Latest Odisha News

ହିଜବୋଲ୍ଲାର ପିଛା ଛାଡୁନି ଇସ୍ରାଏଲ : ଏବେ ସ୍ଥଳଭାଗରେ ପଶି ମାରିବ

ନୂଆଦିଲ୍ଲୀ: ହିଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲାକୁ ହତ୍ୟା କଲା ପରେ ମଧ୍ୟ ଶାନ୍ତିରେ ବସିନାହିଁ ଇସ୍ରାଏଲ । ଆକାଶମାର୍ଗରୁ ଦକ୍ଷିଣ ଲେବାନନ ଉପରେ ଆକ୍ରମଣ କରି ହିଜବୋଲ୍ଲା ଆଡ୍ଡା ଓ ଅସ୍ତ୍ରଭଣ୍ଡାରକୁ ଟାର୍ଗେଟ କଲା ପରେ ଏବେ ଆରମ୍ଭ କରିଛି ଗ୍ରାଉଣ୍ଡ୍ ଅପରେସନ । ହିଜବୋଲ୍ଲାର ଗଡ କୁହାଯାଉଥିବା ଦକ୍ଷିଣ ଲେବାନନରେ ସୀମିତ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ -ଆଇଡିଏଫ ।

ହିଜବୋଲ୍ଲା ବିରୋଧରେ ଇସ୍ରାଏଲର ନୂଆ ଫ୍ରଣ୍ଟ

ଦକ୍ଷିଣ ଲେବାନନରେ ସୀମିତ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ହିଜବୋଲ୍ଲାର ଆଡ୍ଡା ଉପରେ ଆକ୍ରମଣ ଆରମ୍ଭ କରିଦେଇଛି ଇସ୍ରାଏଲୀ ସେନା । ହିଜବୋଲ୍ଲା ବିରୋଧରେ ନୂଆ ଫ୍ରଣ୍ଟ ଖୋଲିଛି ଇସ୍ରାଏଲ୍ । ଇସ୍ରାଏଲ ସୀମା ନିକଟବର୍ତ୍ତୀ ଅଂଚଳରେ ହିଜବୋଲ୍ଲାର  ଆଡ୍ଡାକୁ ଟାର୍ଗେଟ କରାଯାଉଥିବା କହିଛି ଆଇଡିଏଫ୍ । ହିଜବୋଲ୍ଲା ବିରୋଧରେ ଏହି ଅଭିଯାନରେ ସ୍ଥଳସେନାକୁ ସହାୟତା କରୁଛନ୍ତି ଏୟାରଫୋର୍ସ ଓ ଆର୍ଟିଲେରି ୟୁନିଟ । ହିଜବୋଲ୍ଲା ବିରୋଧରେ ଗ୍ରାଉଣ୍ଡ ଅପରେସନ କେତେଦିନ ଚାଲିବ, ତାହା ସ୍ପଷ୍ଟ କରିନି ଇସ୍ରାଏଲ ପ୍ରତିରକ୍ଷା ବିଭାଗ । ହେଲେ ମାସ ମାସ ଧରି ଗ୍ରାଉଣ୍ଡ ଅପରେସନ ପାଇଁ ପ୍ରସ୍ତୁତି ଓ ପ୍ରଶିକ୍ଷଣ ଚାଲିଥିଲା ବୋଲି ଆଇଡିଏଫ କହିଛି । ଉତ୍ତର ଇସ୍ରାଏଲରେ ରହୁଥିବା ନାଗରିକଙ୍କ ପାଇଁ ହିଜବୋଲ୍ଲା ପକ୍ଷରୁ ବିପଦ ଆଶଙ୍କା ରହିଛି । ଏ ଦୃଷ୍ଟିରୁ ଇସ୍ରାଏଲ-ଲେବାନନ ସୀମା ନିକଟବର୍ତ୍ତୀ ଥିବା ହିଜବୋଲ୍ଲା ଆଡ୍ଡାଗୁଡିକୁ ଆଇଡିଏଫ ଟାର୍ଗେଟ କରୁଛି ।

କ’ଣ କହୁଛି ହିଜବୋଲ୍ଲା ?

