ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ତିଥି ଓ ପରମ୍ପରାକୁ ନେଇ ବିଶ୍ୱବ୍ୟାପୀ ଚାଲିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି । ବିଦେଶରେ ମନଇଚ୍ଛା ଓ ଅଦିନିଆ ତାରିଖରେ ରଥଯାତ୍ରା ଆୟୋଜନ କରିବାକୁ ନେଇ ଗଜପତି ମହାରାଜାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି ଇସ୍କନ ।
ଗତ ୪ ଜୁଲାଇ ୨୦୨୬ରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଇସ୍କନ ଗଭର୍ଣ୍ଣିଙ୍ଗ ବଡି କମିଶନ ଅଧ୍ୟକ୍ଷ ମଧୁସେବିତ ଦାସଙ୍କୁ ଏକ ଜରୁରୀ ପତ୍ର ଲେଖିଥିଲେ । ଏଥିରେ ସେ ୧୯ ଅକ୍ଟୋବର ୨୦୨୫ର ଜିବିସି ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ, ଯେଉଁଥିରେ ବିଦେଶରେ ମନଇଚ୍ଛା ତାରିଖରେ ଅଦିନିଆ ରଥଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ୭ ଜୁଲାଇ ୨୦୨୬ରେ ଇସ୍କନ ଅଧ୍ୟକ୍ଷ ମଧୁସେବିତ ଦାସ ଏକ ଇମେଲ୍ ଜରିଆରେ ଗଜପତିଙ୍କ ଏହି ଆବେଦନକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି ।
ସେ ଦୃଢ଼ତାର ସହ ଜଣାଇଛନ୍ତି ଯେ, “ଏହି ବିଷୟରେ ଅଧିକ କିଛି କହିବାର ନାହିଁ, ଏବଂ ଆମେ ସମ୍ମାନର ସହ ଏହି ଆଲୋଚନାରୁ ସଦାସର୍ବଦା ପାଇଁ ଓହରି ଯାଉଛୁ ।” ଗଜପତି ମହାରାଜା ନିଜ ଚିଠିରେ ସ୍ପଷ୍ଟ କରିଥିଲେ ଯେ ଶାସ୍ତ୍ର ମୁତାବକ ସ୍ନାନଯାତ୍ରା କେବଳ ଜ୍ୟେଷ୍ଠ ପୂର୍ଣ୍ଣିମା ଏବଂ ନବଦିନାତ୍ମକ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ହିଁ ଆରମ୍ଭ ହେବା ଉଚିତ । ଅଦିନିଆ ରଥଯାତ୍ରା ଆୟୋଜନ ଜଗନ୍ନାଥ ସଂସ୍କୃତିର ଅବମାନନା ବୋଲି ଗଜପତି ମହାରାଜ କହିଥିଲେ ।
ବିଦେଶରେ ଏହି ପରମ୍ପରା ଉଲ୍ଲଂଘନ ଯୋଗୁଁ ବିଶ୍ବବ୍ୟାପୀ ଜଗନ୍ନାଥ ପ୍ରେମୀ ଓ ଓଡ଼ିଆ ସମ୍ପ୍ରଦାୟ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ଇସ୍କନର ଏଭଳି ଏକତରଫା ଆଭିମୁଖ୍ୟ ପରେ ଗଜପତି ମହାରାଜା ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।