Latest Odisha News

BREAKING NEWS

ଇରାନ ଉପରେ ଇସ୍ରାଏଲର ପାଲଟା ଆକ୍ରମଣ

ନୂଆଦିଲ୍ଲୀ: ପାଲଟା ଆକ୍ରମଣ କରିଛି ଇସ୍ରାଏଲ। ୨୫ ଦିନ ପରେ ଇରାନ୍‌ ଉପରେ ପ୍ରତିଶୋଧ ମୂଳକ ହମ୍‌ଲା କରିଛି ଇସ୍ରାଏଲ। ଅକ୍ଟୋବର ୧ ତାରିଖରେ ଇରାନ୍‌ କରିଥିବା ହମ୍‌ଲାର ଜବାବ ଦେଇଛି ଇସ୍ରାଏଲ। ଭୋରୁ ଇରାନ୍‌ର ସୈନ୍ୟ ଆଡ୍ଡା ଉପରେ ହୋଇଛି ବୋମା ବର୍ଷା। ୧୦୦ ଯୁଦ୍ଧ ବିମାନରେ ଏୟାର ଷ୍ଟ୍ରାଇକ୍‌ କରିଛି ଇସ୍ରାଏଲ।

ଇସ୍ରାଏଲ ଆକ୍ରମଣରେ ଇରାନର ବୟାନ
ଏହି ଆକ୍ରମଣ ପରେ ବୟାନ ଦେଇଛି ଇରାନ। ରାଷ୍ଟ୍ରରକ୍ଷା କରିବା ବଡ କର୍ତ୍ତବ୍ୟ ବୋଲି କହିଛି ଇରାନ ବୈଦେଶିକ ମନ୍ତ୍ରଣାଳୟ। ଦୁଇ ଦେଶ ମଧ୍ୟରେ ରାଜନୈତିକ ଓ ଓ ସୁରକ୍ଷାକୁ ନେଇ ମତଭେଦ ଚାଲିଥିବା ବେଳେ ଇରାନକୁ ବାହ୍ୟ ଆକ୍ରମଣରୁ ରକ୍ଷା କରାଯିବା ନେଇ କହିଛି ବିଭାଗ। ସେହିପରି ତେହେରାନ ଏହି ଆକ୍ରମଣର କଡା ଜବାବ ଦେବା ନେଇ ଦେଇଛି ଚେତାବନୀ । ଇସ୍ରାଏଲ ଆକ୍ରମଣରେ କିଛି ସ୍ଥାନରେ କ୍ଷତି ହୋଇଥିବା କହିଛି ଇରାନ। ଏହା ସହ ତେହେରାନ, ଖୁଜେସ୍ତାନ ଓ ଇଲମର ସୈନ୍ୟ ଠିକଣାରେ ଆକ୍ରମଣକୁ ବିଫଳ କରି ଦିଆଯାଇଥିବା କହିଛି ।

ଇସ୍ରାଏଲ ବିରୋଧରେ ସାଉଦୀ ଆରବର ଚେତାବନୀ
ଇରାନ ଉପରେ ଇସ୍ରାଏଲର ଆକ୍ରମଣକୁ ସାଉଦୀ ଆରବ ନିନ୍ଦା କରିଛି। ଏହା ସମ୍ପୂର୍ଣ ନିୟମର ଉଲଂଘନ ବୋଲି କହିଛି ସାଉଦୀ ଆରବ। ସମାନ ଭାବରେ ଓମାନ, ପାକିସ୍ତାନ ଓ ମାଲେସିଆ ମଧ୍ୟ ଏହି ଆକ୍ରମକୁ ନିନ୍ଦା କରିଛନ୍ତି। ଏହା ଅନ୍ତରାଷ୍ଟ୍ରୀୟ ନିୟମକୁ ଉଲଂଘନ କରୁଥିବା କୁହାଯାଇଛି। ଅନ୍ୟପକ୍ଷରେ ଇସ୍ରାଏଲ ଉପରେ ଇରାନ ଆକ୍ରମଣ କଲେ ଫଳ ଗମ୍ଭୀର ହେବା ନେଇ ଦୃଢ ଚେତାବନୀ ଦେଇଛି ଆମେରିକା।

ସାମରିକ ବେସକୁ ଟାର୍ଗେଟ, ୨ ସୈନିକ ମୃତ
ଇରାନ ସେନା ଅନୁଯାୟୀ, ଇସ୍ରାଏଲ ଆକ୍ରମଣରେ ଦୁଇ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି। ଆଗକୁ ହିଂସା ବଢିଲେ ଏହାର ଉଚିତ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛି ତେହେରାନ। ଯୁଦ୍ଧକୁ କାରଣରୁ ବନ୍ଦ ହୋଇଛି ବିମାନ ଚଳାଚଳ। ଅମିରାତ ଏୟାର ଲାଇନ୍ସ ଜୋର୍ଡାନ, ଇରାନ, ଇରାକ ଓ ଇସ୍ରାଏଲକୁ ବିମାନ ବନ୍ଦ କରିବା ସହ ଅନ୍ୟ ବିମାନର ମାର୍ଗ ପରିବର୍ତ୍ତନ କରାଯାଇଛି।

ଆମ ମିସନ ପୁରା ହୋଇଛି
ଇରାନରେ ଆକ୍ରମଣ ପରେ ସମସ୍ତ ବିମାନ ସୁରକ୍ଷିତ ଫେରି ଆସିଥିବା ଇସ୍ରାଏଲ ବିଦେଶ ମନ୍ତ୍ରଣାଳୟ ଏକ୍ସରେ ସୂଚନା ଦେଇଛି। ଆମ ମିସନ ପୂରଣ ହୋଇଛି। ଇରାନର ଆକ୍ରମଣର ଉଚିତ ଜବାବ ଦିଆଯାଇଥିବା ପୋଷ୍ଟରେ ଲେଖାଯାଇଛି।

ବ୍ୟୁରୋ ରିପୋର୍ଟ, ଓଡ଼ିଶା ସମ୍ବାଦ

Comments are closed.