Latest Odisha News

BREAKING NEWS

ଗୋଷ୍ଠୀ କନ୍ଦଳ ହେବ କି ବିଜେପି ପାଇଁ କାଳ ?

ଭୁବନେଶ୍ବର: ବିଜେପିରେ ଅଲ୍ ଇଜ ନଟ୍ ଓ୍ବେଲ୍ । ରଥଯାତ୍ରା ପରଠୁ ଗୋଟେ ପରେ ଗୋଟେ ଘଟଣାରୁ ଏକଥା ବେଶୀ ବେଶୀ ସ୍ପଷ୍ଟ ହେବାରେ ଲାଗିଛି । କ୍ଷମତାରେ ଥିବା ଗୋଷ୍ଠୀ ଓ ଅନ୍ୟ ଏକ ପ୍ରଭାବଶାଳୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା କନ୍ଦଳ, ଦାଣ୍ଡରେ ପଡି ହାଟରେ ଗଡିଲାଣି । ବିଶେଷ କରି ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣା ଦଳ ଭିତର କଳିକୁ ପଦାରେ ପକାଇ ଦେଇଛି । ବିରୋଧୀଙ୍କଠାରୁ ବିଜେପି ନେତା ଓ କର୍ମୀ ଦଳର ଚିନ୍ତା ଅଧିକ ବଢାଇଛନ୍ତି । କେବଳ ରାଜ୍ୟ ନୁହେଁ ସାରା ଦେଶରେ ଚର୍ଚ୍ଚାକୁ ଆସିଛନ୍ତି ରାଜ୍ୟ ବିଜେପି ସରକାର । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବାକୁ ଓଏଏସ ସଂଘ ଅଡି ବସିଥିବା ବେଳେ ପ୍ରଭାବଶାଳୀ ଗୋଷ୍ଠୀ ବାଟ ଓଗାଳିଥିବା ଚର୍ଚ୍ଚା ହେଉଛି ।

ବିଜେପି କନ୍ଦଳ ଦିଶୁଛି ଜଳଜଳ

ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ମରା ଘଟଣାରେ ବିବାଦରେ ଫସିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଓଡିଶା ପ୍ରଶାସନିକ ସେବା ସଂଘ ତାଙ୍କୁ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି । ବିଭିନ୍ନ ଜିଲ୍ଲାରେ ଓଏଏସ ଅଧିକାରୀ କଲମ ଛାଡ ଆନ୍ଦୋଳନ କଲେଣି । ହେଲେ ନା ଦଳ ନା ସରକାର, ଜଗନ୍ନାଥ ପ୍ରଧାନଙ୍କୁ ନେଇ କୌଣସି ନିଷ୍ପତ୍ତି ନେଇ ପାରୁନାହାନ୍ତି । ଏହା ପଛରେ ବିଜେପିର ଏକ ପ୍ରଭାବଶାଳୀ ଗୋଷ୍ଠୀକୁ କାରଣ କୁହାଯାଉଛି । ଚର୍ଚ୍ଚା ହେଉଛି, ଜଗନ୍ନାଥ ପ୍ରଧାନ ସେହି ଗୋଷ୍ଠୀର ନେତା। ତେଣୁ ତାଙ୍କ ଉପରେ କୌଣସି ଆକ୍ସନ୍ ନେବାର ବାଟ ଓଗାଳିଛନ୍ତି ଗୋଷ୍ଠୀର ଟାଣୁଆ ନେତା । ଓଏଏସ ସଂଘ ଜିଦରେ ଅଟଳ ଥିବା ବେଳେ ସରକାର ଓ ଦଳ ଅସହାୟ ଅବସ୍ଥାରେ ଥିବା ଚର୍ଚ୍ଚା ହେଉଛି । ଖାଲି ସେତିକି ନୁହେଁ ଏହି ବିବାଦ ଭିତରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗଙ୍କ ପ୍ରତିକ୍ରିୟା ଦଳ ଭିତରର କଳିକୁ ଖୋଲାଖୋଲି ଦେଖାଇ ଦେଇଛି ।

ରଥଯାତ୍ରା ବିଭ୍ରାଟ ପଛରେ ବି ଗୋଷ୍ଠୀ ବିବାଦ !

