Latest Odisha News

ଇତିହାସ ରଚିଲା ଇସ୍ରୋ: ମହାକାଶକୁ ପ୍ରେରଣ କଲା ଯୋଗାଯୋଗ ଉପଗ୍ରହ CMS-01

ଚେନ୍ନାଇ: ଅପରାହ୍ନ ୩.୪୧ । ଅତ୍ୟାଧୁନିକ ଯୋଗାଯୋଗ ଉପଗ୍ରହ CMS-01କୁ ମହାକାଶକୁ ପ୍ରେରଣ କଲା ଇସ୍ରୋ । ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକିଲ୍ PSLV-C50 ମାଧ୍ୟମରେ ଏହାକୁ କକ୍ଷ ପଥରେ ସ୍ଥାପନ କରାଯାଇଥିବା ଜଣାପଡିଛି । ୨୫ ଘଣ୍ଟାର କାଉଣ୍ଟଡାଉନ୍ ପରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟର ୨ ନମ୍ବର ଲଞ୍ଚ ପ୍ୟାଡରୁ PSLV-C50 ମାଧ୍ୟମରେ CMS-01କୁ ଉତକ୍ଷେପଣ କରାଯାଇଥିଲା ।

୪୪.୪ ମିଟର ଲମ୍ବ PSLV-C50ରେ ଇନ୍ଧନ ଭର୍ତ୍ତି କରାଯାଇଥିଲା । ପରେ ଏହାକୁ ନିର୍ଦ୍ଧାରିତ ସମୟରେ ଉତକ୍ଷେପଣ କରାଯାଇଥିଲା । CMS-01 ଦେଶର ୪୨ ତମ ଯୋଗାଯୋଗ ଉପଗ୍ରହ । PSLVର ୫୨ ତମ ମିଶନରେ ଏହି ଉପଗ୍ରହକୁ ଉତକ୍ଷେପଣ କରାଯାଇଛି । ସଫଳ ଉତକ୍ଷେପଣ କରାଯାଇଥିବା ନେଇ ଇସ୍ରୋ ପକ୍ଷରୁ ଟ୍ବିଟ୍ କରି ଜଣାଇ ଦିଆଯାଇଛି ।

ସଫଳ ଉତକ୍ଷେପଣ ପରେ ଇସ୍ରୋ ଅଧ୍ୟକ୍ଷ ଡ. କେ. ଶିଭନ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନିର୍ଦ୍ଧାରିତ ସ୍ଥାନରେ ସ୍ଥାପିତ ହେବାକୁ ଆଉ ୪ ଦିନ ସମୟ ଲାଗିବ । ଏହି ଯୋଗାଯୋଗ ଉପଗ୍ରହ ବିସ୍ତାରିତ ସି-ବ୍ୟାଣ୍ଡରେ ସେବା ଯୋଗାଇବ । ଫଳରେ ଆଣ୍ଡାମାନ ନିକୋବର ଓ ଲକ୍ଷାଦୀପ ଦ୍ବୀପପୁଞ୍ଜକୁ ଯୋଗାଯୋଗ ସହଜ ହୋଇପାରିବ ।

Comments are closed.