ନୂଆଦିଲ୍ଲୀ: ବିହାରରେ ତେଜୁଛି ଛାତ୍ର ଆନ୍ଦୋଳନ ତାତି । ବିହାର ଲୋକସେବା ଆୟୋଗ ବା ବିପିଏସସି ପରୀକ୍ଷା ରଦ୍ଦ କରିବା ଦାବିକୁ ନେଇ ଗତ ଦୁଇ ସପ୍ତାହ ହେଲା ପଟନାରେ ଆନ୍ଦୋଳନରେ ବସିଛନ୍ତି ପରୀକ୍ଷାର୍ଥୀ । ରବିବାର ମୁଖ୍ୟମନ୍ତ୍ରୀ ଆବାସ ଘେରାଉ କରିବାକୁ ଯିବା ବେଳେ ପରୀକ୍ଷାର୍ଥୀଙ୍କ ଉପରେ ଲାଠିଚାର୍ଜ ପରେ ଆହୁରି ସରଗରମ ହୋଇଛି ରାଜନୀତି । ଜନସୁରାଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋରଙ୍କ ଆହ୍ବାନରେ ହିଁ ପରୀକ୍ଷାର୍ଥୀ ସିଏମ ଆବାସ ଘେରାଉ କରିବାକୁ ଯାଇଥିବା କୁହାଯାଉଛି । ସେପଟେ ଆରଜେଡି ନେତା ତେଜସ୍ବୀ ଯାଦବ ମଧ୍ୟ ପରୀକ୍ଷାର୍ଥୀଙ୍କ ସମର୍ଥନରେ ବାହାରିଛନ୍ତି । ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି ନୀତିଶ କୁମାର । ଆଗକୁ ନିର୍ବାଚନ ଥିବା ବେଳେ ବିପିଏସସି ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ ବିହାର ରାଜନୀତିର କେନ୍ଦ୍ର ପାଲଟିଛି ।
ବିରୋଧୀଙ୍କ ଟାର୍ଗେଟରେ ନୀତିଶ
ବିପିଏସସି ପରୀକ୍ଷାରେ ଅନିୟମିତତାକୁ ନେଇ ବିରୋଧୀ ଆରଜେଡି ଓ ଜନସୁରାଜ ପାର୍ଟିର ଟାର୍ଗେଟରେ ରହିଛନ୍ତି ନୀତିଶ କୁମାରଙ୍କ ସରକାର। ନୀତିଶ ଥକ୍କି ସାରିଲେଣି, ଅବସରପ୍ରାପ୍ତ ଅଧିକାରୀଙ୍କ ଦ୍ବାରା ରାଜ୍ୟ ଚଲାଉଛନ୍ତି । ନୀତିଶଙ୍କ ଇସାରାରେ ହିଁ ପରୀକ୍ଷାର୍ଥୀଙ୍କୁ ଲାଠି ମାଡ କରାଯାଇଥିବା ଆରଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି । ଛାତ୍ର ଆନ୍ଦୋଳନ ବେଳେ ଲାଠିଚାର୍ଜକୁ ନିନ୍ଦା କରିବା ସହ ନୀତିଶ କୁମାର ହୋଶରେ ନଥିବା ସେ କହିଛନ୍ତି । ଏଥିସହ ପୁଣି ପରୀକ୍ଷା କରାଇବାକୁ ତେଜସ୍ବୀ ଦାବି କରିଛନ୍ତି। ନିର୍ବାଚନ ରଣନୀତିକାର ତଥା ଜନସୁରାଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋର ତ ଛାତ୍ରଙ୍କ ସହ ଆନ୍ଦୋଳନରେ ସାମିଲ ହୋଇଥିଲେ। ପିକେଙ୍କ କହିବାରେ ହିଁ ଗାନ୍ଧୀ ମଇଦାନରୁ ମୁଖ୍ୟମନ୍ତ୍ରୀ ଆବାସ ଯାଏଁ ଆକ୍ରୋଶ ମାର୍ଚ୍ଚ ବାହାରିଥିଲା । ତେବେ ସେ ଲାଠିଚାର୍ଜ ପୂର୍ବରୁ ହିଁ ଆନ୍ଦୋଳନ ଛାଡି ଚାଲିଯାଇଥିବା ଆରଜେଡି ଅଭିଯୋଗ କରୁଛି । ବିପିଏସସି ପରୀକ୍ଷାର୍ଥୀଙ୍କୁ ପପୁ ଯାଦବ ବି ସମର୍ଥନ କରିଛନ୍ତି। ବିହାର ନିର୍ବାଚନ ପୂର୍ବରୁ ଛାତ୍ର ଆନ୍ଦୋଳନକୁ ଅସ୍ତ୍ର କରି ନୀତିଶଙ୍କୁ ଟାର୍ଗେଟ୍ କରିବାର ମଉକା ଛାଡୁନାହାନ୍ତି ବିରୋଧୀ ।
ଛାତ୍ର ଆନ୍ଦୋଳନ କାହିଁକି ବିପଦ ଘଣ୍ଟି?