ହିଜବୋଲ୍ଲା ନେତା ହସନ ନସରଲ୍ଲାକୁ ହତ୍ୟା କଲା ପରେ ମଧ୍ୟ ଇସ୍ରାଏଲ ଜାରି ରଖିଛି ଲଢେଇ । ଲେବାନନ ଉପରେ ଲଗାତର ଆକ୍ରମଣ ଜାରି ରଖିଛି । ଆମେରିକା ଓ ପାଶ୍ଚାତ୍ୟ ଦେଶଙ୍କ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଆକ୍ରମଣ ଜାରି ରଖିଛି ଇସ୍ରାଏଲ୍ । ଏଣେ ଇସ୍ରାଏଲ ବୋମା ମାଡରେ ମୁଖିଆ ନସରଲ୍ଲାର ମୃତ୍ୟୁ ପରେ ହିଜବୋଲ୍ଲା ପକ୍ଷରୁ ପ୍ରଥମ ବଡ ବୟାନ ଦିଆଯାଇଛି । ହିଜବୋଲ୍ଲାର ଡେପୁଟି ଲିଡର ନଇମ କାଶିମ କହିଛି ଯେ, ସଂଗଠନ ସମସ୍ତ ବିକଳ୍ପ ଖୋଲା ରଖିଛି । ସ୍ଥଳଭାଗରେ ଇସ୍ରାଏଲର ଆକ୍ରମଣର ମୁକାବିଲା ପାଇଁ ହିଜବୋଲ୍ଲା ପ୍ରସ୍ତୁତ । ବିଜୟ ହିଜବୋଲ୍ଲାର ହିଁ ହେବ ବୋଲି କହିଛି ସଂଗଠନର ଡେପୁଟି ଲିଡର । ନସରଲ୍ଲା ଓ ପ୍ରମୁଖ କମାଣ୍ଡରଙ୍କ ମୃତ୍ୟୁ ପରେ ବି ହିଜବୋଲ୍ଲା ମୁଣ୍ଡ ନୁଆଁଇ ନାହିଁ । ଡେପୁଟି ଲିଡର ନଇମ କାଶିମ ଏହି ସନ୍ଦେଶ ଦେବାକୁ ପ୍ରୟାସ କରିଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି । ହେଲେ ନସରଲ୍ଲାର ମୃତ୍ୟୁ ପରେ ହିଜବୋଲ୍ଲାର ସମର୍ଥକମାନେ ନିରାଶ ହୋଇପଡିଛନ୍ତି । ନସରଲ୍ଲା ଜୀବିତ ଥିବା କିଛି ଲୋକ ଏବେ ବି ଭାବୁଛନ୍ତି ।

ଇରାନକୁ ଇସ୍ରାଏଲ ପିଏମଙ୍କ ଚେତାବନୀ

ହିଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲାର ହତ୍ୟା ଇରାନ୍ ପାଇଁ ମଧ୍ୟ ବିରାଟ କ୍ଷତି । ହିଜବୋଲ୍ଲାର ପୃଷ୍ଠପୋଷକ ଭାବେ ସିହାବହୁଳ ଇରାନ୍ ଜଣାଶୁଣା । କିନ୍ତୁ ଇରାନ ପକ୍ଷରୁ ଏ ଯାଏଁ କୌଣସି ଇସ୍ରାଏଲ ବିରୋଧୀ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ସେମିତି କିଛି ପ୍ରତିକ୍ରିୟାଶୀଳ ହୋଇନାହିଁ ଇରାନ୍ । ଇସ୍ରାଏଲ ୟେମେନରେ ଇରାନ ସମର୍ଥିତ ସିହା ହୁତି ବିଦ୍ରୋହୀଙ୍କୁ ମଧ୍ୟ ଟାର୍ଗେଟ କରିଛି । ଏବେ ପୁଣି ହିଜବୋଲ୍ଲା ବିରୋଧରେ ଗ୍ରାଉଣ୍ଡ ଅପରେସନ । ଇରାନ ଚୁପ୍ ରହିବ ନାହିଁ ବୋଲି ଇସ୍ରାଏଲ ଜାଣିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ କିନ୍ତୁ ତେହେରାନକୁ ଚେତାବନୀ ଦେଇଛନ୍ତି । ମଧ୍ୟପ୍ରାଚ୍ୟରେ ଏମିତି କୌଣସି ସ୍ଥାନ ନାହିଁ, ଯେଉଁଠାରେ ଇସ୍ରାଏଲ ପହଂଚିପାରିବ ନାହିଁ । ଇସ୍ରାଏଲୀ ନାଗରିକଙ୍କ ରକ୍ଷା ପାଇଁ ଆମେ ସବୁ ଦେଶରେ ପଶିପାରିବୁ ବୋଲି କହିଛନ୍ତି ଇସ୍ରାଏଲ ପିଏମ୍ । ଇରାନ ନାଗରିକଙ୍କ ସହ ଇସ୍ରାଏଲ ରହିଛି ବୋଲି ମଧ୍ୟ କହିଛନ୍ତି ନେତାନୟାହୁ ।

 

 

 

 

 

Leave A Reply

Your email address will not be published.