Latest Odisha News

ବିଦେଶୀ କୋଚ କଣ ଭାରତକୁ ସଫଳତା ଦେବେ ?

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ପରାଜିତ ହୋଇଛି । ଏଥିସହ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେବ ଭାରତ ଆଇସିସି ଟ୍ରଫିଠାରୁ ଦୂରେଇ ରହିଛି । ୨୦୧୩ ଚାମ୍ପିୟନ୍ସ ଟ୍ରଫି ପରେ ଭାରତ ଆଉ କୌଣସି ଟାଇଟଲ ହାସଲ କରନି । ଆଇସିସି ଟ୍ରଫି ହାସଲ ଜିଦରେ ବିସିସିଆଇ ଅନେକ ପରିବର୍ତନ କରିସାରିଛି । ଏପରିକି ଷ୍ଟାର କ୍ରିକେଟରଙ୍କ କ୍ୟାରିୟରକୁ ବାଜିରେ ମଧ୍ୟ ଲଗାଇ ଦେଇଛି । ଅଧିନାୟକ, ଖେଳାଳି ଓ କୋଚ ସବୁ କିଛି ପରିବର୍ତନ ହେଲେ ମଧ୍ୟ ଫଳ ଶୂନ । ଆମେ କାହାକୁ ଦୋଷ ଦେବା ବିରାଟ କୋହଲି, ରୋହିତ ଶର୍ମା ନାଁ ରବି ଶାସ୍ତ୍ରୀ ଓ ରାହୁଲ ଡ୍ରାଭିଡ ? ବାରମ୍ବାର ବିଫଳତା ପରେ ଏବେ ପୁନର୍ବାର ବିଦେଶୀ କୋଚଙ୍କ କଥା ଉଠୁଛି ।

ଦିନିକିଆ କ୍ରିକେଟ ଆରମ୍ଭ ହେବା ପରଠାରୁ ୧୯୭୧ରୁ ୨୯ ବର୍ଷ ଭାରତୀୟ ଖେଳାଳି କୋଚ ଦାୟିତ୍ୱ ତୁଲାଇଛନ୍ତି । ଅବଶ୍ୟ ସେତେବେଳେ ଏହା ଟିମ ମ୍ୟାନେଜର ପଦ ଥିଲା । ୧୯୮୩ରେ ଭାରତ ବିଶ୍ୱ ଚାମ୍ପିୟନ ହୋଇଥିଲା । ସେ ସମୟରେ ପିଆର ମାନସିଂ ମୂଖ୍ୟ କୋଚ ଥିଲେ । ୨୦୦୦ରୁ ହେଡ କୋଚ ପଦ ଲାଗୁ ହୋଇଥିଲା । ଜନ ରାଇଟଙ୍କୁ ଟିମ ଇଣ୍ଡିଆର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଭାରତ ୨୦୦୦ ଚାମ୍ପିୟନ୍ସ ଟ୍ରଫିରେ ରନର୍ସ ଅପ ଓ ୨୦୦୨ରେ ଟାଇଟଲ ହାସଲ କରିଥିଲା । ୨୦୦୩ରେ ୨୦ ବର୍ଷ ପରେ ଭାରତ ଦିନିକିଆ ବିଶ୍ୱକପ ଫାଇନାଲ ଖେଳି ରନର୍ସଅପ ହୋଇଥିଲା ।

