ଭୁବନେଶ୍ଵର: ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା-ଅନୀଲ ଗିରଫ ମାମଲା । ଦ୍ବିତୀୟ ଦିନରେ ଆୟକର ବିଭାଗର ଏକାଧିକ ସ୍ଥାନରେ ଚଢ଼ାଉ ଜାରି । ହଂସିତାଙ୍କ ସ୍ବାମୀ ତଥା କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟଙ୍କ ଘରେ ଛାଲିଛି ରେଡ୍ । ମନୋଜଙ୍କ ବାଲିଗୁଡ଼ା ସ୍ଥିତ ଘରେ ରେଡ୍ କରୁଛି ଆୟକର ବିଭାଗ । ସେପଟେ ଭୁବନେଶ୍ବରରେ ଅନୀଲ ମହାନ୍ତିଙ୍କ ଘରେ ମଧ୍ୟ ଚାଲିଛି ରେଡ୍ ।
ଗତକାଲି ଠକ ହଂସିତା ଅଭିଲିପ୍ସା ଏବଂ ଅନୀଲ ମହାନ୍ତିଙ୍କ ଘରେ ଆୟକର ଟିମ୍ ପକ୍ଷରୁ ଚଢାଉ ହୋଇଥିଲା । ଭୁବନେଶ୍ବର ଦିଲ୍ଲୀ, ଝାଡ଼ଖଣ୍ଡ ସମେତ ୧୨ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଆୟକର ଟିମ୍ । ହଂସିତା ଅଭିଲିପ୍ସାଙ୍କ ଦିଲ୍ଲୀରେ ଥିବା ଢାବା ଆଣ୍ଡ ବାରରେ ମଧ୍ୟ ଚଢାଉ ଚାଲିଥିଲା । ଏହାବ୍ୟତୀତ ଅନିଲଙ୍କ ନୟାପଲ୍ଲୀ ସ୍ଥିତ ପୈତୃକ ଘର, ମଞ୍ଚେଶ୍ବରରେ ଥିବା ଅଫିସ,ଏମ୍ସ୍ ନିକଟରେ ଥିବା ପତ୍ନୀଙ୍କ ଘରେ ମଧ୍ୟ ଚଢାଉ ହୋଇଥିଲା। ଚଢାଉ ବେଳେ ହଂସିତା ଏବଂ ଅନୀଲଙ୍କର ଆକାଉଣ୍ଟ ଟ୍ରାଞ୍ଜାକ୍ସନ୍ର ଖୋଳତାଡ଼ କରୁଛି ବିଭାଗ । ବିନା ଲୋନ୍ରେ ଦାମୀ କାର୍ କିଣିବାକୁ ନେଇ କିଛି ଦିନ ତଳେ ବିବାଦରେ ପଡ଼ିଥିଲେ ଠକ ହଂସିତା । ତେବେ ଆଜି ମଧ୍ୟ ୨ୟ ଦିନରେ ଚଢାଉ ଜାରି ରଖିଛି ଆୟକର ବିଭାଗ । ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଟିମ୍ ।
ସୂଚନାଯୋଗ୍ୟ, ବଡ଼ ବଡ଼ିଆଙ୍କ ସହ ସମ୍ପର୍କ ଥିବା କହି ଖଣି ବ୍ୟବସାୟୀ, ବିଲଡରଙ୍କୁ ଚୂନ ଲଗାଉଥିଲେ ହାଇପ୍ରୋଫାଇଲ୍ ଠକ ହଂସିତା ଅଭିଲିପ୍ସା ଓ ତାଙ୍କ ସହଯୋଗୀ ଅନୀଲ ମହାନ୍ତି । ଏମିତିକି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ.ମିଶ୍ରଙ୍କ ନାଁ ନେବାକୁ ବି ପଛାଇ ନଥିଲେ । ଖାଲି ସେତିକି ନୁହେଁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୂର୍ବତନ ସିଏମଜି ଗିରିଶ ମୁର୍ମୁଙ୍କ ଭଳି ବଡ଼ ବଡ଼ିଆଙ୍କ ସହ ନିଜ ଫଟୋ ଏଡିଟ୍ କରି ଦେଖାଉଥିଲେ । ଶେଷରେ ଧରାପଡିଥିଲେ ପୋଲିସ ହାତରେ । ପୋଲିସ ସେମାନଙ୍କୁ ଗିରଫ କରିବା ସହ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା ।