Latest Odisha News

BREAKING NEWS

କଂଗ୍ରେସ ସହ ମେଣ୍ଟ କରିବ କି ବିଜେଡି?, ଦେବାଶିଷଙ୍କ ବୟାନ ପରେ ବଢିଲା ତାତି

ଭୁବନେଶ୍ବର: କଂଗ୍ରେସ ସହ ମେଣ୍ଟ କରିବ କି ବିଜେଡି ? ଶାସକ ବିଜେପି ବିରୋଧରେ ପୁଣି କ୍ଷମତାକୁ ଆସିବାକୁ କଂଗ୍ରେସ ଆଡକୁ ମୁହାଁଇବ କି ବିଜେଡି ? କାରଣ ଖୋଲା ମଞ୍ଚରେ ଏମିତି କିଛି ବୟାନ ଦେଇ ଏବେ ରାଜ୍ୟ ରାଜନୀତିର ଉତ୍କଣ୍ଠା ବଢାଇଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ‘ବିଜେଡି ପୁଣି କ୍ଷମତାକୁ ଆସିବ । ଦରକାର ପଡିଲେ କଂଗ୍ରେସ ସହ ମେଣ୍ଟ ବି କରିବ ବିଜେଡି ।’ ଦେବାଶିଷଙ୍କ ଏଇ କେଇଟି ପଦରେ ଏବେ ହଇଚଇ ସୃଷ୍ଟି ହୋଇଛି । ପୂର୍ବରୁ ମଧ୍ୟ ଜାତୀୟ ସ୍ତରରେ ବିଜେଡି ଇଣ୍ଡି ମେଣ୍ଟରେ ମିଶିବା ଚର୍ଚ୍ଚା ଜୋର ଧରିଥିଲା । ଆଉ ଏବେ ଦେବାଶିଷଙ୍କ ଏହି ଚାଞ୍ଚଲ୍ୟ ବୟାନ, ଏବେ ଏହି ପ୍ରସଙ୍ଗକୁ ଇନ୍ଧନ ଦେଇଛି । ତେବେ ଦେବାଶିଷଙ୍କ ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ ମତ, ଏହା ଦଳର ଆଭିମୁଖ୍ୟ ପ୍ରତିଫଳିତ କରୁନାହିଁ ବୋଲି କହିଛି ବିଜେଡି ।

ତେବେ କୁଜଙ୍ଗରେ ଆୟୋଜିତ କାର୍ଯ୍ୟର ଭରା ମଞ୍ଚରେ ଦେବାଶିଷ କହିଥିଲେ, ବାଇ ଇଲେକ୍ସନରେ ପୁଣି ବିଜେଡି ଜିତିବ । ହାଇକୋର୍ଟରେ ୭ଟି କେସ୍ ଫାଇଲ ହୋଇଛି । ସେହି ସବୁ ସ୍ଥାନରେ ପୁଣି ଇଲେକ୍ସନ ହେବ । ଏନେଇ ମୁଁ ନବୀନ ବାବୁଙ୍କ ସହ କଥା ହୋଇଥିଲି । ସେଠି ପାଣ୍ଡିଆନ ବାବୁ ମଧ୍ୟ ଉପସ୍ଥିତ ଥିଲେ । ସେଠି ନବୀନ ବାବୁ ଖାଲି ହାତ ହଲେଇ ଆସିଗଲେ ଆମେ ଜିତିଯିବୁ । ଏପରିକି ଯଦି ଦରକାର ପଡେ ଆମେ କଂଗ୍ରେସ ସହ ହାତ ମିଶାଇବୁ ଆଉ ନୂଆ ସରକାର ଗଢିବୁ ବୋଲି କହିଥିଲେ ଦେବାଶିଷ ।

