Latest Odisha News

ବିଜେଡି କନ୍ଦଳରେ ଘିଅ ଢାଳୁଛି କି ବିଜେପି? ବଢୁଛି ବିଜେଡି ଖାଲି ଦାବି…..

ଭୁବନେଶ୍ବର: ଖାଲି ହୋଇଯିବ ବିଜେଡି ଗଡ । ସବୁ ବିଜେଡି ନେତା ମନ୍ତ୍ରୀ କାଳେ ବିଜେପିରେ ମିଶିବା ପାଇଁ ଇଚ୍ଛୁକ । ଏକଥା ଆମେ ନୁହେଁ, ଏବେ ଏମିତି କିଛି ଲଗାତାର ଦାବି କରିଆସୁଛନ୍ତି ବିଜେପି ବିଧାୟକ ଓ ନେତା । ପୂର୍ବରୁ ବିଜେପିର ଅନେକ ନେତା ଏକଥା ଦାବି କରିଆସିଛନ୍ତି । ଗତକାଲି ବିଜେପି ବିଧାୟକ ସନାତନ ବିଜୁଳି ମଧ୍ୟ ସେହି ସମାନ କଥା ଦାବି କରିଥିଲେ । ଏମିତିକି ଦଳର ସଭାପତି ମନମୋହନ ସାମଲ ମଧ୍ୟ ସେହି ସମାନ କଥା ଦୋହରାଇଛନ୍ତି । ଆଜି ଆଉ ଜଣେ ବିଜେପି ବିଧାୟକ ମଧ୍ୟ ସେହି କଥା କହିଛନ୍ତି ।

ଏନେଇ ବିଧାୟକ ଭାସ୍କର ମଢେଇ ପୁଣି ଦାବି କରିଛନ୍ତି, ବିଜେଡି ଘର ଖାଲି ହୋଇଯିବ । ବହୁ ବିଜେଡି ବିଧାୟକ ଓ ନେତା ବିଜେପି ସଂପର୍କରେ ଅଛନ୍ତି । ଏହାସହିତ ବିଜେପି ନେତାଙ୍କର ବିଜେଡି ସହ ସଂପର୍କ ବିଷୟରେ ପ୍ରଶ୍ନ ହେବାରୁ ସେ କହିଛନ୍ତି, ଆମେ ସରକାରରେ ଅଛୁ, ଆମ ନେତା କାହିଁକି ବିଜେଡି ସଂପର୍କରେ ରହିବେ । ଆମ ଦଳ ଯୁବକ, ବିଜେଡି ହେଲା ବୃଦ୍ଧ । ବୃଦ୍ଧ ବସିବ, ଯୁବକ ଦୌଡ଼ିବେ ବୋଲି କଟାକ୍ଷ କରିଛନ୍ତି ମଢେଇ ।

ସେପଟେ ବିଜେଡିର ବର୍ତ୍ତମାନର ସ୍ଥିତି ଏହାକୁ ଆହୁରି ଇନ୍ଧନ ଦେଉଛି । ଖାଲି ସେତିକି ନୁହେଁ, ନିର୍ବାଚନ ହାରିବା ପରଠାରୁ ବିଜେଡିର ଭିତରି କନ୍ଦଳ ବି କିଛି ସମାନ କଥା ବୟାନ କରୁଛି । କାରଣ ଏହି ନିକଟ ଅତୀତରେ ବିଜେଡିର ଦୁଇ ରାଜ୍ୟସଭା ସାଂସଦ ଓ ବହୁ ତୃଣମୂଳ ନେତା ଦଳ ଉପରେ ଅସନ୍ତୋଷ ଝାଡି ବିଜେପିରେ ଯୋଗ ଦେଇଛନ୍ତି । ଏଥିସହିତ ଯିଏ ବି ଦଳରେ ରହିଛନ୍ତି ତାଙ୍କ ଭିତରେ ମତାନ୍ତର ଓ ମନାନ୍ତରର ମଧ୍ୟ ଦୃଶ୍ୟ ଲଗାତାର ଦେଖିବାକୁ ମିଳିଛି ।

ଏଥିସହିତ କିଛି ବିଜେପି ଓ ବିଜେଡି ନେତା ଭିତିରିଆ କାଳେ ସବୁ କିଛି ଯୋଜନା ଚଳାଉଥିବାର ଚର୍ଚ୍ଚା ସାଧାରଣରେ ବେଶୀ । ଯାହାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହେଉଛି ଯେ, ବିଜେପି ଆଉ ବିଜେଡି କନ୍ଦଳର ଫାଇଦା ଉଠାଉନି ତ? ଗୋଟେ ପଟେ ବିଜେଡି ନେତାଙ୍କ ଅସନ୍ତୋଷ ଆଉ ଅନ୍ୟ ପଟେ ବିଜେପିର ଦଳରେ ଯୋଗ ଦେବାର ଆହ୍ବାନ, ବିଜେଡିରେ ଜଳୁଥିବା ବହ୍ନିରେ ଘିଅ ଢାଳିବା ଭଳି କାର୍ଯ୍ୟ କରୁନି ତ? ଏମିତି କିଛି ଚର୍ଚ୍ଚା ସାଧାରଣରେ ସୃଷ୍ଟି ହୋଇଛି ।

Leave A Reply

Your email address will not be published.