Latest Odisha News

BREAKING NEWS

ଇଶା ଅମ୍ବାନିଙ୍କୁ ‘ସ୍ମିଥ୍ସୋନିୟନ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟ’ ବୋର୍ଡରେ ନିଯୁକ୍ତି

ଭୁବନେଶ୍ବର : ଆମେରିକାର ଓ୍ୱାସିଂଟନ ଡିସି ସ୍ଥିତ ସ୍ମିଥ୍ସୋନିୟନ୍ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟ ବୋର୍ଡରେ ଇଶା ଅମ୍ବାନିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେ ହେଉଛନ୍ତି ବୋର୍ଡର ସବୁଠୁ କମ୍ ବୟସର ସଦସ୍ୟା । ଚାରି ବର୍ଷ ଅବଧି ପାଇଁ ତାଙ୍କୁ ବୋର୍ଡରେ ନିଯୁକ୍ତି ମିଳିଛି । ଇଶାଙ୍କ ବ୍ୟତୀତ ଏହି ବୋର୍ଡରେ କ୍ୟାରୋଲିନ୍ ବ୍ରେହମ୍ ଓ ଫିଟର କିମେଲମ୍ୟାନଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ୧୭ ଜଣିଆ ସଦସ୍ୟ ବିଶିଷ୍ଟ ବୋର୍ଡରେ ଆମେରିକାର ଉପରାଷ୍ଟ୍ରପତି, ଆମେରିକାର ପ୍ରଧାନ ବିଚାରପତି, ଆମେରିକା ସିନେଟର ୩ ଜଣ ସଦସ୍ୟ ଓ ଆମେରିକା ହାଉସ୍ ଅଫ ରିପ୍ରେଜେଣ୍ଟେଟିଭର ୩ ଜଣ ସଦସ୍ୟ ସାମିଲ ହୋଇଛନ୍ତି ।

ସ୍ମିଥ୍ସୋନିୟନ୍ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟ ପକ୍ଷରୁ ଇଶା ଅମ୍ବାନିଙ୍କ ବିଷୟରେ କୁହାଯାଇଛି ଯେ, ଭାରତରେ ଯେଉଁ ଡିଜିଟାଲ୍ ବିପ୍ଳବ ଆସିଛି ସେ ତାହାର ନେତୃତ୍ବ ନେଉଛନ୍ତି । ସେ ହେଉଛନ୍ତି ରିଲାଏନ୍ସ ଜିଓ ଇନ୍ଫୋକମର ନିର୍ଦ୍ଦେଶିକା ଏବଂ ଜିଓ ପ୍ଲାଟଫର୍ମସ୍ ପାଇଁ ପୁଞ୍ଜି ନିବେଶ ଯୋଗାଡ଼ କରିବା ଲାଗି ଯେଉଁ ଟିମ୍ କାର୍ଯ୍ୟ କରୁଥିଲା, ସେ ତାହାର ସଦସ୍ୟା ଥିଲେ । ଏହି ଟିମ୍ ଫେସବୁକର ୫.୭ ବିଲିଅନ ଡଲାର ପୁଞ୍ଜିନିବେଶ ଆଣିବା ବୁଝାମଣା କରିଥିଲା । ଫେସନ ପୋର୍ଟାଲ୍ ଆଜିଓ ଡଟ୍ କମର ଶୁଭାରମ୍ଭ ପଛରେ ମଧ୍ୟ ଇଶାଙ୍କ ହାତ ରହିଛି । ଇ-କମର୍ସ ସଂସ୍ଥା ଜିଓ ମାର୍ଟର ମଧ୍ୟ ସେ ଦେଖାଶୁଣା କରୁଛନ୍ତି । ଇଶା ୟେଲ୍ ବିଶ୍ବବିଦ୍ୟାଳୟ ଓ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର ଡିଗ୍ରି ହାସଲ କରିଛନ୍ତି । ଏବଂ ସେ ନ୍ୟୁୟର୍କର ମେକିନ୍ସେ ଆଣ୍ଡ କମ୍ପାନିରେ ବିଜନେସ୍ ଆନାଲିଷ୍ଟ ଭାବେ କାର୍ଯ୍ୟ କରିଥିଲେ ।

ସଂଗ୍ରହାଳୟର ନିର୍ଦ୍ଦେଶକ ଚେସ୍ ଏଫ୍ ରବିନସନ କହିଛନ୍ତି ଯେ ‘ସଂଗ୍ରହାଳୟରେ ନିଜର ସହଯୋଗୀ ଭାବେ ବୋର୍ଡକୁ ଏହି ସଦସ୍ୟଙ୍କୁ ସ୍ବାଗତ କରୁଥିବାରୁ, ମୋତେ ବହୁତ ଖୁସି ଲାଗୁଛି । ବୋର୍ଡର ଏହି ନୂଆ ସଦସ୍ୟଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଏହି ପ୍ରତିଭାଶାଳୀ ଓ ନୂଆ ସଦସ୍ୟଙ୍କ ଲକ୍ଷ୍ୟ ଓ ଉତ୍ସାହ ଆମର ସଂଗ୍ରହ ଓ ବିଶେଷଜ୍ଞତାକୁ ଆହୁରି ଅଧିକ ସମ୍ମୋହକ କରିପାରିବ । ଆମର ସଂଗ୍ରହକୁ ସଂପ୍ରସାରଣ କରିବା ଏବଂ ଏସୀୟ କଳା ଓ ସଂସ୍କୃତିକୁ ଭଲ ଭାବେ ବୁଝିବା ଲାଗି ଆମର ପ୍ରାୟସକୁ ଏହା ତ୍ବରାନ୍ବିତ କରିବ ।

୧୯୨୩ରେ ସ୍ଥାପନ କରାଯାଇଥିବା ସ୍ମିଥ୍ସୋନିୟନ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ୍ ଆର୍ଟ ନିଜର ଅସାଧାରଣ ସଂଗ୍ରହ, ପ୍ରଦର୍ଶନୀ, ଅନୁସନ୍ଧାନ, କଳା ସଂରକ୍ଷଣ ଓ ସଂରକ୍ଷଣ ବିଜ୍ଞାନରେ ନିଜ ସଦସ୍ୟଙ୍କ ପୁରୁଣା ପରମ୍ପରା ଓ ଉତ୍କୃଷ୍ଟତା ଯୋଗୁଁ ଆନ୍ତର୍ଜାତିକ ପ୍ରତିଷ୍ଠା ହାସଲ କରିଛି । ୨୦୨୩ରେ ସଂଗ୍ରହାଳୟ ନିଜ ଶତବାର୍ଷିକୀ ପାଳନ କରିବାକୁ ପ୍ରସ୍ତୁତ ହେଉଛି । ଏଭଳି ସମୟରେ ନୂଆ ବୋର୍ଡକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡ଼ିବ ।

Leave A Reply

Your email address will not be published.