ସେପଟେ କିନ୍ତୁ ଦେବାଶିଷଙ୍କ ଏହି ବୟାନଙ୍କୁ କଟାକ୍ଷ କରିଛି ଶାସକ ବିଜେପି ଏବଂ କଂଗ୍ରେସ । ଦେବାଶିଷଙ୍କ ଏହି ମନ୍ତବ୍ୟଙ୍କୁ ସଂପୂର୍ଣ୍ଣ ଖାରଜ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ । ବିଜେଡି ସହ ମେଣ୍ଟ କରିବାର ଆଦୌ ପ୍ରଶ୍ନ ଉଠୁନି ବୋଲି ସଫା ସଫା କହିଦେଇଛନ୍ତି ମୋକିମ୍ । ଏନେଇ ମୋକିମ୍ କହିଛନ୍ତି, ଦେବାଶିଷ ସାମନ୍ତରାୟ କିଏ, କଂଗ୍ରେସ ମେଣ୍ଟ ପ୍ରସଙ୍ଗରେ କହିବା ପାଇଁ। ସେ ଜଣେ ପ୍ରତ୍ୟାଖିତ ନେତା । ଦିନ ବେଳେ ସ୍ବପ୍ନ ଦେଖିବାକୁ କାହାକୁ ମନା ନାହିଁ  । ଶାସନ ହାତରୁ ଗଲା ପରେ ବି ବିଳିବିଳାଉଛନ୍ତି ବୋଲି କହି କଟାକ୍ଷ କରିଛନ୍ତି ମୋକିମ୍ । ବିଗତ ଦିନରେ ବିଜେପି ସହ ମିଶି ସେମାନେ କାମ କରୁଥିଲେ । ଏ ସବୁ ବିଜେଡିର ଚକ୍ରାନ୍ତ, ଲୋକମାନେ ଜାଣିଛନ୍ତି ବୋଲି କହିଛନ୍ତି ମୋକିମ୍ । କଂଗ୍ରେସ ଦକ୍ଷ ବିରୋଧୀ ଦଳ ଭାବେ ଗୃହରେ ଓ ବାହାରେ କାର୍ଯ୍ୟ କରୁଛି ।

ଅନ୍ୟପକ୍ଷରେ ଏନେଇ ଦେବାଶିଷ ଦିନରେ ସ୍ୱପ୍ନ ଦେଖିବା ବନ୍ଦ କରି ବାସ୍ତବତାକୁ ଆସନ୍ତୁ ବୋଲି କଟାକ୍ଷ କରି କହିଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର । ଏନେଇ ଗୋଲକ କହିଛନ୍ତି, ଦିନରେ ଶୋଇ ଦେବାଶିଷ ସ୍ୱପ୍ନ ଦେଖୁଛନ୍ତି । ତାଙ୍କୁ ଉପଦେଶ, ଏମିତି ସ୍ୱପ୍ନ ଦେଖିବା ବନ୍ଦ କରନ୍ତୁ । ୨୪ ବର୍ଷରେ ବିଜେଡି ଯାହା କରିନଥିଲା, ୧୦୦ ଦିନରେ ବିଜେପି କରିଦେଖାଇଛି । ବିଜେପିର ଏହି ସଫଳତା ବିଜେଡି ନେତାଙ୍କୁ ହଜମ ହେଉନି । ଜଣକ ପରେ ଜଣେ ବିଜେଡି ନେତା ବିଜେପିକୁ ଆସୁଥିବାରୁ, ସେମାନେ ପାଗଳର ପ୍ରଳାପ କରୁଛନ୍ତି ବୋଲି ଗୋଲକ କହିଛନ୍ତି ।

ତେବେ ଏସବୁ ପରେ ବି ଦେବାଶିଷ କଂଗ୍ରେସ ସହ ମେଣ୍ଟ ଦାବି କରିଆସୁଛନ୍ତି । ଏନେଇ କାଳେ ଜାତୀୟ ସ୍ତରରେ କଂଗ୍ରେସ ନେତା ନିଷ୍ପତି ନେବେ ବୋଲି କହି ମେଣ୍ଟ ପାଇଁ ବିଚାର ଚାଲିବା ଇଙ୍ଗିତ କରିଛନ୍ତି ଦେବାଶିଷ ।

Leave A Reply

Your email address will not be published.