Latest Odisha News

ହସ୍ପିଟାଲରେ ଭର୍ତ୍ତି ହେଲେ ଇଶାନ କିଷାନ, ମୁଣ୍ଡରେ ବାଜିଥିଲା ବଲ୍

ଧର୍ମଶାଳା(ହିମାଚଳପ୍ରଦେଶ): ହସ୍ପିଟାଲରେ ଭର୍ତ୍ତି ହେଲେ ଟିମ୍ ଇଣ୍ଡିଆର ଓପେନିଂ ବ୍ୟାଟ୍ସମ୍ୟାନ୍ ଇଶାନ୍ କିଷାନ । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ବେଳେ ମୁଣ୍ଡରେ ବଲ୍ ବାଜିଥିଲା । ଏହାପରେ ଚିକିତ୍ସା ପାଇଁ ତାଙ୍କୁ କାଙ୍ଗଡା ସ୍ଥିତ ଫୋର୍ଟିସ୍ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ଆଘାତ ଲାଗିଥିବା ସ୍ଥାନରେ କରାଯାଇଥିଲା ସିଟି ସ୍କାନ ।

ସିଟି ସ୍କାନ ପରେ ଇଶାନଙ୍କୁ ସାଧାରଣ ବେଡକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି । ଗତକାଲି ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳିବା ବେଳେ ଶ୍ରୀଲଙ୍କା ଦ୍ରୁତ ବୋଲର ଲାହିରୁ କୁମାରଙ୍କ ଏକ ବଲ୍ ତାଙ୍କ ମୁଣ୍ଡରେ ବାଜିଥିଲା । ଏହାପରେ ସେ ହେଲମେଟ୍ କାଢ଼ି ତଳେ ବସିଥିଲେ । ଫିଜିଓ ଆସି କିଛି ସମୟ ଚିକିତ୍ସା କରିବା ପରେ ପୁଣିଥରେ ଖେଳ ଜାରି ରଖିଥିଲେ ଇଶାନ। ପରେ ଲାହିରୁ କୁମାରଙ୍କ ବଲରେ ଆଉଟ୍ ହୋଇଥିଲେ ।

ଏବେ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି ଇଶାନ କିଷାନ । ସ୍ୱାସ୍ଥ୍ୟାବସ୍ଥା ଭଲ ଥିଲେ ବି ଆଗାମୀ ମ୍ୟାଚରେ ସେ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇଛି । ଇଶାନଙ୍କ ସହ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଦୀନେଶ ଚାଣ୍ଡିମଲଙ୍କୁ ମଧ୍ୟ ଆହତ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଫିଲଡିଂ କରିବା ବେଳେ ସେ ଆହତ ହୋଇଥିଲେ ।

Comments are closed, but trackbacks and pingbacks are open.