ରକୃତ ହିତାଧିକାରୀ କହିଥିଲେ । ଏହାର ଅର୍ଥ କଣ? ବୁଧବାର ନିଜେ ପାଣ୍ଡିଆନ ବି ଜଣେ ଓଡିଆ କହୁଥିବା ଓ ଓଡିଆଙ୍କ ହୃଦୟରେ ରହୁଥିବା ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଥିଲେ। ତେବେ ପ୍ରଶ୍ନ, କିଏ ହେବେ ନବୀନଙ୍କ ଉତ୍ତରାଧିକାରୀ? ଉତ୍ତରାଧିକାରୀ ଉତ୍ତର ନବୀନଙ୍କ ମନର କଥା ନା ବିଜେଡି ସପକ୍ଷରେ ଭୋଟ୍ ଆଣିବାକୁ ନିର୍ବାଚନୀ ଗୁଗଲି?

Comments are closed.