Latest Odisha News

ଇସ୍ରାଏଲ୍ Vs ଇରାନ୍…ବଢିଲା ଚିନ୍ତା

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢାଇଛି ଇସ୍ରାଏଲ୍-ଇରାନ ଯୁଦ୍ଧ । ଇସ୍ରାଏଲର ଅପରେସନ୍ ରାଇଜିଂ ଲାୟନ, ଜବାବରେ ଇରାନର ଟ୍ରୁ ପ୍ରମିସ ୩ । ଲଗାତର ଦ୍ବିତୀୟ ଦିନରେ ଇରାନ ଉପରେ ଏୟାରଷ୍ଟ୍ରାଇକ୍ ଜାରି ରଖିଛି ଇସ୍ରାଏଲ୍ । ଶୁକ୍ରବାର ଇରାନ୍ ଉପରେ ଆକ୍ରମଣ କରିବା ସହ ଏହାକୁ ଅପରେସନ୍ ରାଇଜିଂ ଲାୟନ ନାଁ ଦେଇଥିଲା ଇସ୍ରାଏଲ୍ । ଏଥିରେ ୨ଶହରୁ ଅଧିକ ଫାଇଟର ଜେଟ୍ ଇରାନର ଶହେରୁ ଅଧିକ ପରମାଣୁ ଓ ସେନା ଠିକଣାକୁ ଟାର୍ଗେଟ କରିଥିଲା । ଇସ୍ରାଏଲର ଆକ୍ରମଣରେ ଇରାନର ଅନେକ ବୈଜ୍ଞାନିକ ଓ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ଜବାବରେ ମିସାଇଲ୍ ଆକ୍ରମଣ କରିଥିଲା ଇରାନ । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମରେ ରହିଥିବା ବେଳେ ତୃତୀୟ ବିଶ୍ବଯୁଦ୍ଧ ନେଇ ଆଶଙ୍କା ପ୍ରକାଶ ପାଇଛି ।

ଇସ୍ରାଏଲ୍ Vs ଇରାନ୍…ବଢିଲା ଉତ୍ତେଜନା

୧୩ତାରିଖରେ ଇରାନର ନତାଞ୍ଜ ଉପରେ ବଙ୍କର ବଷ୍ଟର ବୋମାରେ ଆକ୍ରମଣ କରିଥିଲା ଇସ୍ରାଏଲ୍ । ଏଥିରେ ୬ଜଣ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଥିଲା । ଆକ୍ରମଣ ଯୋଗୁଁ ଇରାନର ପରମାଣୁ କାର୍ଯ୍ୟକ୍ରମ ବର୍ଷେରୁ ଦୁଇ ବର୍ଷ ପଛକୁ ଚାଲିଯାଇପାରେ । ଇରାନ ଏହାକୁ ଆତଙ୍କବାଦୀ ଆକ୍ରମଣ କହିଛି । ଜବାବରେ ଶହେରୁ ଅଧିକ ଡ୍ରୋନ୍ ଓ ବାଲିଷ୍ଟିକ ମିସାଇଲରେ ଇସ୍ରାଏଲକୁ ଟାର୍ଗେଟ୍ କରିଛି । ଏହା ମଧ୍ୟରୁ କିଛି ଡ୍ରୋନ୍ ଓ ମିସାଇଲକୁ ଇସ୍ରାଏଲୀ ବାୟୁସେନା ନଷ୍ଟ କରିଥିବା ବେଳେ କିଛି ତେଲ ଅବିବ ଉପରେ ପଡିଥିଲା । ଇରାନରେ ୫ଶହରୁ ୭ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଇସ୍ରାଏଲରେ ଚିନ୍ତା ବଢିଛି । ଆମେରିକା ଇସ୍ରାଏଲକୁ ସମର୍ଥନ କରିଥିବା ବେଳେ ଋଷ ଓ ଚୀନ ଇରାନ ସପକ୍ଷରେ ବୟାନ ଦେଇଛନ୍ତି ।

ତୃତୀୟ ବିଶ୍ବଯୁଦ୍ଧ ଆଶଙ୍କା !

ଇସ୍ରାଏଲ୍ ଓ ଇରାନ ମଧ୍ୟରେ ସିଧାସଳଖ ଟକ୍କର ହେଉଛି । ଯଦି ଇରାନ ଡ୍ରୋନ୍ ଆକ୍ରମଣ ବଢାଏ ଓ ଇସ୍ରାଏଲ୍ ପୁଣି ବଡ଼ ଧରଣର ହମଲା କରେ, ତେବେ ସଂଘର୍ଷ ବଢିପାରେ । ଆମେରିକା ଇସ୍ରାଏଲର ପ୍ରମୁଖ ସହଯୋଗୀ । ଯଦି ଇରାନ୍ ଉପରେ ଅଧିକ ଆକ୍ରମଣ ହୁଏ, ଆମେରିକା ଯୁଦ୍ଧରେ ସାମିଲ ହୋଇପାରେ, ନାଟୋକୁ ବି ଟାଣିପାରେ । ସେହିପରି ଋଷ ଓ ଚୀନ୍ ଇରାନର ଘନିଷ୍ଠ ସହଯୋଗୀ । ଯଦି ସେମାନେ ସେନା ସହାୟତା ଦିଅନ୍ତି, ତେବେ ଯୁଦ୍ଧ ବଡ଼ସ୍ତରକୁ ଯାଇପାରେ । ଆସନ୍ତା ୭୨ଘଣ୍ଟା ମଧ୍ୟରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଗଲେ, ତୃତୀୟ ବିଶ୍ବଯୁଦ୍ଧର ଆଶଙ୍କା ୩୦ରୁ ୪୦ପ୍ରତିଶତ ବଢିପାରେ ବୋଲି ବିଶେଷଜ୍ଞ କହିଛନ୍ତି।

ଋଷ ଓ ଚୀନର ଆଭିମୁଖ୍ୟ

ଋଷ ଇସ୍ରାଏଲର ୧୩ତାରିଖ ଆକ୍ରମଣକୁ ନିନ୍ଦା କରିବା ସହ ଏହାକୁ ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଂଘନ ବୋଲି କହିଛି । ଏହାଦ୍ବାରା ପୂର୍ଣ୍ଣ ଯୁଦ୍ଧ ହୋଇପାରେ ବୋଲି କ୍ରେମଲିନ କହିଛି । ଋଷ ଇରାନକୁ ଏସ୍-୩୦୦ ପ୍ରତିରକ୍ଷା ପ୍ରଣାଳୀ ଦେଇଛି । ଯଦି ଋଷ ଇରାନକୁ ଆଉ ହତିଆର ଓ ସେନା ପଠାଏ ତେବେ ସଂଘର୍ଷ ବଢିପାରେ । ମଧ୍ୟପ୍ରାଚ୍ୟରେ ଆମେରିକାର ପ୍ରଭାବ କମ୍ କରିବାକୁ ଚାହୁଁଛି ଋଷ। ଇରାନକୁ ସମର୍ଥନ ଏହି ସୁଯୋଗ ଦେଇପାରେ । ସେହିପରି ଚୀନ୍ ଇରାନ ସହ ୪ଶହ ବିଲିୟନ ଡଲାରର ଶକ୍ତି ବୁଝାମଣା କରିଛି । ଇସ୍ରାଏଲର ଆକ୍ରମଣକୁ ଅସ୍ଥିରତା ସୃଷ୍ଟିକାରୀ ବୋଲି ଚୀନ୍ କହିଛି । ଇରାନକୁ ଆର୍ଥିକ ସହାୟତା ଦେଇପାରେ ଚୀନ, ଯାହାଦ୍ବାରା ଯୁଦ୍ଧ ଲମ୍ବା ସମୟ ଧରି ଚାଲିପାରେ । ମଧ୍ୟପ୍ରାଚ୍ୟରେ ଚୀନ ନିଜ ତୈଳ ଓ ଗ୍ୟାସ ହିତକୁ ସୁରକ୍ଷିତ ରଖିବାକୁ ଚାହୁଁଛି । ଆମେରିକା ସହ ଇସ୍ରାଏଲର ମେଣ୍ଟ ସୁଦୃଢ ହେଲେ ଇରାନ ସହ ଠିଆ ହୋଇପାରେ ଚୀନ୍ ।

ଇସ୍ରାଏଲ୍ ଓ ଇରାନ ମୁହାଁମୁହିଁ ହୋଇଥିବା ବେଳେ ଜୋର୍ଡାନ ଇସ୍ରାଏଲ୍ ଉପରକୁ ଇରାନର ଡ୍ରୋନ୍ ରୋକିବାକୁ ସହାୟତା କରିଥିଲା । ତେବେ ସାଉଦି ଆରବ ଓ ୟୁଏଇ ନିରପେକ୍ଷ ରହିଛନ୍ତି । ତୁର୍କୀ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛି, ତେବେ ଇସ୍ରାଏଲ୍ ସହ ଏହାର ସଂପର୍କ ଉତ୍ତେଜନାପୂର୍ଣ୍ଣ ରହିଛି । ଭାରତ ଶାନ୍ତି ପାଇଁ ଅପିଲ୍ କରିଥିବା ବେଳେ ନିଜ ନାଗରିକଙ୍କୁ ମଧ୍ୟପ୍ରାଚ୍ୟରୁ ଫେରିବାକୁ ପରାମର୍ଶ ଦେଇଛି । ଜାତିସଂଘ ଓ ୟୁରୋପୀୟ ସଂଘ ଶାନ୍ତି ବାର୍ତ୍ତା ପାଇଁ ଚାପ ପକାଉଛନ୍ତି । ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ତୈଳ ଦର ବ୍ୟାରେଲ ପିଛା ଶହେ ଡଲାର ଉପରକୁ ଯାଇପାରେ । ଯାହା ବିଶ୍ବ ଅର୍ଥବ୍ୟବସ୍ଥାରେ କ୍ଷତି କରିପାରେ । ସେହିପରି ଇରାନ ପରମାଣୁ ଅସ୍ତ୍ର ବ୍ୟବହାର କଲେ, ବିନାଶ ଆସିପାରେ । ତେବେ ଏହାର ସମ୍ଭାବନା କମ୍ ।

Comments are closed.