ନୂଆଦିଲ୍ଲୀ: ଏବେ ଦେଶକୁ ଘାରିଛି ଏଚଏମପିଭି ଚିନ୍ତା । ୨ ଦିନ ଭିତରେ ୭ଟି ଶିଶୁ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ମାମଲା ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ଆଡଭାଇଜରି ଜାରି କରିଛନ୍ତି ସେଠିକା ସରକାର । ମାସ୍କ ପିନ୍ଧିବା ସହ ଗହଳିପୂର୍ଣ୍ଣ ସ୍ଥାନକୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି । ହେଲେ ଏନେଇ ଦେଶବାସୀଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।
ଯାହାକୁ ନେଇ ଏବେ ଦେଶବାସୀଙ୍କ ମନରେ ପଡିଛି ଛନକା । କୋଭିଡ୍ ମହାମାରୀ ଯେପରି ପୂରା ଦେଶକୁ ଦୋହଲାଇ ଦେଇଥିଲା ତାହାର ଭୟାବହତା ଏବେ ବି ମନରୁ ଲିଭିନଥିବା ବେଳେ ନୂଆ ଭାଇରସ ନାଁ ଶୁଣିଲେ ଟିକିଏ ଇତସ୍ତତଃ ହୋଇଉଠିଛି ଦେଶବାସୀଙ୍କ ମନ । ତେବେ କୁହାଯାଉଛି କୋଭିଡ୍ ୧୯ର ଅନେକ ଲକ୍ଷଣ ଏଚଏମପିଭି ଲକ୍ଷଣ ସହ ଖାପ ଖାଉଛି । ଏମିତିରେ ମନରେ ପ୍ରଶ୍ନ ଉଠୁଛି କ’ଣ କୋଭିଡ ଭାରିଆଣ୍ଟ ସହ ଏଚଏମପିଭି ଭାରିଆଣ୍ଟର କିଛି ସାମଞ୍ଜସ୍ୟ ରହିଛି ? ଆସନ୍ତୁ ଜାଣିବା କ’ଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ…
ତେବେ ହ୍ୟୁମାନ ମୋଟୋନ୍ୟୁମୋଭାଇରସ ବା HMPV ଏବଂ SARS-CoV-2 ବା କୋଭିଡ୍ ୧୯ ଭାଇରସ ଉଭୟ ଶ୍ବାସକ୍ରିୟା ଜନିତ ରୋଗ ସୃଷ୍ଟିକାରୀ ଭୂତାଣୁ । ହେଲେ ଏହି ଭାଇରଲୋଜି ସଂକ୍ରମଣ ଏବଂ ସାର୍ବଜନୀନ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇବାରେ ଏହା ପୂରା ଭିନ୍ନ ।
ଉଭୟ ଶ୍ୱାସକ୍ରିୟା ମାଧ୍ୟମରେ ଏବଂ ଦୂଷିତ ପଦାର୍ଥ ଦ୍ବାରା ସଂକ୍ରମିତ ଦ୍ବାରା ବ୍ୟାପିଥାଏ । ଜ୍ୱର, କାଶ ଏବଂ ଶ୍ୱାସକ୍ରିୟାରେ କଷ୍ଟ ହେଲା ଭଳି ସମାନ ଲକ୍ଷଣ ମଧ୍ୟ ପରିଲକ୍ଷିତ ହୋଇଥାଏ । ହେଲେ କୋଭିଡ୍-୧୯ରେ ସ୍ୱାଦ ଏବଂ ଗନ୍ଧ ହ୍ରାସ ସମେତ ବିଭିନ୍ନ ଲକ୍ଷଣ ରହିଛି ଏବଂ ଶାରୀରିକ ଜଟିଳତାର ସମ୍ଭାବନା ଅଧିକ ରହିଛି ।
ବେଙ୍ଗାଲୁରୁର ଆଷ୍ଟର ହ୍ୱାଇଟଫିଲ୍ଡ ହସ୍ପିଟାଲର ମୁଖ୍ୟ ପରାମର୍ଶଦାତା ଡକ୍ଟର ଶ୍ରୀବତ୍ସ ଲୋକେଶ୍ୱରନ୍ ଏହାକୁ ନେଇ କହିଛନ୍ତି, ଏଚଏମପିଭିକୁ କୋଭିଡ୍ ୧୯ ସହ ତୁଳନା କରିବା ମୂର୍ଖତା ହେବ । କାରଣ ଏଚଏମପିଭି ଏକ କମ୍ ସଂକ୍ରମିତ ହେଉଥିବା ଭାଇରସ । ଯାହା ଆଗରୁ ହିଁ ଏହାର ଅବସ୍ଥିତି ଜାହିର କରିଛି । ଯାହା ମୁଖ୍ୟତଃ ପାଞ୍ଚ ବର୍ଷରୁ କମ୍ ବୟସ୍କ ପିଲା ଏବଂ ୬୫ ବର୍ଷରୁ ଅଧିକ ବୟସ୍କମାନଙ୍କୁ ବେଶୀ ପ୍ରଭାବିତ କରିଥାଏ । ଯେକୌଣସି ଭାଇରସ ସମୟ ଅନୁସାରେ ପରିବର୍ତ୍ତନ ହୋଇପାରେ ଏବଂ ଅଧିକ ଭୟଙ୍କର ହୋଇପାରେ । କିନ୍ତୁ ବର୍ତ୍ତମାନର ତଥ୍ୟ ଅନୁଯାୟୀ ଏଚଏମପିଭିରେ ମହାମାରୀ ଭଳି ସମ୍ଭାବନାକୁ ଚିହ୍ନିତ କରୁନାହିଁ ।
ଆଉ ଆଉ ଏହି ଦୁଇ ଭାଇରସ୍ ମଧ୍ୟରେ ଏକ ପ୍ରମୁଖ ପାର୍ଥକ୍ୟ ହେଉଛି ଟୀକାକରଣ ଉପଲବ୍ଧତା । ଯଦିଓ କୋଭିଡ୍-୧୯ ପାଇଁ ପ୍ରଭାବଶାଳୀ ଭାକସିନ୍ ରହିଛି ହେଲେ ଏଚଏମପିଭି ପାଇଁ ଏପର୍ଯ୍ୟନ୍ତ କୌଣସି ଟୀକା ଉପଲବ୍ଧ ହୋଇନାହିଁ । ଏହା ବ୍ୟତୀତ, ଆଣ୍ଟିଭାଇରାଲ ଟ୍ରିଟମେଣ୍ଟ ଏଚଏମପିଭି ପାଇଁ ସୀମିତ ରହିଛି । ଯେତେବେଳେ କି କୋଭିଡ-୧୯ ପାଇଁ ପାକ୍ସଲୋଭିଡ୍ ଭଳି ଚିକିତ୍ସା ରହିଛି ।