ଭୁବନେଶ୍ୱର: ବହୁତ ହଟଚମଟ ହୋଇଛି ବିଜେଡି ରାଜନୀତି । ବିଜେଡି ନେତାଙ୍କ ବାରମ୍ବାର ଭୋଜି ପରେ ଗୋଟିଏ ପରେ ଗୋଟିଏ କଥା ପଦାକୁ ଆସୁଛି । ଭିକେ ପାଣ୍ଡିୟାନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନ ବିଜେଡିକୁ ଆସିବା ଚର୍ଚ୍ଚା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଅନେକ ନେତା । ବିଜେଡି ସାଂସଦ ଦେବାସିଷ ସାମନ୍ତରାୟ ଏ ବାବଦରେ ଖୋଲାଖୋଲି ନିଜ ମତ ରଖିଛନ୍ତି । ସୁଜାତା ଯଦି ରାଜନୀତିକୁ ଆସିବେ ତାହା ଭୂଲ ହେବ ବୋଲି ସେ କହିଛନ୍ତି ।
ନବୀନ ବାବୁଙ୍କ ଉତ୍ତରାଧିକାରୀ ଓଡିଶାରୁ କେହି ବି ହୋଇପାରିବେ, ଓଡିଶାବାସୀ ଯେଉଁ ନେତୃତ୍ୱକୁ ବିଶ୍ୱାସ କରିବେ, ସିଏ ନେତା ହେବେ ବୋଲି ସେ କହିଛନ୍ତି । ନବୀନ ବାବୁ ନେତା ହେବେ ବୋଲି ବିଜୁ ବାବୁ ବି ଭାବିନଥିବେ । ହେଲେ ଦରକାର ସମୟରେ ସେ ଓଡିଶା ଆସି ସବୁ ସମ୍ଭାଳିଥିଲେ । ପରାଜୟ ପରେ ଲୋକେ ତାଙ୍କୁ ଝୁରୁଛନ୍ତି ବୋଲି ଦେବାଶିଷ କହିଛନ୍ତି । ବିଜେଡି ସଜାଡି ହୋଇଗଲେ ରାଜ୍ୟରେ ସବୁଠାରୁ ଭଲ ବିକଳ୍ପ ହେବ ବୋଲି ସେ କହିଛନ୍ତି ।
ସେହିପରି ପାଣ୍ଡିଆନଙ୍କ ପ୍ରସଙ୍ଗରେ ବିଜେଡି ନେତା ସମ୍ବିତ ରାଉତରାୟଙ୍କୁ ସମର୍ଥନ କରିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା କହିଛନ୍ତି ଠିକ କହିଛନ୍ତି, ପାଣ୍ଡିଆନ ଆମ ନେତା ନୁହଁନ୍ତି । ଆମର ଜଣେ ନେତା ନବୀନ ପଟ୍ଟନାୟକ। ଦଳରେ ଗୋଷ୍ଠିକନ୍ଦଳ ନାହିଁ, ସମସ୍ତେ ଠିକ ଓ ସଂଗଠିତ ଅଛନ୍ତି । ଆଜି ଝୁମୁକାରେ ବିଜେଡିର କିଛି ବରିଷ୍ଠ ନେତାମାନେ ଏକାଠି ହୋଇ ଭୋଜିଭାତ କରିଥିଲେ । ସେଠାରେ ଏ ବାବଦରେ ପଚାରିବାରୁ ନିଜର ମତ ରଖିଥିଲେ ।