ଧୀରେନ୍ଦ୍ର କର
ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ଶିଶୁ ପତ୍ରିକା, ଶିଶୁଲେଖାର ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର ୨୦୨୧ (ମନୋଜ ଦାସ ବିଶେଷାଙ୍କ)ରେ ପ୍ରକାଶିତ ଯଶସ୍ବୀ ସାହିତ୍ୟିକ ମନୋଜ ଦାସଙ୍କ ଏକ ହାତଅଙ୍କା ଚିତ୍ରକୁ ନେଇ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ସଞ୍ଚାର ମାଧ୍ୟମରେ ହଇଚଇ ସୃଷ୍ଟିକରିବାପାଇଁ ହେଉଥିବା ଉଦ୍ୟମ ଓଡ଼ିଶାର ଜ୍ଞାନୀ ଓ ଗୁଣୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକୃତରେ ଘଟଣାଟି କ’ଣ ଯାହାକୁ ନେଇ ଏହି ନିର୍ଦ୍ଦିଷ୍ଟ ଗୋଷ୍ଠୀ କିଛି ତୁମ୍ବିତୁଫାନ କରିବାକୁ ଚେଷ୍ଟା କରୁଛନ୍ତି? ତଳେଇ କରି ଦେଖିଲେ ମନେ ହୁଏ, ଏହା ସେମିତି ବିଶେଷ କିଛି ଆଲୋଡ଼ନକାରୀ ଘଟଣା ନୁହେଁ, ଯାହାକୁ ନେଇ ସାରସ୍ବତ ସାଧନା ଓ ଅଧ୍ୟୟନରେ ବ୍ରତୀ ବୃହତ୍ତର ସାହିତ୍ୟିକ ବା ପାଠକସମାଜକୁ ନିଜର ସମୟ ଓ ଅବବୋଧ ଅପଚୟ କରିବାପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଇପାରେ। ତଥାପି ଏହିଭଳି ଏକ ଅଶୋଭନୀୟ କାଦୁଅ ଫୋପଡ଼ା ଅଭିଯାନ ଚାଲିଛି।
‘ଶିଶୁଲେଖା’ ପତ୍ରିକାର ସେହି ସଂଖ୍ୟାଟି ମନୋଜ ଦାସ ବିଶେଷାଙ୍କ ହୋଇଥିବା ଦୃଷ୍ଟିରୁ ସେଥିରେ ବରେଣ୍ୟ ଲେଖକଙ୍କ ବିଭିନ୍ନ ଭାବଭଙ୍ଗୀ ଥାଇ ଅନେକଗୁଡ଼ିଏ ଚିତ୍ର ପ୍ରକାଶିତ ହୋଇଛି। ଏଗୁଡ଼ିକ ଆମ ରାଜ୍ୟର ଜଣେ ଶ୍ରଦ୍ଧାଳୁ ମନୋଜପ୍ରେମୀ ଶିଳ୍ପୀ କାନଭାସ୍ ଉପରେ ନିଜ ତୁଳୀରେ ରୂପ ଦେଇଛନ୍ତି। ଅବଶ୍ୟ ଲେଖକଙ୍କ ଅନ୍ୟତ୍ର ପ୍ରକାଶିତ ଫଟୋଚିତ୍ରକୁ ଆଧାର କରି ଶିଳ୍ପୀ ଚିତ୍ରଗୁଡିକ ଅଙ୍କନ କରିଛନ୍ତି। ଏହି ବହୁସଂଖ୍ୟକ ଚିତ୍ରମଧ୍ୟରୁ ଅନ୍ୟ ଛବିଗୁଡ଼ିକ ତ ଏହି ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ପାଇଁ ଗ୍ରହଣୀୟ ହୋଇଛି, କାରଣ ସେଗୁଡ଼ିକ ବିଷୟରେ ସେମାନଙ୍କ ଦ୍ବାରା କିଛି ଆପତ୍ତି କରାଯାଇନାହିଁ। ଆପତ୍ତିଟି ଉଠିଛି ସେଥିମଧ୍ୟରୁ କେବଳ ଗୋଟିଏ ମାତ୍ର ଚିତ୍ରକୁ ନେଇ, ଯେଉଁଥିରେ ପ୍ରଥିତଯଶା ମନୋଜ ଦାସ କିଛି କହୁଥିବା ମୁଦ୍ରାରେ ଅଛନ୍ତି, ଏବଂ ତାଙ୍କର ପାଟିରେ କିଛି ଦାନ୍ତ ଦୃଶ୍ୟମାନ ହେଉଛି। କିଛି ବ୍ୟକ୍ତିବିଶେଷଙ୍କୁ ଏହା ତାଙ୍କର ଆସୁରିକ ଚିତ୍ରଣ ବୋଲି ପ୍ରତୀତ ହେଉଛି, ସମସ୍ତଙ୍କୁ ନୁହେଁ। କାରଣ ଏକ କଳାତ୍ମକ ସୃଷ୍ଟି ବିଭିନ୍ନ ଦର୍ଶକଙ୍କ ମଧ୍ୟରେ ଭିନ୍ନଭିନ୍ନ ପ୍ରକାର ଭାବ ଉପୁଜାଇଥାଏ। ଦର୍ଶକର ମନୋଦଶା ଏବଂ ଦୃଷ୍ଟିର ସ୍ତର ସେହି ଭାବକୁ ପ୍ରଭାବିତ କରିବାରେ ମୁଖ୍ୟ ଭୂମିକା ନେଇଥାଏ।
ମନୋଜ ଦାସଙ୍କ ପବିତ୍ର ସ୍ମୃତିକୁ ବ୍ୟବହାର କରି ନିଜର ମାଲିକାନା ଜାହିର କରିବାକୁ ଚେଷ୍ଟାରତ ଜଣେ ତଥାକଥିତ ମନୋଜ ପ୍ରେମୀଙ୍କ ଉଦ୍ଯୋଗରେ ଗଠିତ ଏକ ଫେସବୁକ୍ ଗୋଷ୍ଠୀ ଦ୍ବାରା ‘ଶିଶୁଲେଖା’ ପତ୍ରିକାଟିର ସଂପାଦକ, ଯେ କି ଜଣେ ଜଣେ ବର୍ଷୀୟାନ ତଥା ଲବ୍ଧପ୍ରତିଷ୍ଠ ସାହିତ୍ୟିକ ତଥା ଆଜୀବନ ଓଡ଼ିଆ ସାହିତ୍ୟ ସେବାରେ ବ୍ରତୀ ରହିଥିବା ଗୁଣୀ, କ୍ତିଗତ ଆକ୍ରୋଶର ଶୀକାର ହୋଇଛନ୍ତି। ସେହି ଫେସବୁକ୍ ଗ୍ରୁପ୍ ରେ ଯେଉଁ ଭଳି ଭାଷା ପ୍ରୟୋଗ କରାଯାଇ ତାଙ୍କର ଅପମାନ କରାଯାଉଅଛି ତାହା ଏଠାରେ ମୁଦ୍ରଣ କରିବାକୁ ଆମକୁ ସଙ୍କୋଚବୋଧ ହେଉଅଛି। ନିଜକୁ ମନୋଜ ଦାସଙ୍କ ଶ୍ରଦ୍ଧାଳୁ ଓ ପାଠକ ବୋଲି ଦାବି କରୁଥିବା କୌଣସି ବ୍ୟକ୍ତି ଅବା ଗୋଷ୍ଠୀର ସଭ୍ୟମାନେ ଯେ ଏହିଭଳି ନକାରାତ୍ମକ ଶବ୍ଦରେ ନିଜର ଦୁର୍ଭାବନା ପ୍ରକଟ କରିପାରନ୍ତି ତାହା ଅଚିନ୍ତନୀୟ। ବରେଣ୍ୟ ସାହିତ୍ୟ ସ୍ରଷ୍ଟା ମନୋଜ ଦାସଙ୍କ ଜୀବନଦର୍ଶନ ଓ ସୁଲଳିତ ସାହିତ୍ୟସମ୍ଭାରରୁ ସେମାନେ ଯେ କି ପ୍ରକାର ଜ୍ଞାନ ବା ପ୍ରେରଣା ଲାଭ କରିପାରିଛନ୍ତି ତାହା ଏଥିରୁ ଅନୁମେୟ।