୨୦୦୪ରେ ଚାମ୍ପିୟନ୍ସ ଟ୍ରଫିକୁ ଭାରତ ଉନ୍ନୀତ ହୋଇପାରି ନ ଥିଲା । ରାଇଟଙ୍କୁ ହଟେଇ ଗ୍ରେଗ ଚାପେଲଙ୍କୁ କୋଚ କରାଯାଇଥିଲା । ସେ ସବୁ କିଛି ଏପଟ ସେପଟ କରି ଦେଇଥିଲେ । ଅଦଳବଦଳର ରାଜାର ଉଦ୍ୟମରେ ଭାରତ ୨୦୦୭ ବିଶ୍ୱକପ ଗ୍ରୁପ ଷ୍ଟେଜରୁ ବିଦା ହେଲା । ୨୦୧୧ରେ ଗ୍ୟାରୀ କର୍ଷ୍ଟେନ ଭାରତୀୟ କ୍ରିକେଟକୁ ନୂଆ ଦିଗ ହେଲେ । ୨୮ ବର୍ଷ ପରେ ଭାରତ ବିଶ୍ୱ ଚାମ୍ପିୟନ ହୋଇଥିଲା । ତାଙ୍କ ପରେ ଡଙ୍କନ ଫ୍ଲେଚର ଦାୟିତ୍ୱ ନେଇଥିଲେ । ୨୦୧୨ ଟି୨୦ ବିଶ୍ୱକପ ଗ୍ରୁପ ଷ୍ଟେଜରୁ ଭାରତ ବିଦା ହୋଇଥିବା ବେଳେ ୨୦୧୩ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ୨୦୧୪ ଟି୨୦ ବିଶ୍ୱକପରେ ରନର୍ସଅପ ହୋଇଥିଲା । ୨୦୧୫ ଦିନିକିଆ ବିଶ୍ୱକପ ସେମିଫାଇନାଲରେ ଭାରତ ପରାଜିତ ହୋଇଥିଲା । ୨୦୧୬ରେ ରବି ଶାସ୍ତ୍ରୀଙ୍କୁ ମ୍ୟାନେଜର କରାଯାଇଥିଲା ।

୨୦୧୬ ଟି୨୦ ବିଶ୍ୱକପରେ ଭାରତ ସେମି ଫାଇନାଲ ପର୍ଯ୍ୟନ୍ତ ଯାଇପାରିଥିଲା । ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଆମେ ପାକିସ୍ତାନଠାରୁ ହାରି ଯାଇଥିଲେ । ଅନୀଲ କୁମ୍ବଲେ କୋଚ ଦାୟିତ୍ୱ ତୁଲାଇଥିଲେ । ୨୦୧୮ ଶାସ୍ତ୍ରୀ ମୂଖ୍ୟ କୋଚ ହେଲେ । ଭାରତ ଅଷ୍ଟ୍ରେଲିଆରେ ୨ଥର ସିରିଜ ଜିତିଥିଲା । ଟିମ ଇଣ୍ଡିଆ ୨୦୧୯ ଦିନିକିଆ ସେମିଫାଇନାଲ ଏବଂ ୨୦୨୧ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପରାଜିତ ହୋଇଥିଲା ।

୨୦୨୨ରେ ଡ୍ରାଭିଡଙ୍କୁ କୋଚ କରା ଯାଇଥିଲା । ଭାରତ ଏସିଆ କପ ଫାଇନାଲରେ ପ୍ରବେଶ କରିପାରି ନ ଥିବା ବେଳେ ୨୦୨୨ ଟି୨୦ ବିଶ୍ୱକପର ସେମିଫାଇନାଲ ଆଉ ଏବେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପରାଜିତ ହୋଇଛି । ୨୦୧୩ ପରଠାରୁ ଆଇସିସି ୯ଟି ଟୁର୍ଣ୍ଣାମେଂଟ ଆୟୋଜନ କରିଛି । ଏଥିରୁ ୬ ବିଜେତା ଦଳର କୋଚ ଅଷ୍ଟ୍ରେଲୀୟ ରହିଛନ୍ତି । ଏବେ ବିସିସିଆଇ ସ୍ୱଦେଶୀ କୋଚ ବଜାୟ ରଖିବ ନାଁ ବିଦେଶୀ କୋଚ ଆପଣାଇବ ତାହା ଦେଖିବା କଥା ।

Leave A Reply

Your email address will not be published.