Latest Odisha News

BREAKING NEWS

ଗାଜାରେ ଇସ୍ରାଏଲ ସେନାର ଖୋଲା ଗୁଳି ଚାଳନା: ୧୦୪ ମୃତ, ୭୦୦ରୁ ଅଧିକ ଆହତ

ପାଲେଷ୍ଟାଇନ: ପାଲେଷ୍ଟାଇନ ସ୍ଥିତ ଗାଜାରେ ଇସ୍ରାଏଲ ସେନା ଆକ୍ରମଣରେ ଅତିକମରେ ୧୦୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି । ଗାଜାରେ ସହାୟତା ପାଇଁ ଏକାଠି ହୋଇଥିବା ଲୋକଙ୍କ ଉପରକୁ ଇସ୍ରାଏଲ ସେନା ପକ୍ଷରୁ ଖୋଲା ଗୁଳି ଚାଳନା  ଯୋଗୁଁ ଏଭଳି ନରସଂହାର ଘଟିଛି ବୋଲି ପାଲେଷ୍ଟାଇନ ସ୍ଵାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଇସ୍ରାଏଲ ପକ୍ଷରୁ କୁହାଯାଇଛି, ଗାଜାରେ ଏକତ୍ରିତ ହୋଇଥିବା ଜନ ସମାଗମ ଦ୍ୱାରା ବିପଦ ଆଶଙ୍କା ଥିବାରୁ ଇସ୍ରାଏଲ ସେନା ପକ୍ଷରୁ ଗୁଳି ଚାଳନା କରାଯାଇଥିଲା ।

ଇସ୍ରାଏଲର ଏଭଳି କାର୍ଯ୍ୟକୁ ପାଲେଷ୍ଟାଇନ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଗଣହତ୍ୟା ବୋଲି ଅଭିହିତ କରି ନିନ୍ଦା କରିବା ସହ ଏହି ଘଟଣାରେ ୧୦୪ ଜଣ ଲୋକଙ୍କ ଜୀବନ ଯାଇଥିବା ବେଳେ ୭୬୦ ଜଣ ଆହତ ହୋଇଥିବା ସୂଚନା ଦେଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗାଜାର ପଶ୍ଚିମ ନାବୁଲ୍ସିରେ ଲୋକମାନେ ଯେତେବେଳେ ଖାଦ୍ୟ ପାଇଁ ରିଲିଫ ଟ୍ରକଗୁଡ଼ିକ ଆଡ଼କୁ ଧାଉଁଥିଲେ, ସେତେବେଳେ ଏହି ଘଟଣା ଘଟିଛି ।

ରିଲିଫ୍ ଟ୍ରକ ଗୁଡ଼ିକ ଇସ୍ରାଏଲ ସେନାର ଟ୍ୟାଙ୍କର ନିକଟରେ ଥିବା ବେଳେ ଲୋକମାନେ ସହାୟତା ପାଇଁ ମାଡ଼ି ଆସିଥିଲେ । ଏଣୁ ଏତେ ସଂଖ୍ୟକ ଲୋକ ଟ୍ୟାଙ୍କର ଅତି ନିକଟତର ହେଉଥିବା ଦେଖି ଇସ୍ରାଏଲ ସେନାର ପକ୍ଷରୁ ଲୋକଙ୍କ ଉପରକୁ ଖୋଲା ଗୁଳି ଚାଳନା ହୋଇଥିଲା।

ଏହାପରେ ମୃତ ଓ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଗାଜାର ବିଭିନ୍ନ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ପାଲେଷ୍ଟାଇନ ସ୍ଵାସ୍ଥ୍ୟ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.