ଏହି ଚିତ୍ରାଙ୍କନକୁ ନେଇ ଓଡ଼ିଆ ସାହିତ୍ୟ ତଥା ରାଜନୈତିକ ମହଲରେ ଏକ ବିଷାକ୍ତ ପରିବେଶ ସୃଷ୍ଟିକରାଯାଇ ଏହାକୁ ବ୍ୟାପକ ରୂପ ଦେବାର ଅପଚେଷ୍ଟା ହେଉଅଛି। କିନ୍ତୁ ସେମାନଙ୍କ ମଧ୍ୟରୁ କେହିହେଲେ ଥରୁଟିଏ ହେଲେ ସେହି ଚିତ୍ରଟି ଆଙ୍କିଥିବା ସଂପୃକ୍ତ କଳାକାରଙ୍କ ସହ ସଂପର୍କ ସ୍ଥାପନ କରି ଚିତ୍ରଟି ବିଷୟରେ ତା’ଙ୍କ ପକ୍ଷ ଜାଣିବାକୁ ଚେଷ୍ଟା କଲେ ନାହିଁ। ପ୍ରଚାର କରାଗଲା, ସତେ ଯେମିତି ମନୋଜ ଦାସଙ୍କୁ ନିନ୍ଦିତ କରିବାପାଇଁ ସେ ତାହାଙ୍କର କୌଣସି ଫଟୋକୁ ଯାନ୍ତ୍ରୀକ ଫଟୋସପିଂ କରି ଚିତ୍ରଟିର ଓଠରେ କିଛି ଦାନ୍ତ ଯୋଡିଦେଇଛନ୍ତି।
ଏହାର ସତ୍ୟାସତ୍ୟ ଜାଣିବାପାଇଁ ଆମେ ସଂପୃକ୍ତ କଳାକାରଙ୍କ ସହ ଯୋଗାଯୋଗ କରିଥିଲୁ। ସେତେବେଳେ ସେ ନିଜ ପୈତୃକ ଗ୍ରାମରେ ନିଜ ପରଲୋକଗତ ପିତାଙ୍କ ଦଶାହ କର୍ମରେ ବ୍ୟସ୍ତ ଥିଲେ। ତାଙ୍କ ସହିତ ଆଲୋଚନାରୁ ଯାହା ଜାଣିପାରିଲୁ, ମନୋଜ ଦାସଙ୍କ ସାହିତ୍ୟର ସେ ଜଣେ ସମର୍ପିତ ପାଠକ। ପିଲାଦିନୁଁ ତାଙ୍କର ରଚନା ପଢ଼ି ହିଁ କଳାର ଦୁନିଆରେ ପାଦ ଦେବାପାଇଁ ସେ ପ୍ରେରିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଏପରିକି ମନୋଜ ଦାସଙ୍କର ଗୋଟିଏ ଏକ ଗଳ୍ପକୁ ନାଟ୍ୟରୂପ ଦେଇ ମଞ୍ଚସ୍ଥ କରିବାରେ ସେ ପ୍ରମୁଖ ଭୂମିକା ନେଇଥିଲେ। ଏପରି ଜଣେ ସମର୍ପିତ କଳାକାର ଜାଣିଶୁଣି ମନୋଜ ଦାସଙ୍କୁ ନିନ୍ଦିତ କଲାଭଳି ଯେ କୌଣସି ଚିତ୍ର କରିଥାଇପାରନ୍ତି ତାହା କଳ୍ପନା ହିଁ କରାଯାଇନପାରେ।
