Latest Odisha News

BREAKING NEWS

ଭୟଙ୍କର ହେଉଛି ଇସ୍ରାଏଲ୍-ହମାସ୍ ଯୁଦ୍ଧ: ପୁଣି ଗାଜାରେ ଏୟାରଷ୍ଟ୍ରାଇକ୍, ପାଲେଷ୍ଟାଇନକୁ ମାନବିକ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ: ଦିନକୁ ଦିନ ଘନେଇବାରେ ଲାଗିଛି ଇସ୍ରାଏଲ ଏବଂ ହମାସ ଯୁଦ୍ଧ । ଏହାରିଭିତରେ ଇସ୍ରାଏଲ ହାମାସ ଉପରେ ସବୁଠାରୁ ବଡ ଏୟାର ଷ୍ଟ୍ରାଇକ୍ କରିଛି । ହମାସର ଅଲ-ଅଂସାର ମସଜିଦ ଉପରେ ବୋମା ପକାଇଛି ଇସ୍ରାଏଲ । ତେବେ ଏନେଇ ଇସ୍ରାଏଲ ନିଜର ପକ୍ଷ ରଖି କହିଛି ଯେ, ହମାସ ଯୋଦ୍ଧାମାନେ ଏହି ମସଜିଦରେ ଲୁଚି ରହିଥିଲେ ଏବଂ ଏକ ଆତଙ୍କବାଦୀ ଘଟଣା କରିବାକୁ ଯୋଜନା କରିଥିଲେ। ତେଣୁ ଆମେ ଏହି ଏୟାର ଷ୍ଟ୍ରାଇକ କରିଛୁ ।

ଅନ୍ୟପକ୍ଷରେ ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଲାଗିରହିଥିବା ଯୁଦ୍ଧକୁ ରୋକିବା ଉଦ୍ଦେଶ୍ୟରେ ଗତକାଲି ଇଜିପ୍ଟ ରାଜଧାନୀ କାଇରୋରେ ଶାନ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ତୁରନ୍ତ ଯୁଦ୍ଧବିରତି ପାଇଁ ଆହ୍ୱାନ ଦେଇଛନ୍ତି ଆରବ ରାଷ୍ଟ୍ର ଗୁଡିକର ନେତା ମାନେ । ଅନ୍ୟପଟେ ମିଳିତ ଜାତିସଂଘର ହସ୍ତକ୍ଷେପ ପରେ ଗାଜାରେ ପହଞ୍ଚିଛି ମାନବୀୟ ସହାୟତା । ଇଜିପ୍ଟ ସୀମା ଦେଇ ଏହି ସହାୟତାର ଟ୍ରକ୍ ଯାଇଥିବା ସୂଚନା ମିଳିଛି। ରାଫା ସୀମା ଦେଇ ଅନେକ ଟ୍ରକ୍‌ ଗାଜାକୁ ଏଣ୍ଟ୍ରି କରିଛି। ଯୁଦ୍ଧଗ୍ରସ୍ତ ଫିଲିସ୍ତିନୀଙ୍କୁ ଏହି ଟ୍ରକ ଜରିଆରେ ମାନବୀୟ ସହାୟତା ପଠାଯାଉଛି। କେବଳ ଇଜିପ୍ଟ ନୁହେଁ ଅନେକ ଦେଶରୁ ଗାଜାକୁ ରିଲିଫ ସାମଗ୍ରୀ ପଠାଯାଉଛି। ଚିକିତ୍ସା ସହାୟତା ଏବଂ ଅନ୍ୟାନ୍ୟ ରିଲିଫ ସାମଗ୍ରୀରେ ଭର୍ତ୍ତି ଟ୍ରକଗୁଡ଼ିକ ରାଫା ସୀମା ଦେଇ ଗାଜା ଭିତରକୁ ଛାଡା ଯାଇଛି।

ଭାରତ ପାଲେଷ୍ଟାଇନୀୟମାନଙ୍କୁ ମାନବିକ ସହାୟତା ପଠାଇଛି। ଭାରତୀୟ ବାୟୁସେନାର ସି-୧୭ ବିମାନ ପ୍ରାୟ ୬.୫ ଟନ୍ ମେଡିକାଲ୍ ଏବଂ ୩୨ ବିପର୍ଯ୍ୟୟ ପ୍ରଶମନ ସାମଗ୍ରୀ ନେଇ ଇଜିପ୍ଟର ଏଲ୍-ଆରିଶ ବିମାନବନ୍ଦରକୁ ଯାତ୍ରା କରିଛି। ଆଜି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏହି ସୂଚନା ଦେଇଛନ୍ତି । ଅରିନ୍ଦମ ବାଗଚି ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସୂଚନା ଦେଇଛନ୍ତି। ଭାରତ ପଠାଇଥିବା ରିଲିଫ୍ ସାମଗ୍ରୀରେ ଅତ୍ୟାବଶ୍ୟକ ଜୀବନ ରକ୍ଷାକାରୀ ଔଷଧ, ସର୍ଜିକାଲ୍ ଆଇଟମ୍, ଟେଣ୍ଟ୍, ଶୋଇବା ବ୍ୟାଗ୍, ଟାରପଲିନ୍, ପରିମଳ ସୁବିଧା, ଜଳ ବିଶୋଧନ ଟାବଲେଟ୍ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଅନ୍ତର୍ଭୁକ୍ତ।

 

Leave A Reply

Your email address will not be published.