Latest Odisha News

ଲହୁଲୁହାଣ ଡାକ୍ତରଖାନାର ଛାତିଥରା ଦୃଶ୍ୟ: ମା’ କୋଳରେ ହସୁଛି ଶିଶୁ-ମା’ ଗଣୁଛି ହସର ଆୟୁଷ

ନୂଆଦିଲ୍ଲୀ: ଯୁଦ୍ଧ ସବୁବେଳେ ବେପରୁଆ । କିଛି ବୁଝେନା । କିଏ ମଲା, କିଏ ରହିଲା..କିଏ ହସିଲା ବା କିଏ କାନ୍ଦିଲା…ଏସବୁ କାହିଁକି ଯୁଦ୍ଧ ଜାଣିବ ? ଯୁଦ୍ଧ ଜାଣେ ହାରିବା..ଜିତିବା..ମାରିବା…ଧ୍ୱଂସ କରିବା । ହେଲେ ଯୁଦ୍ଧର ବିଭୀଷିକା ଭିତରେ କେତେ ମା’ର ଲୁହ.. କେତେ ବାପାଙ୍କ ଅସହାୟତା …କେତେ ଶିଶୁର ନିରୀହ ଚାହାଣୀ ଆଉ କେତେ ପ୍ରେମୀଙ୍କ ବିଚ୍ଛେଦ… ହଜିଯାଏ କିଏ ତାର ହିସାବ ରଖେ ?

ଏମିତି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ଇସ୍ରାଏଲ ଆଉ ପାଲେଷ୍ଟାଇନରୁ । ଡାକ୍ତରଖାନାରେ ବୋମାମାଡରେ ୫୦୦ ଲୋକଙ୍କ ଜୀବନ ଯିବା ପରେ ସେଠାରୁ ଆସିଛି ହୃଦୟଥରା ଦୃଶ୍ୟ । ମା କୋଳରେ ହସୁଛି କୁନି ଶିଶୁ । ସେ ଜାଣେନି ଯୁଦ୍ଧ କ’ଣ ? ହମାସ..ପାଲେଷ୍ଟାଇନ କେଉଁଠି ଅଛନ୍ତି ? ହେଲେ ଛାତି ଫଟାଇ କାନ୍ଦୁଛି ମା’ । ସେ ଜାଣେ  ନୀରିହ ଶିଶୁ ମୁହଁରେ ହସର ଆୟୁଷ କେତେ । ସବୁଆଡୁ ଶୁଭୁଛି ବିକଳ ଚିତ୍କାର । ଡାକ୍ତରଙ୍କ ଅପେକ୍ଷାରେ ବିକଳ ହୋଇ ଚାହିଁ ବସିଛନ୍ତି ରୋଗୀ ।

ହମାସ-ଇସ୍ରାଏଲ ଯୁଦ୍ଧ ଭିତରେ ହଜାର ହଜାର ଲୋକଙ୍କ ଜୀବନ ଗଲାଣି । ଗାଜା ପଟ୍ଟି ଧ୍ୱଂସସ୍ତୁପରେ ପରିଣତ ହେଲାଣି । ଡାକ୍ତରଖାନା ମାଟିରେ ମିଶିଗଲାଣି । ଲହୁଲୁହାଣ ଶିଶୁକୁ କୋଳରେ ଧରିଛନ୍ତି ବାପା-ମା’ । ସେଇ କୋଳରେ ଚାଲି ଯାଉଛି ଜୀବନ । କାହିଁକି ଚାଲିଛି ଏ ଯୁଦ୍ଧ ? କ’ଣ ମିଳିବ ଏଇ ଯୁଦ୍ଧରୁ ? କେବଳ ହିସାବ । କେତେ ମଲେ, କେତେ ଆହତ ହେଲେ । କେତେ ଅର୍ଥ ବରବାଦ ହେଲା, କେତେ ଘର ମାଟିରେ ମିଶିଲା…ଇତ୍ୟାଦି । ହେଲେ ନୀରିହ ମଣିଷ ଆଖିରୁ କେତେ ଲୁହ ବୋହିଲା…କେତେ ହସ ହଜିଗଲା..କେତେ ରକ୍ତ ବହିଗଲା…ଏହାର ହିସାବ ଦେବ କିଏ ? କାରଣ ସେମାନେ ଯାହା ଭୋଗୁଛନ୍ତି ସେଥିପାଇଁ ସେମାନେ ଦାୟୀ ନୁହଁନ୍ତି । ସେମାନଙ୍କର ଭୁଲ ଏତିକି ଯେ, ସେମାନେ ଏହି ମାଟିରେ ଜନ୍ମ ହୋଇଛନ୍ତି ।

ଗାଜାସ୍ଥିତ ଅହଲି ଅରବ ଡାକ୍ତରଖାନାରେ ମଙ୍ଗଳବାର ରାତିରେ ବୋମାମାଡ ହୋଇଥିଲା । ବିସ୍ଫୋରଣ ପରେ ଚାରିଆଡ ଧୁଆଁ ଏବଂ ଧୂଳିମୟ ହୋଇଯାଇଥିଲା । ଯେତେବେଳେ ସବୁକିଛି ପରିଷ୍କାର ହୋଇ ଯାଇଥିଲା ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଥିଲା । ଚାରିଆଡେ ଖାଲି ଚିତ୍କାର ଆଉ ଚିତ୍କାର । କିଏ ଯନ୍ତ୍ରଣାରେ ତ କିଏ ଭୟରେ  । ଆଉ କିଏ ବିକଳରେ । ଧ୍ୱସସ୍ତୁପ ତଳେ ଖଣ୍ଡବିଖଣ୍ଡିତ ଶରୀର । ଯେଉଁମାନେ ବଞ୍ଚି ଯାଇଛନ୍ତି, ସେମାନେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ଏହା ଭିତରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । କିଏ ବୋମାମାଡ କରିଛି ତାକୁ ନେଇ ଚାଲିଛି ଚର୍ଚ୍ଚା । ଏଇ ଆକ୍ରମଣରେ ୫୦୦ ଲୋକଙ୍କର ମୃତ୍ୟୁ ଘଟିଛି । ହମାସ ଏହି ଆକ୍ରମଣ ପାଇଁ ଇସ୍ରାଏଲକୁ ଦାୟୀ କରିଥିବାବେଳେ ହମାସ ବୋମାମାଡ କରି ନିଜ ଲୋକଙ୍କ ଜୀବନ ନେଇଛି ବୋଲି କୁହାଯାଉଛି ।

Comments are closed.