ଆମେ ଶିଳ୍ପୀଙ୍କ ସହିତ କଥାହୋଇ ଜାଣିଲୁ ଯେ ଯେହେତୁ ପତ୍ରିକାର ସେହି ନିର୍ଦ୍ଦିଷ୍ଟ ଲେଖାଟିରେ ମନୋଜ ଦାସ ପିଲାମାନଙ୍କୁ ନିଜର ମହତବାଣୀ ପରିବେଷଣ କରିବାର ପ୍ରସଙ୍ଗ ରହିଥିଲା, ତେଣୁ ସେ ତା’ଙ୍କ ମୁହଁରେ କିଛି କଥା କହିବାର ଭାବ ଆଣିବାପାଇଁ ତା’ଙ୍କ ଓଠ ଫାଙ୍କରେ କିଛି ଦାନ୍ତ ଦୃଶ୍ୟମାନ କରାଇବାକୁ ଚେଷ୍ଟା କରିଥିଲେ। ତା’ଙ୍କ ଭାଷାରେ , “ଜଣେ ଶିଶୁକୁ ମହତବାଣୀ କହିବାବେଳେ ମନୋଜ ଦାସଙ୍କ ଭଳି ମହାନ ବ୍ୟକ୍ତିତ୍ବଙ୍କ ମୁହଁରେ ଯେଉଁ ଭାବର ଚିତ୍ର ମୋ ମାନସ ଚକ୍ଷୁରେ ପ୍ରତିଭାତ ହୋଇ କଳ୍ପନାର ରୂପ ପାଇଥିଲା ତାହାକୁ ହିଁ ମୁଁ କାନଭାସ୍ ରେ ରୂପ ଦେଇଥିଲି।” ଏହା ମଧ୍ୟ ଜାଣିପାରିଲୁ ଯେ ସେ ଜଣେ ପାରମ୍ପରିକ ଶିଳ୍ପୀ ଏବଂ ନିଜର ଚିତ୍ରକଳା ପାଇଁ ସେ କେବେ ବି କମ୍ପ୍ୟୁଟର ବ୍ଯବହାର କରି ନାହାନ୍ତି। ଏଣୁ ସେ ଫଟୋସପିଂ କରିଥିବାର ପ୍ରଶ୍ନ ହିଁ ଉଠୁନାହିଁ। ଅବଶ୍ଯ ପତ୍ରିକାଟିର ମୁଦ୍ରଣ ପୂର୍ବରୁ ସେ ପତ୍ରିକାଟିର ସଂପୃକ୍ତ ଡିଜାଇନରଙ୍କୁ ଆବଶ୍ୟକ ହେଲେ ଡିଜିଟାଲ ପ୍ରକ୍ରିୟାରେ ଚିତ୍ରଟିର “ଇଫେକ୍ଟ ଓ ଟେକ୍ସଚର୍” ରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ଅନୁମତି ଦେଇଥିଲେ। ଏହା ହେଉଛି ଚିତ୍ରଟିର ପଛରେ ଥିବା କାହାଣୀ।
ଜଣେ କଳାକାରର ସୃଷ୍ଟିକୁ ନେଇ ଏକ ଅର୍ଥପୂର୍ଣ୍ଣ ତର୍କବିତର୍କ ହୋଇଥିଲେ ଅବା କିଛି କଥା ନଥିଲା, କିନ୍ତୁ ତାହା ନକରି ପତ୍ରିକାଟିର ସଂପାଦକ ବା ଚିତ୍ରକରଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା କୌଣସି ସୁସ୍ଥ ମାନସିକତା ସଂପନ୍ନ ସାହିତ୍ୟପ୍ରେମୀର ଲକ୍ଷଣ ନୁହେଁ, ବରଂ ଏହା ଜଣେ କଳାକାରର ସୃଜନାତ୍ମକ ସ୍ବାଧୀନତା ଉପରେ ନିଷ୍ଠୁର ଆକ୍ରମଣ।
କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ପତ୍ରିକାଟିର ସଂପାଦକଙ୍କର ମନୋଜ ଦାସଙ୍କ ପ୍ରତି ନିଷ୍ଠାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କିନ୍ତୁ ଏହା ଖୁବ୍ କମ୍ ଲୋକ ଜାଣନ୍ତି ଯେ ମନୋଜ ଦାସଙ୍କୁ ‘ସରସ୍ବତୀ ସମ୍ମାନ’ ପ୍ରଦାନର ନିଷ୍ପତ୍ତି ହେବା ପଛରେ ବିଚାରକ ମଣ୍ଡଳୀର ଜଣେ ସଦସ୍ୟ ଭାବରେ ଏହି ସଂପାଦକଙ୍କର ହିଁ ପ୍ରମୁଖ ଭୂମିକା ରହିଥିଲା। ମନୋଜ ସାହିତ୍ୟର ଉତ୍କୃଷ୍ଟତା ଓ ଯୁଗୋପଯୋଗୀତା ଉପରେ ନିଜର ପକ୍ଷ ରଖି ସେ ମନୋଜ ଦାସଙ୍କ ସାହିତ୍ୟ ନିମନ୍ତେ ଏହି ପୁରସ୍କାରକୁ ସେ ସାଉଁଟି ଆଣିଥିଲେ। ତେଣୁ ଏହି ସମ୍ପାଦକଙ୍କ ବିରୁଦ୍ଧରେ ଏ ପ୍ରକାରର କୌଣସି ଆରୋପ ଯେ ଭିତ୍ତିହୀନ ଓ ଅଭିସନ୍ଧିମୂଳକ ଏଥିରେ ସନ୍ଦେହ ନାହିଁ।
ଓଡ଼ିଆ ସାହିତ୍ୟ ଜଗତର ବହୁ ମହତ୍ବପୂର୍ଣ୍ଣ ସମସ୍ୟା ବିଷୟରେ ବିଚାର ଆଲୋଚନା ଓ ତର୍କବିତର୍କ ପାଇଁ ଅନେକ ଅବକାଶ ଓ ଆବଶ୍ୟକତା ରହିଛି। ସେଥିପ୍ରତି ଦୃଷ୍ଟି ନଦେଇ ଏଭଳି ପ୍ରମାଣହୀନ ଓ ବିଚାରହୀନ ମନ୍ତବ୍ୟ ଉପରେ ଅଯଥା ଗୁରୁତ୍ବ ପ୍ରଦାନ କରି ସମୟର ଅପଚୟ କରିବା ଓଡ଼ିଶାର ସାହିତ୍ୟିକ ଓ ବୁଦ୍ଧିଜୀବୀ ମହଲର ବୌଦ୍ଧିକ ବିଚାରଶୂନ୍ୟତାର ପରିଚାୟକ। ଏହା ଏକ ଉଦ୍ବେଗଜନକ ଲକ୍ଷଣ।
ଏଠାରେ କହିବା ବାହୁଲ୍ୟ ଯେ ମନୋଜ ସାହିତ୍ୟ ହେଉଛି ଓଡ଼ିଆ ସାହିତ୍ୟ ସଂସାରର ଅମୂଲ୍ୟନିଧି; ଏହା କୌଣସି ବ୍ୟକ୍ତିବିଶେଷ ଅଥବା କୌଣସି ସ୍ୱଘୋଷିତ ଅନୁଷ୍ଠାନର ବ୍ୟକ୍ତିଗତ ସମ୍ପତ୍ତି ହୋଇନପାରେ। ପରିଶେଷରେ ମନୋଜ ଦାସଙ୍କ ଭଳି ଜଣେ ପ୍ରାତଃସ୍ମରଣୀୟ ସାହିତ୍ୟ ସାଧକ ଓ ପ୍ରଜ୍ଞାବାନଙ୍କ ନାମକୁ ନେଇ ଗଠିତ ହୋଇଥିବା ଏହି ଫେସବୁକ୍ ଗ୍ରୁପ୍ର ସୂତ୍ରଧରମାନଙ୍କର ଏତାଦୃଶ ତାଲିବାନୀ ମାନସିକତାର ଅନ୍ତ ଘଟୁ ଏହାହିଁ ବିନମ୍ର କାମନା।
Comments are closed.