ନୂଆଦିଲ୍ଲୀ: ଏୟାରଷ୍ଟ୍ରାଇକରେ ୩ଶହରୁ ଅଧିକ ମୃତ । ଗାଜା ଖାଲି କରିବାକୁ ଫରମାନ୍ । ହମାସକୁ ମୂଳରୁ ଉପାଡିବାକୁ ବଡ଼ ପ୍ଲାନ୍ । ପ୍ରାୟ ଦୁଇ ମାସର ନିରବତା ପରେ ପୁଣି ଗାଜାରେ ଗର୍ଜିଛି ଇସ୍ରାଏଲ ତୋପ । ୧୯ଜାନୁଆରୀରେ ଇସ୍ରାଏଲ୍-ହମାସ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ପରେ ସବୁଠୁ ବଡ଼ ଆକ୍ରମଣ କରିଛି ଇସ୍ରାଏଲ୍ । ଦକ୍ଷିଣ ଗାଜାରେ ଖାନ୍ ୟୁନୁସ ଓ ରାଫା, ଉତ୍ତରରେ ଗାଜା ସହର ଓ କେନ୍ଦ୍ରରେ ଡାଏର-ଅଲ୍-ବାଲାହା ଉପରେ ଆକ୍ରମଣ ହୋଇଛି। ଏଥିରେ ୩୪୨ ଜଣ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଅନେକ ମହିଳା, ବୟସ୍କ ଓ ପିଲା ରହିଥିବା ଜଣାପଡିଛି ।
ହମାସକୁ ଶେଷ କରିବାକୁ ପ୍ଲାନ୍
ଇସ୍ରାଏଲର ଭୟାବହ ଆକ୍ରମଣରେ ୩ଶହରୁ ଅଧିକଙ୍କ ମୃତ୍ୟୁ ହୋଇଛି । ହମାସ ସହ ଅସ୍ତ୍ରବିରତି ଆଲୋଚନା ଆଗକୁ ବଢୁନଥିବାରୁ ଆକ୍ରମଣ କରାଇଥିବା ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତନ୍ୟାହୁ କହିଛନ୍ତି । ହମାସକୁ ମୂଳରୁ ଉପାଡି ଫୋପାଡିବାକୁ ପ୍ଲାନ କରୁଛି ଇସ୍ରାଏଲ୍ । ଉତ୍ତର ଗାଜା ଖାଲି କରିବାକୁ କୁହାଯାଇଥିବା ବେଳେ ହମାସ ଉପରେ ଚାପ ପକାଇବାକୁ ଗାଜାରୁ ମିଶର ଯାଉଥିବା ରାଫା କ୍ରସିଂ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି । ଏହାଦ୍ବାରା ରୋଗୀଙ୍କ ପାଖରେ ସ୍ବାସ୍ଥ୍ୟସେବା ପହଞ୍ଚି ପାରିବନି । ସେହିପରି ଗାଜାକୁ ରିଲିଫ ସାମଗ୍ରୀ ନେଇ ଯାଉଥିବା ଗାଡି ରୋକାଯାଉଛି । ଇସ୍ରାଏଲ୍ ଓ ହମାସ ମଧ୍ୟରେ ଅସ୍ତ୍ରବିରତିର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୧ତାରିଖରେ ଶେଷ ହୋଇଥିବା ବେଳେ ହମାସ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରି ଆକ୍ରମଣ କରାଯାଉଥିବା ଇସ୍ରାଏଲ ସେନା କହିଛି।
୫୯ଦିନରେ ଅସ୍ତ୍ରବିରତି ଶେଷ
ଇସ୍ରାଏଲ୍ ହମଲା ଜାନୁଆରୀ ୧୯ରୁ ଆରମ୍ଭ ହୋଇଥିବା ଅସ୍ତ୍ରବିରତିକୁ ଏକତରଫା ରଦ୍ଦ କରିବା ବୋଲି ହମାସ କହିଛି । ନେତନ୍ୟାହୁ ସରକାର ଅସ୍ତ୍ରବିରତି ଚୁକ୍ତିକୁ ଶେଷ କରିବାକୁ ନିଷ୍ପତ୍ତି କରିଛନ୍ତି । ଏହାଦ୍ବାରା ଗାଜାରେ ବନ୍ଧକଙ୍କ ଭବିଷ୍ୟତ ଅନିଶ୍ଚିତ ହୋଇଯିବ । ବନ୍ଧକଙ୍କ ଜୀବନ ବିପଦକୁ ଠେଲିବା ନେଇ ନେତନ୍ୟାହୁଙ୍କୁ ଦାୟୀ କରିଛି ହମାସ । ପୁଣି ଯୁଦ୍ଧ ଆରମ୍ଭ କରିବା ସହ ନେତନ୍ୟାହୁ ହମାସ କବଜାରେ ଥିବା ବନ୍ଧକଙ୍କୁ ବଳୀ ଚଢାଇବା ଭଳି । ଇସ୍ରାଏଲୀ ନେତା ତାଙ୍କର ଆଭ୍ୟନ୍ତରୀଣ ଚ୍ୟାଲେଞ୍ଜରୁ ଧ୍ୟାନ ହଟାଇବାକୁ ସଂଘର୍ଷକୁ ରାଜନୈତିକ ଲାଇଫଲାଇନ୍ ରୂପେ ବ୍ୟବହାର କରୁଥିବା ହମାସ କହିଛି ।
୫୯ବନ୍ଧକଙ୍କର କ’ଣ ହେବ ?
