ପୁରୀ: ପୁଣି ଥରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଉଠାଇ ଏବେ ସମାଲୋଚନାର ପାତ୍ର ହୋଇଛି ଇସ୍କନ । ଚାରୁଆଡୁ ବିରୋଧର ସ୍ବର ଉଠିଥିବା ବେଳେ ଏବେ ଇସ୍କନ ବନ୍ଦ କରିଦେବା ପାଇଁ ଚେତାବନୀ ବି ମିଳିଲାଣି । ଏହାକୁ ନେଇ ପୂର୍ବରୁ କଳିଙ୍ଗ ସେନା ଇସ୍କନକୁ ଚେତାବନୀ ଦେଇଥିବା ବେଳେ ଏବେ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ମଧ୍ୟ ସମାନ କଥା କହିଛନ୍ତି ।
ଏନେଇ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି, ଇସ୍କନ ଯଦି ଜଗନ୍ନାଥ ସଂସ୍କୃତି ବିରୋଧି କାମ କରେ ତେବେ ପୁରା ଇସ୍କନ ବନ୍ଦ କରିଦେବୁ । ପୂର୍ବରୁ ତାଙ୍କୁ ଚେତାବନୀ ଦିଆଯାଇଥିବା ବେଳେ ପୁଣି ଏଥର ସେମାନେ ନିୟମ ବିରୁଦ୍ଧ କାମ କରୁଛନ୍ତି । ରଥଯାତ୍ରା ଯଦି ବନ୍ଦ ନହୁଏ. ତାହାଲେ ଇସ୍କନ ବନ୍ଦ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।
ସେହିପରି ଇସ୍କନକୁ ଚେତାବନୀ ଦେଇଛି କଳିଙ୍ଗ ସେନା । ପରମ୍ପରା ସଂସ୍କୃତିକୁ ବଦଳାଇ ବାକୁ ଚେଷ୍ଟା କଲେ ଇସ୍କନ ମନ୍ଦିର ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । କେବଳ ଓଡ଼ିଶା ନୁହେଁ ଅନ୍ୟ ଜାଗାରେ ଥିବା ଇସ୍କନ ମନ୍ଦିର ବନ୍ଦ କରିବାକୁ ଓଡ଼ିଆ ପ୍ରବାସୀଙ୍କୁ ଆହ୍ବାନ ଦେଇଛି ସଂଗଠନ । ଅଦିନିଆ ରଥଯାତ୍ରାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି କିଛି ଏଭଳି ଚେତାବନୀ ଦେଇଛି କଳିଙ୍ଗ ସେନା ।
ତେବେ ରଥଯାତ୍ରା ନକରିବାକୁ ପୂର୍ବ ପ୍ରତିଶ୍ରୁତିରୁ ଓହରି ଏଥର ଇସ୍କନ ପୁଣି ଆମେରିକାର ହ୍ୟୁଷ୍ଟେନରେ ଆସନ୍ତା ୩ ତାରିଖରେ ସ୍ନାନ ଯାତ୍ରା ଏବଂ ୯ ତାରିଖରେ ରଥଯାତ୍ରାର ଆୟୋଜନ କରିବ ବୋଲି ଘୋଷଣା କରିଥିଲା । ଆଷାଢ଼ ଶୁକ୍ଳ ଦ୍ୱିତୀୟା ବଦଳରେ ନିଜକୁ ସୁହାଉଥିବା ଯେ କୌଣସି ସମୟରେ ଇସ୍କନର ଏଭଳି ସ୍ନାନଯାତ୍ରା ଓ ରଥଯାତ୍ରାର ଆୟୋଜନକୁ ନେଇ ରାରିଆଡୁ ସୃଷ୍ଟି ହୋଇଥିଲା ତୀବ୍ର ପ୍ରତିକ୍ରିୟା । ଏହାକୁ ନେଇ ପ୍ରତିବାଦ କରି ଇସ୍କନକୁ ଚିଠି ଲେଖିଥିଲେ ଗଜପତି ମହାରାଜା । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ରଥଯାତ୍ରା କରିବାକୁ କହି ତାଗିଦ୍ କରି କହିଥିଲେ । ତେବେ ଏହାପରେ ଇସ୍କନ ଆସନ୍ତା ନଭାମ୍ବର ୩ ହେବାକୁ ଥିବା ସ୍ନାନ ଯାତ୍ରାକୁ ବାତିଲ କରିଛି । ହେଲେ ରଥଯାତ୍ରା ବାତିଲ୍ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।
Comments are closed.