ଅଖିଳ ଭାରତୀୟ ଉଚ୍ଚତର ଶିକ୍ଷା ସର୍ବେକ୍ଷଣ ବା ଏଆଇଏସଏଚଆଇ ୨୦୧୬-୧୭ ତଥ୍ୟ ଅନୁସାରେ ବିହାରରେ ୧୮ରୁ ୨୩ବର୍ଷ ମଧ୍ୟରେ ଜନସଂଖ୍ୟା ପ୍ରାୟ ୧କୋଟି ୧୪ଲକ୍ଷ । ତେଣୁ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ ଆନ୍ଦୋଳନରେ ପ୍ରଭାବିତ ହେବେ । କେବଳ ପରୀକ୍ଷାର୍ଥୀ ନୁହଁନ୍ତି ସେମାନଙ୍କ ପରିବାର ଲୋକଙ୍କର ବି ଅସନ୍ତୋଷ ରହିବ । ଆଗକୁ ନିର୍ବାଚନ ଥିବା ବେଳେ ଏହାର ପ୍ରଭାବ ଭୋଟ୍ ଉପରେ ବି ପଡିପାରେ । ପରୀକ୍ଷା ଠିକ୍ ଭାବେ ପରିଚାଳନା କରିନପାରିବା ନେଇ ବିହାର ସରକାରଙ୍କ ଉପରେ ପ୍ରଶ୍ନ ଉଠିବ । ବିରୋଧୀ ଏହାର ଭରପୁର ଫାଇଦା ନେବାକୁ ଉଦ୍ୟମ ବି କରୁଛନ୍ତି ।
ବ୍ୟାକଫୁଟରେ ବିହାର ସରକାର
ବିପିଏସସି ପରୀକ୍ଷାର୍ଥୀଙ୍କ ଆନ୍ଦୋଳନକୁ ନେଇ ବିହାର ସରକାର ବ୍ୟାକଫୁଟରେ ରହିଛନ୍ତି । କୁହାଯାଉଛି, ଛାତ୍ର ଆନ୍ଦୋଳନକୁ ଠିକ୍ ଭାବେ ହ୍ୟାଣ୍ଡେଲ କରି ପାରିଲେନି ସରକାର । ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିବା ପରେ ପୂରା ଶାସନତନ୍ତ୍ର ଏହାକୁ ଖାରଜ କରିବାରେ ଲାଗିପଡିଲେ । ପରେ କୁହାଗଲା, ବାପୁ ସଭାଗାର ଏକ କେନ୍ଦ୍ରରେ ହିଁ ଅନିୟମିତତା ହୋଇଛି । ସେଠାରେ ପରୀକ୍ଷା ରଦ୍ଦ କରିବାକୁ ଘୋଷଣା କରାଗଲା । ଫଳରେ ଅସନ୍ତୋଷ ଆହୁରି ବଢିବା ସହ ବିରୋଧୀଙ୍କ ପାଇଁ ସୁଯୋଗ ସୃଷ୍ଟି ହେଲା। ଆରଜେଡି ଲଗାତର ବେକାରୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଆସୁଥିବା ବେଳେ ବିପିଏସସି ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ ନୀତିଶ ସରକାର ବିରୋଧରେ ବିରୋଧୀଙ୍କ ପାଇଁ ବଡ ପ୍ରସଙ୍ଗ ପାଲଟିଛି ।
ଗତ ଡିସେମ୍ବର ୧୩ତାରିଖରେ ବିପିଏସସି ପରୀକ୍ଷା ହୋଇଥିଲା । ପଟନାର ବାପୁ ସଭାଗାରରେ ଆୟୋଜିତ ପରୀକ୍ଷାରେ ପ୍ରଶ୍ନପତ୍ର ଦେବାରେ ବିଳମ୍ବ ଓ ପ୍ରଶ୍ନପତ୍ର ଲିକକୁ ନେଇ ପରୀକ୍ଷାର୍ଥୀ ହଙ୍ଗାମା କରିଥିଲେ । ପ୍ରଶ୍ନପତ୍ରର କିଛି ପ୍ରଶ୍ନ ଘରୋଇ କୋଚିଂ ସେଣ୍ଟରର ମଡେଲ୍ ପ୍ରଶ୍ନପତ୍ର ସହ ମେଳ ଖାଉଥିବା ଅଭିଯୋଗ ହୋଇଥିଲା । ତେଣୁ ପରୀକ୍ଷା ରଦ୍ଦ କରି ପୁଣି ପରୀକ୍ଷା କରାଇବାକୁ ଦାବି କରିଥିଲେ ପରୀକ୍ଷାର୍ଥୀ । ଏହା ସହ ପ୍ରଶ୍ନପତ୍ର ଲିକ୍ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାକୁ ନେଇ ଛାତ୍ର ଆନ୍ଦୋଳନ ତୀବ୍ର ହୋଇଥିବା ବେଳେ ରାଜନୀତି ବି ବଢିଛି । ଯାହା ନୀତିଶ ସରକାର ପାଇଁ ବିପଦ ଘଣ୍ଟି ହୋଇପାରେ ।
Comments are closed.