ଇସ୍ରାଏଲ୍ ଅସ୍ତ୍ରବିରତି ଚୁକ୍ତିକୁ ଶେଷ କରିଛି । ଫଳରେ ୫୯ ବନ୍ଧକଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ଅସ୍ତ୍ରବିରତି ଚୁକ୍ତି ଅନୁସାରେ ହମାସ ୩୩ଇସ୍ରାଏଲି ବନ୍ଧକଙ୍କୁ ମୁକ୍ତ କରିଥିଲା । ବଦଳରେ ଇସ୍ରାଏଲ୍ ୨ହଜାର ପାଲେଷ୍ଟାଇନ କଏଦୀଙ୍କୁ ଛାଡିଥିଲା । ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ପରେ ୫୯ବନ୍ଧକଙ୍କୁ ଛାଡିଥାନ୍ତା ହମାସ । ତେବେ ତା ପୂର୍ବରୁ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ଇସ୍ରାଏଲ୍ । ସେପଟେ ହମାସ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିବାକୁ ମନା କରିବା ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଦୂତ ଷ୍ଟିଭ୍ ଓ୍ବିଟକଫଙ୍କ ପ୍ରସ୍ତାବ ଅସ୍ବୀକାର କରିଥିବା ଇସ୍ରାଏଲ୍ କହିଛି । ତେଣୁ ହମାସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିବା କହିଛି ଇସ୍ରାଏଲ୍ ।
ଇସ୍ରାଏଲ୍ ଓ ହମାସ ମଧ୍ୟରେ ଦୋହାରେ ଆଲୋଚନା ହେଉଛି । ମିସର ଓ କତରର ମଧ୍ୟସ୍ଥତାରେ ଅସ୍ତ୍ରବିରତିର ପ୍ରାଥମିକ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଆଗକୁ ଆଲୋଚନା ପାଇଁ ଉଦ୍ୟମ ହୋଇଥିଲା । ଅସ୍ତ୍ରବିରତି ବଢାଇବାକୁ ହେଲେ ହମାସ ୫୯ ବନ୍ଧକଙ୍କୁ ମୁକ୍ତ କରିବାକୁ ଇସ୍ରାଏଲ୍ ଦାବି କରୁଥିଲା । ବନ୍ଧକଙ୍କୁ ମୁକ୍ତ କରିଥିଲେ ରମଜାନ ମାସରେ ଆକ୍ରମଣ ହୋଇନଥାନ୍ତା । ତେବେ ହମାସ ସଂଘର୍ଷର ସ୍ଥାୟୀ ସମାଧାନ ଚାହୁଁଛି । ଇସ୍ରାଏଲ୍ ସଂପୂର୍ଣ୍ଣ ଭାବେ ଗାଜାରୁ ସେନା ପ୍ରତ୍ୟାହାର କରିବାକୁ ହମାସ ଚାହୁଁଛି । ଆଉ ସେଥିପାଇଁ ବନ୍ଧକଙ୍କୁ ମୁକ୍ତ କରିବାକୁ ସମୟ ଗଡାଇଥିଲା । ଅସ୍ତ୍ରବିରତି ବଢାଇବାକୁ ହମାସ ବନ୍ଧକଙ୍କୁ ମୁକ୍ତ କରିପାରିଥାନ୍ତା । ହେଲେ ତା ବଦଳରେ ସେ ଯୁଦ୍ଧକୁ ବିକଳ୍ପ ଭାବେ ବାଛିଥିବା ଆମେରିକା କହିଛି ।