ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସାଧାରଣ ସମ୍ପାଦକ ତଥା ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ସୁଦିପ ସାମଲ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ସମ୍ବୋର୍ଦ୍ଧିତ କରି ବିଜୁ ଜନତାଦଳ ସରକାରର ୨୪ ବର୍ଷ ଶାସନ କାଳରେ ଓଡ଼ିଶା ପାଇଛି କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି ।
୨୦୦୦-୦୯ ମସିହା ପର୍ଯ୍ୟନ୍ତ ଦୀର୍ଘ ୯ ବର୍ଷ ଧରି ବିଜେଡ଼ି ଓ ବିଜେପି ଓଡ଼ିଶାରେ ଏକ ମିଳିତ ସରକାର ଗଠନ କରି ଶାସନରେ ଥିଲେ । ୨୦୦୯ ମସିହାରୁ ଆଜି ପର୍ଯ୍ୟନ୍ତ ଲଗାତର ୧୫ବର୍ଷ କାଳଧରି ବିଜୁ ଜନତା ଦଳ ଏକାକି ରାଜ୍ୟରେ ଶାସନ କରୁଥିଲା ବେଳେ ଏହି ୨୪ ବର୍ଷ ଭିତରେ ନବୀନ ପଟ୍ଟନାୟକ ହିଁ ମୁଖ୍ୟମନ୍ତ୍ରୀ ଥାଇ ଏ ରାଜ୍ୟର ଯେଉଁ ମୌଳିକ ସମସ୍ୟାଗୁଡ଼ିକୁ କାହିଁକି ସମାଧାନ ହୋଇପାରିଲା ନାହିଁ ବୋଲି ପ୍ରଶ୍ନ କରିଥିଲେ । ଦୁଇ ଦଶନ୍ଧି, ୪ ବର୍ଷ କ’ଣ ଏକ ଛୋଟ ସମୟ କି? ୨୦୦୦ ମସିହାରେ ଦେଇଥିବା ପ୍ରତିଶ୍ରୁତି ଗୁଡ଼ିକ ଆଜିପର୍ଯ୍ୟନ୍ତ ପୂରଣ କରିପାରିଲେ ନାହିଁ । ଏହି ୨୪ ବର୍ଷ ଭିତରେ ଓଡ଼ିଶାର ଦାରିଦ୍ର୍ୟତା କମିବା ପରିବର୍ତେ ଆଜି ମଧ୍ୟ ରାଜ୍ୟର ୧୦ଟି ଆଦିବାସୀ ପ୍ରବଣ ଜିଲ୍ଲା ମାନଙ୍କରେ ୪୨ ପ୍ରତିଶତରୁ ୫୨ ପ୍ରତିଶତ ଲୋକ ଦରିଦ୍ର କାହିଁକି? ପ୍ରତିବର୍ଷ ୨ଲକ୍ଷ ନିଯୁକ୍ତି ସୃଷ୍ଟି କରିବାପାଇଁ ଏ ସରକାର ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ସରକାରୀ ଦପ୍ତରରେ ଖାଲିପଡ଼ିଥିବା ୨ଲକ୍ଷ ୩୬ ହଜାର ପଦବୀ ବର୍ଷ ବର୍ଷ ଧରି କାହିଁକି ପୂରଣ କରାଯାଉନାହିଁ । ବେକାରୀ କ୍ଷେତ୍ରରେ ଓଡ଼ିଶା ଆଜି ୧ ନମ୍ବର ବୋଲି ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି ।
ଓଡ଼ିଶାରୁ ୩୦ଲକ୍ଷରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ ଦାଦନ ଖଟିବାପାଇଁ ବିଭିନ୍ନ ରାଜ୍ୟକୁ ଯାଉଛନ୍ତି। ରାଜ୍ୟରେ ୪୫ ଲକ୍ଷରୁ ଅଧିକ ଯୁବକ ଯୁବତୀ ବେରୋଜଗାର। ମହିଳା ଅତ୍ୟାଚାର ଓ ହିଂସା କ୍ଷେତ୍ରରେ ଓଡ଼ିଶା ଆଜି ସାରା ଭାରତବର୍ଷରେ ଚତୁର୍ଥ ସ୍ଥାନ ଗ୍ରହଣ କରିଛି। ୨୦୦୦ ମସିହାରେ ମହିଳା ଅତ୍ୟାଚାର ଓ ହିଂସା କାଁ ଭାଁ ଶୁଣିବାକୁ ମିଳୁଥିଲା କିନ୍ତୁ ଏବେ ପ୍ରତିଦିନ ୯ ଜଣ ମହିଳା ଧର୍ଷଣର ଶିକାର ହେଉଛନ୍ତି, ତନ୍ମ ମଧ୍ୟରୁ ୫ଜଣ ଅପ୍ରାପ୍ତ ବୟସ୍କା, ଏହା କ’ଣ ଠିକ ନୁହେଁ କି? ମହିଳାମାନଙ୍କ ସଶକ୍ତିକରଣ କଥା କୁହାଯାଉଛି କିନ୍ତୁ ରାଜ୍ୟର ସମସ୍ତ ସ୍କୁଲ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷକମାନଙ୍କର ମରୁଡ଼ି ପଡ଼ିଛି । ମହିଳାମାନେ ଗୁଣାତ୍ମକ ଶିକ୍ଷା ପାଇବେ ନାହିଁ ସଶକ୍ତ କିପରି ହେବେ? ଯେଉଁମାନେ ସ୍ୱୟଂସହାୟିକା ଗୋଷ୍ଠିରେ ସାମିଲ ହେଲେ ସେମାନେ ସଶକ୍ତ ହୋଇଗଲେ କହିବା ଠିକ ନୁହେଁ। ଏବେ ମହିଳା ଅସଦାଚରଣ ଏବଂ ଶିଶୁ ନିଖୋଜ ଠାରୁ ଆରମ୍ଭ କରି ମୋଲେଷ୍ଟ୍ରେସନ, ଧର୍ଷଣ ବର୍ଷକୁ ବର୍ଷ ବହୁପରିମାଣରେ ବୃଦ୍ଧି ପାଉଛି । ରାଜ୍ୟ ଋଣଗସ୍ତରେ ଉବୁଟୁବୁ ହେଉଛି । ୨୪ ବର୍ଷ ଶାସନକାଳ ଭିତରେ ରାଜ୍ୟର ଜନସାଧାରଣଙ୍କ ଆୟର କୌଣସି ବୃଦ୍ଧି ଘଟିନାହିଁ ।
ଏତେଗୁଡ଼ିଏ ଟଙ୍କା କାହିଁକି ଶିଳ୍ପପତି ଓ ବ୍ୟବସାୟୀମାନେ ଦେଇଛନ୍ତି ଏହା ଦ୍ୱାରା ସେମାନେ ସରକାରଙ୍କ ଦ୍ୱାରା କ’ଣ ଲାଭ ପାଇଛନ୍ତି ତାହା ଭାରତୀୟ ଜନତାପାର୍ଟିର ନେତୃବୃନ୍ଦ ଜନସାଧାରଣଙ୍କ ସମ୍ମୁଖରେ ରଖନ୍ତୁ । ସ୍ୱଚ୍ଛତା କଥା କାଗଜ କଲମରେ କିନ୍ତୁ କାମରେ ଦେଖାନ୍ତୁ । ବିକାଶର ଚିତ୍ର କେବଳ ଗଣମାଧ୍ୟମରେ ପ୍ରଚାରିତ କରାଯାଉଛି । କିନ୍ତୁ ନଗଡ଼ାର ସୃଷ୍ଟିକର୍ତା କିଏ? ଓଡ଼ିଶାର ଯାଜପୁରରେ କେବଳ ନଗଡ଼ା ନାହିଁ, ସ୍ୱର୍ଣ୍ଣଗର୍ଭା କେନ୍ଦୁଝର, ସୁନ୍ଦରଗଡ଼, ମୟୁରଭଞ୍ଜ, ଝାରସୁଗୁଡ଼ା ଓ କଳାହାଣ୍ଡିର ଚିତ୍ର ମଧ୍ୟ ସମାନ । ଆଜି ମଧ୍ୟ ଶବବାହକ ଗାଡ଼ିଟିଏ ମିଳୁନାହିଁ ଏହାପରେ ମୁଖ୍ୟମନ୍ତ୍ରୀ ଓ ବିଜୁଜନତା ଦଳ ୧୦ବର୍ଷ ମାଗିବା ଅତ୍ୟନ୍ତ ଲଜ୍ଜାଦାୟକ କଥା । ରାଜସ୍ୱ ଆଦାୟ ନାମରେ ନିଶାକାରବାରକୁ ପ୍ରୋତ୍ସାହନ କରି ଯୁବବର୍ଗଙ୍କୁ ପଥଭ୍ରଷ୍ଟ କରାଇବା ଛଡ଼ା ନବୀନ ବାବୁ ଯୁବ ବର୍ଗମାନଙ୍କ ପାଇଁ କ’ଣ କରିଛନ୍ତି ଓଡ଼ିଶାବାସୀଙ୍କୁ ଜବାବ ରଖନ୍ତୁ । ବିଗତ ଦିନରେ ଯୁବ କଂଗ୍ରେସ ପକ୍ଷରୁ ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରୁ ଆସିଥିବା ଯୁବ କଂଗ୍ରେସ କର୍ମୀମାନେ ନବୀନ ବାବୁଙ୍କୁ ପ୍ରଶ୍ନ ପଚାରିବା ପାଇଁ ନବୀନ ନିବାସ ଯାଉଥିବା ସମୟରେ ସେମାନଙ୍କୁ ରାସ୍ତାରେ ପୋଲିସ ଲଗାଇ ଅଟକାଯାଇଥିଲା । ଏବେ ସମୟ ଆସିଛି ନବୀନ ବାବୁ ଏବଂ ତାଙ୍କ ଦଳର ନେତାମାନେ ଭୋଟ ମାଗିବା ପାଇଁ ଗାଁ ଗଣ୍ଡାକୁ ଯିବା ସମୟରେ ଯୁବ କଂଗ୍ରେସର କର୍ମକର୍ତାମାନଙ୍କର ପ୍ରଶ୍ନର ଉତର ରଖିବେ ତାହାପରେ ଭୋଟ ମାଗିବାପାଇଁ ଜନସାଧାରଣଙ୍କ ପାଖକୁ ଯିବେ । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ଗୁଲଫାମ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସଂପାଦକ କେଦାର ଦଳାଇ, ଯୁବ କଂଗ୍ରେସ ନେତା ମହମ୍ମଦ ପରଭେଜ ଉପସ୍ଥିତ ଥିଲେ ।
Comments are closed.