ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟାଳୟକୁ ମିଲିଲା ବୋମା ଧମକ । ବେଙ୍ଗାଲୁରୁ ସ୍ଥିତ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ସମଗ୍ର ପରିସରରେ ପୋଲିସ ଓ ବମ୍ ସ୍କ୍ୱାଡ୍ର ଟିମ୍ ତଲାସି ଅଭିଯାନ ଆରମ୍ଭ କରିଥିଲେ । ତେବେ ଦୀର୍ଘ ସମୟ ଧରି ଚାଲିଥିବା ଯାଞ୍ଚ ପରେ କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ସାମଗ୍ରୀ ମିଳିନଥିବା ପୋଲିସ ସ୍ପଷ୍ଟ କରିଛି ।
ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନଙ୍କ କାର୍ଯ୍ୟାଳୟକୁ ଏହି ଧମକପୂର୍ଣ୍ଣ ଇ-ମେଲ୍ ପଠାଯାଇଥିଲା । ଏବେ ଧମକପୂର୍ଣ୍ଣ ଇ-ମେଲ୍ର ଚିହ୍ନଟ କରିବା ଓ ଏହା ପଛର ଉଦ୍ଦେଶ୍ୟ ଜାଣିବା ପାଇଁ ପୋଲିସର ଏକାଧିକ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି । ଏହା ସହିତ ପୋଲିସ ଲୋକେସନ ଟ୍ରେସ କରୁଛି ।
ତେବେ ଏଭଳି ଧମକପୂର୍ଣ୍ଣ ଇ-ମେଲ୍ ଆସିବା କିଛି ନୂଆ ଘଟଣା ନୁହଁ । ଅନେକ ସମୟରେ ଦେଶର ପ୍ରମୁଖ ସ୍ଥାନ, ବିଦ୍ୟାଳୟ, ମେଡିକାଲ ଓ ଅଧିକାଂଶ ସମୟରେ ବିମାନକୁ ମଧ୍ୟ ଏପରି ଧମକପୂର୍ଣ୍ଣ ଇ-ମେଲ୍ ଆସୁଛି ।