ଚଳିତ ବର୍ଷ ରଥଯାତ୍ରାରେ ବ୍ୟାପକ ଅବ୍ୟବସ୍ଥା ସାମନାକୁ ଆସିଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇପାରିଲାନି । ବିଧି ରକ୍ଷା ପାଇଁ ମାତ୍ର କେଇ ହାତ ଗଡିଲା ରଥ । ମାତ୍ରାଧିକ ଭିଆଇପି ଓ ଭିଭିଆଇପି ପାସଧାରୀଙ୍କ ଭିଡ଼କୁ ଆଉ ଏହା ପଛର କାରଣ କୁହାଗଲା । ଚର୍ଚ୍ଚା ହେଲା, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଦୁଇ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀ ହଜାର ହଜାର ସଂଖ୍ୟାରେ ପାସ୍ ବାଣ୍ଟିବାରୁ ଅବ୍ୟବସ୍ଥା ହେଲା । ଏହା ମଧ୍ୟରେ ଜଣେ ବିଜେପିର ସେହି ପ୍ରଭାବଶାଳୀ ଗୋଷ୍ଠୀର ମନ୍ତ୍ରୀ ରହିଥିବା କୁହାଗଲା । ପତିଆରା ଦେଖାଇବାକୁ ଅଧିକରୁ ଅଧିକ ପାସ ବଣ୍ଟନ ଓ କର୍ଡନ ଭିତରେ ମାତ୍ରାଧିକ ଭିଡ ଯୋଗୁଁ ମହାପ୍ରଭୁଙ୍କ ରଥ ଟଣା ଯାଇପାରିଲାନି ବୋଲି ଅଭିଯୋଗ ହେଲା । ଏପରିକି ଶରଧାବାଲି ଦଳାଚକଟା ଘଟଣା ପରେ ସମାନ ଗୋଷ୍ଠୀର ସଂପୃକ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯିବା ପରେ ବି ସେ ଏହାକୁ ଏଡାଇ ଦେଇଥିବା ବି ଚର୍ଚ୍ଚା ହେଉଛି ।

ଅଟକିଛି ସଭାପତି ନିର୍ବାଚନ

ବିଜେପିର ଗୋଷ୍ଠୀ କନ୍ଦଳ ଯୋଗୁଁ ହିଁ ରାଜ୍ୟ ସଭାପତି ନିର୍ବାଚନ ହୋଇ ପାରିନଥିବା କୁହାଯାଉଛି । ପ୍ରଭାବଶାଳୀ ଗୋଷ୍ଠୀ ଯୋଗୁଁ ଚାପରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲ । ତୃଣମୂଳସ୍ତରର ନେତାଙ୍କୁ ପ୍ରଭାବିତ କରି ମନମୋହନ ସାମଲଙ୍କ ବିକଳ୍ପ ଭାବେ ଅନ୍ୟ ନେତାଙ୍କୁ ଠିଆ କରାଯାଉଥିବା ଚର୍ଚ୍ଚା ହେଉଛି । ଏପରିକି ସମାନ କାରଣ ପାଇଁ ବର୍ଷେ ପରେ ବି ବାକି ମନ୍ତ୍ରୀପଦ ଓ ନିଗମ ସଭାପତି ପଦ ପୂରଣ ହୋଇପାରିନଥିବା କୁହାଯାଉଛି । ମନ୍ତ୍ରିମଣ୍ଡଳରେ ବି ଗୋଷ୍ଠୀ ବିବାଦ ରହିଥିବାରୁ ରାଜ୍ୟ ସରକାରଙ୍କ ପ୍ରଦର୍ଶନ ଉପରେ ଏହାର ପ୍ରଭାବ ପଡୁଛି । କେବଳ ମନ୍ତ୍ରୀ କିମ୍ବା ନେତା ନୁହଁନ୍ତି ଅମଲାତନ୍ତ୍ର ଉପରେ ବି ଗୋଷ୍ଠୀ କନ୍ଦଳର ପ୍ରଭାବ ଦେଖିବାକୁ ମିଳୁଛି ।

ରାଜ୍ୟରେ ବିଜେପି ଜିତିବା ପରେ ସେହି ପ୍ରଭାବଶାଳୀ ଗୋଷୀର ନେତାଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ଆଗରେ ରହିଥିଲା । କାରଣ ସଂଗଠନଠାରୁ ଆରମ୍ଭ କରି ପ୍ରଚାର ପର୍ଯ୍ୟନ୍ତ ସେ ଆଗରେ ରହିଥିଲେ। ତେବେ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ବାଛି ବଡ ସରପ୍ରାଇଜ ଦେଇଥିଲେ ବିଜେପି ହାଇକମାଣ୍ଡ । ତେବେ ରାଜ୍ୟ ରାଜନୀତିରେ ସଂପୃକ୍ତ ଗୋଷ୍ଠୀର ପ୍ରଭାବ ଆଗ ଭଳି ରହିଥିଲା, ଗୋଷ୍ଠୀର ଅନେକ ନେତାଙ୍କୁ ମନ୍ତ୍ରୀପଦ ମିଳିବା ଏହାର ବଡ଼ ପ୍ରମାଣ । ତେବେ ମୋହନ ମାଝୀ ନିଜ ଟିମ୍ ବନାଇବାକୁ ଦିଲ୍ଲୀରୁ ଗ୍ରୀନ୍ ସିଗନାଲ ପାଇବା ପରେ ଦଳ ଭିତରର ଗୋଷ୍ଠୀ କନ୍ଦଳ ବେଶୀ ପଦାରେ ପଡିଛି । ପୁରୀ ରଥଯାତ୍ରା ବିଭ୍ରାଟ ହେଉ କି ବିଏମସି ଅଧିକାରୀଙ୍କୁ ମାଡ଼, କେଉଁଠି ନା କେଉଁଠି ସରକାର ଓ ଦଳର ଛବି ଖରାପ ହୋଇଛି । ଆଗକୁ ବି ଏହି ଧାରା ଜାରି ରହିଲେ, ଲୋକଙ୍କ ବିଶ୍ବାସ ହରାଇପାରେ ଦଳ ।

Comments are closed.